ଲାଉଡ୍ ସ୍ପିକର ପ୍ରସଙ୍ଗରେ କଠୋର ହେଲେ ମହାରାଷ୍ଟ୍ର ସରକାର, ମୁମ୍ବାଇର ୧୩୫ ମସଜିଦ୍‌ ଉପରେ ହେବ କାର୍ଯ୍ୟାନୁଷ୍ଠାନ

Published By : Prameya-News7 Bureau | May 04, 2022 IST

ମୁମ୍ବାଇ ୪।୫: ମହାରାଷ୍ଟ୍ରରେ ମସଜିଦ୍‌ରେ ଲାଉଡ୍ ସ୍ପିକର ବ୍ୟବହାର ପ୍ରସଙ୍ଗ ଏବେ ରାଜନୈତିକ ମାହୋଲକୁ ଉସ୍ମ କରିଛି । ଏ ଭିତରେ ଶୁଣିବାକୁ ମିଳୁଛି ଯେ, ରାଜ୍ୟ ସରକାର ମୁମ୍ବାଇର ଶହ ଶହ ମସଜିଦ୍ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତି କରୁଛି । ସରକାର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଉଲଂଘନ କରିଥିବା କିଛି ମସଜିଦ୍‌ର ଚିହ୍ନଟ ମଧ୍ୟ କରିଛି । ବିଶେଷକରି ମହାରାଷ୍ଟ୍ର ନବନିର୍ମାଣ ସେନା ମୁଖ୍ୟ ରାଜ୍ ଠାକରେଙ୍କ ଘୋଷଣା ପରେ ରାଜ୍ୟରେ ପୋଲିସ ଆଲର୍ଟ ମୋଡ୍‌ରେ ରହିଛି ।

ଏଏନ୍‌ଆଇ ଅନୁସାରେ ରାଜ୍ୟ ଗୃହ ବିଭାଗ କହିଛି ଯେ, ମୁମ୍ବାଇରେ ମୋଟ୍ ୧୧୪୦ ମସଜିଦ୍ ରହିଛି । ଏଥିରୁ ୧୩୫ଟି ମସଜିଦ୍ ଆଜି ସକାଳ ୬ଟା ପୂର୍ବରୁ ଲାଉଡ୍‌ ସ୍ପିକରର ବ୍ୟବହାର କରିଛନ୍ତି । ଯେଉଁ ୧୩୫ ମସଜିଦ୍ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ ବିରୋଧରେ ଯାଇଛନ୍ତି ସେମାନଙ୍କ ବିରୋଧରେ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସୁପ୍ରିମକୋର୍ଟ ଜୁଲାଇ ୨୦୦୫ରେ ସାର୍ବଜନୀନ ସ୍ଥାନରେ ରାତି ୧୦ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ଲାଉଡ୍ ସ୍ପିକର ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇ ଦେଇଥିଲେ ।

ମହାରାଷ୍ଟ୍ର ନବନିର୍ମାଣ ସେନା ମୁଖ୍ୟ ରାଜ୍ ଠାକରେଙ୍କ ଆହ୍ବାନ ପରେ ମୁମ୍ବାଇ ଏବଂ ନିକଟସ୍ଥ ସହରରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ସେ ଲାଉଡ୍ ସ୍ପିକରରେ ଅଜାନ ବିରୋଧରେ ହନୁମାନ ଚାଳିସା ପାଠ କରିବା କଥା କହିଥିଲେ । ସେପଟେ ପୋଲିସ ମହାରାଷ୍ଟ୍ର ନବନିର୍ମାଣ ସେନା କାର୍ଯ୍ୟକର୍ତ୍ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ବଢାଇଦେଇଛି । ବୁଧବାର ସକାଳେ ନଭିମୁମ୍ବାଇ ସାନପାଡା ପୋଲିସ ମହାରାଷ୍ଟ୍ର ନବନିର୍ମାଣ ସେନାର ସହର ଅଧ୍ୟକ୍ଷ ଯୋଗେଶ ସେଟ୍ଟେଙ୍କୁ ଗିରଫ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.