କୁଆଡ଼େ ଗଲା ଦୁର୍ଲଭ ନାଗାର୍ଜୁନ ବେଶରେ ବ୍ୟବହୃତ ମହାପ୍ରଭୁଙ୍କ ବେଶ ସାମଗ୍ରୀ ? ତଦନ୍ତ ଦାବି କରିଛନ୍ତି ସେବାୟତ
28/11/2020 at 6:36 PM

ପୁରୀ ୨୮/୧୧ : ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନାଗାର୍ଜୁନ ବେଶରୁ ସୂର୍ଯ୍ୟ, ଚନ୍ଦ୍ର ନେଇ ଶ୍ରୀମନ୍ଦିରର ଜଣେ କର୍ମଚାରୀ ଜନୈକ ସେବାୟତଙ୍କ ଘରେ ଦେଇଥିବା ଅଭିଯୋଗ ହୋଇଛି । ଦୁର୍ଲଭ ନାଗାର୍ଜୁନ ବେଶ ଓଲାଗି ପରେ ସମସ୍ତ ସାମଗ୍ରୀ ଗାରଦରେ ଜମା ହୋଇଥିବା ବେଳେ କିଭଳି ଏହା ବାହାରକୁ ଆସିଲା ତାକୁ ନେଇ ଉଠିଛି ପ୍ରଶ୍ନ । ଏନେଇ ଶ୍ରୀମନ୍ଦିର କମାଣ୍ଡରଙ୍କୁ ରିପୋର୍ଟ ମଗାଯାଇଥିବା ବେଳେ ଆଇନ୍ ଖିଲାପକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ମୁଖ୍ୟ ପ୍ରଶାସକ ।

ବିନା ଭକ୍ତରେ ଏଥର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ ଅନୁଷ୍ଠିତ ହେଲା । ଏଥିରେ କେବଳ ଶ୍ରୀମନ୍ଦିର ପ୍ରଶାସନ ଓ ସେବାୟତଙ୍କ ଭିତରେ ସମନ୍ବୟର ଆବଶ୍ୟକତା ଥିଲା । ହେଲେ ସେତକ ବି ଠିକ୍ ଭାବେ କାର୍ଯ୍ୟକାରୀ ହୋଇପାରିଲା ନାହିଁ । କେଉଁଠି ଦୁଇ ସେବାୟତ ଗୋଷ୍ଠୀ ଭିତରେ ବିବାଦ ଯୋଗୁଁ ବେଶ ୩ଘଣ୍ଟା ବିଳମ୍ବ ହେଲା ତ ଆଉ କେଉଁଠି ଶ୍ରୀମନ୍ଦିରରେ ପଶିଲେ ଅଣସେବାୟତ । ପୁଣି ମହାପ୍ରଭୁଙ୍କ ଆୟୁଧ ଚନ୍ଦ୍ର, ସୂର୍ଯ୍ୟକୁ ଚୋରେଇ ନେଲା ଭଳି ସାଂଘାତିକ ଅଭିଯୋଗ ବି ସାମ୍ନାକୁ ଆସିଲାଣି । ବେଶ ଓଲାଗି ପରେ ସମସ୍ତ ସାମଗ୍ରୀ ଗାରଦରେ ଜମା ହୋଇଥିବା ବେଳେ ଶ୍ରୀମନ୍ଦିରର ଜଣେ କର୍ମଚାରୀ ଏହାକୁ ନେଇ ଜନୈକ ସେବାୟତଙ୍କ ଘରେ ଦେଇଥିବା ଅଭିଯୋଗ ହୋଇଛି ।ଏମିତିକି ବେଶ ଯୋଗାଇଥିବା ବଳରାମ ଖୁଣ୍ଟିଆଙ୍କ ପତ୍ନୀଙ୍କୁ ନା’ ମିଳିଲା ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ଦର୍ଶନର ସୁଯୋଗ ନା’ ମିଳିଲା ଟିକେ ବି ଅଂଶ । ମହାପ୍ରଭୁଙ୍କ ଏହି ଦୁର୍ଲଭ ବେଶ ସାମଗ୍ରୀକୁ ସଂରକ୍ଷିତ କରି ରଖିବାକୁ ଶ୍ରୀମନ୍ଦିର ପ୍ରଶାସନ ଯୋଜନା କରିଥିବା ବେଳେ ଏହା କିଭଳି ବାହାରକୁ ଆସିଲା ତାକୁ ନେଇ ଉଠିଛି ପ୍ରଶ୍ନ ।

ଘଟଣା ପ୍ରଘଟ ହେବା ପରେ ଆକ୍ସନକୁ ଆସିଛନ୍ତି ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ ଓ ନୀତି ପ୍ରଶାସକ ଶ୍ରୀମନ୍ଦିର ଭିତରକୁ ଯାଇ ଯାଂଚ କରିଛନ୍ତି । ଶ୍ରୀମନ୍ଦିର କମାଣ୍ଡରଙ୍କୁ ଏ ନେଇ ରିପୋର୍ଟ ମାଗିଛନ୍ତି ମୁଖ୍ୟ ପ୍ରଶାସକ। ଏଥି ସହ ଅଭିଯୁକ୍ତଙ୍କ ବିରୋଧରେ ଶ୍ରୀମନ୍ଦିର ଆଇନ ଅନୁଯାୟୀ ଦୃଢ କର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି। ସେହିଭଳି ଗତକାଲି ନାଗାର୍ଜୁନ ବେଶ ସମୟରେ ଅଣ ସେବାୟତ ଓ ସରକାରୀ କର୍ମଚାରୀଙ୍କ ଅନଧିକୃତ ଶ୍ରୀମନ୍ଦିର ପ୍ରବେଶ ସମ୍ପର୍କରେ ମଧ୍ୟ ଯାଞ୍ଚ କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ ।
ଦୁର୍ଲଭ ନାଗାର୍ଜୁନ ବେଶର କେବଳ ଚନ୍ଦ୍ର ସୂର୍ଯ୍ୟ ଅଂଶ ନା ଅନ୍ୟ ସାମଗ୍ରୀ ଶ୍ରୀମନ୍ଦିର ବାହାରକୁ ଯାଇଛି ତାହାର ତଦନ୍ତ ଦାବି କରିଛନ୍ତି ସେବାୟତ ।