ମହାରାଷ୍ଟ୍ରରେ ହେବ କ୍ୟାବିନେଟ୍ ବିସ୍ତାର; ଆସନ୍ତାକାଲି ଶପଥ ନେଇପାରନ୍ତି ୧୪ ମନ୍ତ୍ରୀ

Published By : Prameya-News7 Bureau | August 08, 2022 IST

ମୁମ୍ବାଇ: ମହାରାଷ୍ଟ୍ରରେ ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ହେବା ପରେ ଫଡ଼ନାଭିସ କ୍ୟାମ୍ପ ଖୁସୀ ନଥିବା ଶୁଣିବାକୁ ମିଳୁଛି। ସରକାର ଗଠନ ହେବାର ମାସେ ପୁରିଥିଲେ ବି ଏପର୍ଯ୍ୟନ୍ତ ମନ୍ତ୍ରୀ ମଣ୍ଡଳ ଗଠନ ନେଇ ଅସାମଞ୍ଜସ୍ୟ ଲାଗି ରହିଛି। ଏହାରି ଭିତରେ ମହାରାଷ୍ଟ୍ର ସରକାରରେ ବଡ଼ ଖବର ଶୁଣିବାକୁ ମିଳୁଛି। ଆସନ୍ତାକାଲି ରାଜ୍ୟ କ୍ୟାବିନେଟ୍‌ ବିସ୍ତାର ହେବ। ୧୪ ଜଣ ମନ୍ତ୍ରୀ ଶପଥ ନେଇପାରନ୍ତି ବୋଲି ଶୁଣିବାକୁ କୁହାଯାଉଛି।

ନୂଆ ମନ୍ତ୍ରୀ ମଣ୍ଡଳରେ ପ୍ରତ୍ୟକ ଅଞ୍ଚଳରୁ ଜଣେ ଜଣେ ମନ୍ତ୍ରୀ ରହିବେ। ବରିଷ୍ଠ ବିଜେପି ନେତା ସୁଧୀର ମଙ୍ଗନ୍ତିୱାର, ତନ୍ଦ୍ରକାନ୍ତ ପାଟିଲ, ଗିରିସ ମହାଜନ ମନ୍ତ୍ରୀ ହୋଇପାରନ୍ତି। ସେହିପରି ସିନ୍ଦେଙ୍କ ଟିମ୍‌ରୁ ଗୁଲାବ ରଘୁନାଥ ପାଟିଲ, ସଦା ସରଭଙ୍କର ଏବଂ ଦୀପକ ବସନ୍ତ କେସରକର ମଧ୍ୟ ମନ୍ତ୍ରୀ ପଦ ପାଇଁ ଆସନ୍ତାକାଲି ଶପଥ ନେଇପାରନ୍ତି ବୋଲି ସୂଚନା ମିଳିଛି।

ମହାରାଷ୍ଟ୍ର ରାଜନୀତିର କ୍ଷମତା ପରିବର୍ତ୍ତନ ପରେ ଶିବସେନା ବିଧାୟକ ଶିନ୍ଦେ ଓ ବିଜେପି ନେତା ଦେବେନ୍ଦ୍ର ଫଡ଼ନାଭିସ୍ ଜୁନ୍‌ ୩୦ ତାରିଖରେ ଯଥାକ୍ରମେ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ପଦରେ ଶପଥ ନେଇଥିଲେ। ସିନ୍ଦେଙ୍କୁ ବିଜେପି ମୁଖ୍ୟମନ୍ତ୍ରୀ କରିବା ପରେ ଫଡ଼ନାଭିସ ଅସନ୍ତୋଷ ଥିବା କୁହାଯାଉଥିଲା। ଏଥିପାଇଁ ମନ୍ତ୍ରୀମଣ୍ଡଳ ଗଠନ ନେଇ ସହମତି ହୋଇପାରୁ ନଥିଲା। ସେବେଠାରୁ ଦୁଇ ନେତା ମାତ୍ର ଦୁଇ କ୍ୟାବିନେଟ୍‌ ମନ୍ତ୍ରୀଙ୍କୁ ନେଇ ସରକାର ଗଠନ କରିଥିଲେ। ଯାହାକୁ ନେଇ ଉଭୟ ନେତାଙ୍କୁ ବିରୋଧୀଙ୍କ ସମାଲୋଚନାର ସାମ୍ନା କରିବାକୁ ପଡ଼ିଥିଲା।

କ୍ୟାବିନେଟ୍‌ ବିସ୍ତାର ପାଇଁ ଫଡ଼ନାଭିସ ଓ ସିନ୍ଦେଙ୍କୁ ବାରମ୍ବାର ଦିଲ୍ଲୀ ଯିବାକୁ ପଡ଼ୁଥିଲା। ତେବେ ଶନିବାର କ୍ୟାବିନେଟ୍‌ ବିସ୍ତାର ନେଇ ସୂଚନା ଦେଇଥିଲେ ସିନ୍ଦେ। କ୍ୟାବିନେଟ୍‌ ବିସ୍ତାର ନ ହୋଇପାରିବା ଯୋଗୁ ସରକାରଙ୍କ କାର୍ଯ୍ୟରେ କୌଣସି ବାଧା ସୃଷ୍ଟି କରିବାକୁ ଦିଆଯିବ ନାହିଁ। ଖୁବ୍‌ଶୀଘ୍ର ମନ୍ତ୍ରୀମାନଙ୍କୁ ନିଯୁକ୍ତି ଦିଆଯିବ ବୋଲି ସିନ୍ଦେ କହିଥିଲେ। ଆଉ ଆସନ୍ତାକାଲି ମହାରାଷ୍ଟ୍ରରର ୧୪ ନୂଆ ମନ୍ତ୍ରୀ ଶପଥ ନେବେ ବୋଲି ଶୁଣିବାକୁ ମିଳୁଛି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.