'ମହାପ୍ରସାଦ'ର ଅନ୍‌ଲାଇନ୍‌ ବିକ୍ରିକୁ ସୁଆର ମହାସୁଆର ନିଯୋଗର ବିରୋଧ: ମହାପ୍ରଭୁଙ୍କ ଭୋଗର ମର୍ଯ୍ୟାଦା ହାନି ଅଭିଯୋଗ କରି ଦାବି କଲେ ଆଇନଗତ କାର୍ଯ୍ୟାନୁଷ୍ଠାନ

Published By : Prameya-News7 Bureau | August 18, 2020 IST

ପୁରୀ୧୮/୮: ଅନ୍‌ ଲାଇନରେ ବିକ୍ରି ହେଉଛି ମହାପ୍ରସାଦ। ଏକ ସଂସ୍ଥା ପକ୍ଷରୁ ଅବଢ଼ା ଓ ଶୁଖିଲା ମହାପ୍ରସାଦ ଘରେ ଅନଲାଇନ ମାଧ୍ୟମରେ ପହଞ୍ଚାଇବା ପାଇଁ ସୋସିଆଲ ମିଡ଼ିଆରେ ବିଜ୍ଞାପନ ସହ କିଭଳି ପହଞ୍ଚାଯାଉଛି ସେ ନେଇ ମଧ୍ୟ ଫଟୋ ଅପଲୋଡ଼ ହୋଇଛି। ତେବେ ଏହାକୁ ନେଇ ସୁଆର ମହାସୁଆର ନିଯୋଗ କ୍ଷୋଭ ପ୍ରକାଶ କରିଛି। ଭକ୍ତଙ୍କ ପାଇଁ ଉତ୍ତର ଦ‌୍ୱାରରେ ମହାପ୍ରସାଦ ନେଇ ନିଯୋଗ ପକ୍ଷରୁ ମୋବାଇଲ ନମ୍ୱର ଦିଆଯାଇ ଟୋକନ ସାହାଯ୍ୟରେ ବରାଦି ଭୋଗ ଓ ମହାପ୍ରସାଦ ମଧ୍ୟ ବିକ୍ରି କରାଯାଉଛି। ତେବେ ଅନଲାଇନ ମାଧ୍ୟମରେ ଏଭଳି ବିକ୍ରି କରିବା ଦ୍ୱାରା ଶ୍ରୀମନ୍ଦିର ଓ ମହାପ୍ରସାଦର ମର୍ଯ୍ୟଦା ହାନୀ ହେଉଛି। ତେଣୁ ତୁରନ୍ତ ଶ୍ରୀମନ୍ଦିର ପ୍ରଶାସନ ଆଇନଗତ ପଦକ୍ଷେପ ଗ୍ରହଣ କରିବା ସହ ନିଯୋଗ ପକ୍ଷରୁ ଲିଖିତ ଅଭିଯୋଗ କରାଯିବ ବୋଲି ନିଯୋଗର ସଂପାଦକ କହିଛନ୍ତି।

ଅନଲାଇନରେ ଚାଲିଛି ମହାପ୍ରସାଦ ବିକ୍ରି। ଭୁବନେଶ୍ୱରର www,soquick.in ନାମକ ଏହି ଘରୋଇ ସଂସ୍ଥା ଖୁଲମଖୁଲା ଅନଲାଇନରେ କରୁଛି ମହାପ୍ରସାଦ ବେପାର। ଏଥିରେ ପୁଣି ଲେଖାଯାଇଛି ଶ୍ରୀମନ୍ଦିରର ଛପନ ଭୋଗ, ଅବଢ଼ା, ଅନ୍ନ, କାନିକା, ମିଠାଡ଼ାଲି, ବେସର, ମହୁର ସହିତ ଶ୍ରୀମନ୍ଦିରର ଶୁଖିଲା ଭୋଗ ଓ ଖଜା ଦିଆଯିବାର ବ୍ୟବସ୍ଥା ରହିଛି। ଏହି ସଂସ୍ଥା ପକ୍ଷରୁ ପୁରୀ, ଭୁବନେଶ୍ୱର ଓ କଟକରେ ଚାହିଦା ଅନୁସାରେ ଅନଲାଇନରେ ଯୋଗାଇଦେବା ପାଇଁ ପ୍ରତିଶୃତି ଦେଇଛି। କେବଳ ପ୍ରତିଶୃତି ଦେଇନାହିଁ ବରଂ ଜୁନ ମାସରୁ ଏହି ବ୍ୟବସାୟ ଆରମ୍ଭ କରିଛି। ଅର୍ଡ଼ର ଅନୁସାରେ ମହାପ୍ରସାଦକୁ କୁଡ଼ୁଆରେ ଆଣି କାର୍ଟୁନ୍ ପ୍ୟାକିଂ କରି ପୁରୀରୁ ଏହାକୁ ଗାଡ଼ି ସାହାଯ୍ୟରେ ନେଇ ଗ୍ରାହକଙ୍କ ଘରେ ପହଞ୍ଚାଯାଉଛି। ତେବେ ଅନଲାଇନରେ ମହାପ୍ରସାଦ ବେପାରକୁ ନେଇ ଭକ୍ତ ଏବଂ ସେବାୟତ ପ୍ରତିବାଦ କରିଛନ୍ତି। ଅନଲାଇନରେ ଏଭଳି ମହାପ୍ରସାଦ ବିକ୍ରି ଦ୍ୱାରା ଏହାର ମର୍ଯ୍ୟଦା ହାନୀ ହେଉଥିବା କହିଛନ୍ତି ପରିଚାଳନା କମିଟି ସଦସ୍ୟ ଓ ସେବାୟତ।

