ନୂଆଦିଲ୍ଲୀ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନକୁ ନେଇ ବିଜେପି ତୃତୀୟ ତାଲିକାରେ ୨୫ ଜଣଙ୍କ ନାଁ ଘୋଷଣା କରିଛି । ପାର୍ଟି ଏବେ ସୁଦ୍ଧା ୧୪୬ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି । ପାର୍ଟି ମାଲସିରସ୍ ଏସସି ବିଧାନସଭା ଆସନରୁ ବର୍ତ୍ତମାନର ବିଧାୟକ ଭିଟ୍ଟଲ ସତପୁତେଙ୍କୁ ପୁଣି ଥରେ ସୁଯୋଗ ଦେଇଛି । ସତପୁତେ ବିଜେପି ଯୁବ ମୋର୍ଚ୍ଚାର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଅଛନ୍ତି । ସେହିପରି ଲାତୁର ଆସନରେ ଡ.ଅର୍ଚ୍ଚନା ଶୈଳସ ପାଟିଲ, ବସେଇରୁ ସ୍ନେହା ପ୍ରେମନାଥ ଦୁବେ ଏବଂ ଭର୍ସୋଭାକୁ ଡ.ଭାରତୀ ହେମନ୍ତଙ୍କୁ ପ୍ରାର୍ଥୀ କରିଛି । ପୂର୍ବ ଘାଟକୋପରରୁ ବର୍ତ୍ତମାନର ବିଧାୟକ ପରାଗ ଶାହଙ୍କୁ ଦଳ ପୁଣି ଥରେ ଟିକଟ୍ ଦେଇଛି ।
ନାନ୍ଦେଡ଼ ଲୋକସଭା ଉପନିର୍ବାଚନ ପାଇଁ ମଧ୍ୟ ଦଳ ପ୍ରାର୍ଥୀ ଘୋଷଣା କରିଛି । ପାର୍ଟି ଏହି ଆସନ ପାଇଁ ଡ଼.ସନ୍ତୁକ ମାରୋତରାଓଙ୍କୁ ପ୍ରାର୍ଥୀ କରିଛି ।
ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ବିଜେପି ପ୍ରଥମେ ତାଲିକାରେ ୯୯ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିଲା । ଦ୍ୱିତୀୟ ତାଲିକାରେ ୨୨ ପ୍ରାର୍ଥୀ ଏବଂ ତୃତୀୟ ସୂଚୀରେ ୨୫ ଜଣଙ୍କ ନାଁ ଘୋଷଣା କରିଛି । ଏହିପରି ବର୍ତ୍ତମାନ ସୁଦ୍ଧା ମୋଟ ୧୪୬ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ।
भाजपा की केंद्रीय चुनाव समिति ने आगामी महाराष्ट्र विधानसभा चुनाव 2024 के लिए अपनी तृतीय सूची में निम्नलिखित नामों पर स्वीकृति प्रदान की है। pic.twitter.com/CEupQanXi2
— BJP (@BJP4India) October 28, 2024
୨୮୮ ସଦସ୍ୟ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ ନଭେମ୍ୱର ୨୨ରେ ଗୋଟିଏ ପର୍ଯ୍ୟାୟରେ ହେବ । ନଭେମ୍ୱର ୨୩ରେ ଭୋଟ ଗଣତି ହେବ । ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଶିବସେନା, ଅଜିତ୍ ପାୱାରଙ୍କ ଏନସିପି ଏବଂ ବିଜେପି ମେଣ୍ଟ କରି ମହାୟୁତି ସରକାର ବଜାୟ ରଖିବା ପାଇଁ ଉଦ୍ୟମ କରୁଥିବା ବେଳେ ଶିବସେନା (ୟୁବିଟି), ଏନସିପି (ଶରଦ ପାୱାର) ଏବଂ କଂଗ୍ରେସକୁ ନେଇ ବିରୋଧୀ ମହାବିକାଶ ଅଘାଡ଼ି ଶାସନକୁ ଆସିବା ପାଇଁ ପ୍ରୟାସ କରୁଛନ୍ତି ।