ଅନଲାଇନରେ ମହାପ୍ରସାଦ ଯୋଗାଇବା ନେଇ ୨୦୧୫ ମସିହାରେ ଏକ ସଂସ୍ଥା ଶ୍ରୀମନ୍ଦିର ପ୍ରଶାସନକୁ ଆବେଦନ କରିଥିଲା। ଶ୍ରୀମନ୍ଦିର ପରିଚାଳନା କମିଟି ଓ ସେବାୟତଙ୍କ ବିରୋଧ ଯୋଗୁଁ ଏହି ପ୍ରସ୍ତବା କାଟ ଖାଇଥିଲା। ଗତ ମେ ମାସରେ ଆଉ ଏକ ସଂସ୍ଥା ଅନଲାଇନରେ ମହାପ୍ରସାଦ ଭକ୍ତଙ୍କୁ ଯୋଗାଇବା ପାଇଁ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିବା ବେଳେ ଏଯାବତ୍ ମାମଲା ବିଚାରଧିନ ରହିଛି। ତେବେ କୋଭିଡ଼ ସମୟରେ ଶ୍ରୀମନ୍ଦିରକୁ ଭକ୍ତଙ୍କ ପ୍ରବେଶ ବନ୍ଦ ଥିବାରୁ ମହାପ୍ରସାଦ ପାଇଁ ମଧ୍ୟ କଟକଣା ରହିଛି।

ସୁଆର ମହାସୁଆର ନିଯୋଗ ପକ୍ଷରୁ ଭକ୍ତମାନେ ଉତ୍ତର ଦ୍ୱାର ନିକଟରେ ମହାପ୍ରସାଦ ପାଇବା ପାଇଁ ବ୍ୟବସ୍ଥା କରାଯାଇଛି। ତେଣୁ ଅନଲାଇନ ମହାପ୍ରସାଦ ବେପାରକୁ ତୁରନ୍ତ ବନ୍ଦ କରିବା ପାଇଁ ଭକ୍ତମାନେ ଦାବୀ କରିଛନ୍ତି। ଅନ୍ୟପଟେ ଏହି କାର୍ଯ୍ୟ ବେଆଇନ୍ ବୋଲି ଶ୍ରୀମନ୍ଦିର କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ଆଜି ପର୍ଯ୍ୟନ୍ତ ଅନଲାଇନରେ ମହାପ୍ରସାଦ ବିକ୍ରି ବ୍ୟବସ୍ଥା ହୋଇନଥିବା ବେଳେ ସଂପୃକ୍ତ ସଂସ୍ଥା ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀମନ୍ଦିର କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ମହାପ୍ରଭୁଙ୍କ ମହାପ୍ରସାଦର ରହିଛି ସ୍ୱତନ୍ତ୍ରତା। ଅନଲାଇନରେ ଏହା ବିକ୍ରି ହେଲେ ନଷ୍ଟ ହେବ ପବିତ୍ରତା। ତେଣୁ ଏହା ଉପରେ ଶ୍ରୀମନ୍ଦିର ପ୍ରଶାସନ ଅଙ୍କୁଶ ନଲଗାଇଲେ ହାନୀ ହୋଇପାରେ ମହାପ୍ରସାଦର ମର୍ଯ୍ୟଦା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.