ଏଣିକି ଥାଳି ଦରରେ ମିଳିବ ମହାପ୍ରଭୁଙ୍କ ମହାପ୍ରସାଦ

Published By : Prameya-News7 Bureau | September 13, 2018 IST

ପୁରୀ ୧୩/୯ : ଶ୍ରୀମନ୍ଦିର ଆନନ୍ଦବଜାରରେ ଏଣିକି ଭକ୍ତଙ୍କ ପାଇଁ ବିକ୍ରି ହେଉଥିବା ମହାପ୍ରସାଦ କୁଡ଼ୁଆରେ ଲାଗିବ ରେଟ୍ ଟ୍ୟାଗ୍ । ଥାଳି ଦରରେ ମିଳିବ ମହାପ୍ରସାଦ । ଶ୍ରୀମନ୍ଦିର ପ୍ରଶାସନର ଏଭଳି ନିଷ୍ପତ୍ତିରେ ସହମତି ପ୍ରକାଶ କରିଛି ମହାସୁଆର ନିଯୋଗ । ଏଥି ସହ ଆନନ୍ଦବଜାର ଭିତରେ ଅବଢ଼ା ବିକ୍ରି ପାଇଁ ନିର୍ମାଣ ହେବ ୪୦ଟି ସେଡ୍ । ସେହିଭଳି ବାସି ମହାପ୍ରସାଦ ବିକ୍ରି ଉପରେ କଡ଼ା କଟକଣା ଜାରି କରାଯିବା ସହ ମହାପ୍ରସାଦର କ୍ବାଲିଟି ଉପରେ ଦିଆଯିବ ଅଧିକ ଗୁରୁତ୍ବ । ମହାବାହୁଙ୍କ ମହାପ୍ରସାଦ ଟିକିଏ ପାଇବାକୁ ଭକ୍ତର ବ୍ୟାକୁଳତାକୁ ଏବେ ବୁଝିଛି ପ୍ରଶାସନ । ବୁଝିଛନ୍ତି ସେବାୟତ । ଖାସ୍ ସେଇଥି ପାଇଁ ତ ଏବେ ଶ୍ରୀମନ୍ଦିରରେ ଭକ୍ତଙ୍କୁ କିଭଳି ଉଚିତ୍ ମୂଲ୍ୟରେ ମହାପ୍ରସାଦ ମିଳିବ ସେ ନେଇ ପ୍ରସ୍ତୁତ ହୋଇଛି ବିଧିବ୍ୟବସ୍ଥା । ଆନନ୍ଦ ବଜାରରେ ଏଥର ଥାଳି ଦରରେ ମିଳିବ ମହାପ୍ରସାଦ । ତେବେ ମହାପ୍ରସାଦ ଥାଳିର ତିନି ପ୍ରକାର ମୂଲ୍ୟ ଧାର୍ଯ୍ୟ କରାଯାଇଛି । ୭୦, ୮୦ ଏବଂ ୧୨୦ଟଙ୍କା ଥାଳି ଦରରେ ଅବଢ଼ା କିଣି ସେବନ କରିପାରିବେ ଭକ୍ତ । କେଉଁ ଥାଳିରେ କ’ଣ ମହାପ୍ରସାଦ ରହିବ ତା’ର ତାଲିକା ରହିବ । ସେହିଭଳି କୁଡ଼ୁଆ ଫଟୋ ସହିତ ଦର ତାଲିକା ଆନନ୍ଦ ବଜାର ସମେତ ବାଇଶି ପାହାଚ ଓ ଶ୍ରୀମନ୍ଦିର ଚାରି ଦ୍ବାରରେ ଲାଗିବ । ପ୍ରଶାସନର ଏଭଳି ନିଷ୍ପତ୍ତିରେ ସହମତି ପ୍ରକାଶ କରିଛି ମହାସୁଆର ନିଯୋଗ । କେବଳ ଥାଳି ଦରରେ ମହାପ୍ରସାଦ ମିଳିବ ତା’ ନୁହେଁ, ବରଂ ଅବଢ଼ାର କ୍ବାଲିଟି ଉପରେ ମଧ୍ୟ ଅଧିକ ଗୁରୁତ୍ବ ଦିଆଯିବ । ସେହିଭଳି ବାସି ମହାପ୍ରସାଦ ବିକ୍ରି ଉପରେ କଡ଼ା କଟକଣା ଲଗାଯିବା ସହ ଯେଭଳି କୌଣସି ଅଣସେବକ ମହାପ୍ରସାଦ ବିକ୍ରି କରିପାରିବେ ନାହିଁ ସେଥି ପ୍ରତି ଦୃଷ୍ଟି ଦିଆଯିବ । ଆନନ୍ଦ ବଜାରରେ ଏଣିକି ସୁଆରମାନେ ମନଇଚ୍ଛା ଜରିପାଲ ଟାଣି ପାରିବେ ନାହିଁ । ଏହା ଦ୍ବାରା ସୌନ୍ଦର୍ଯ୍ୟ ନଷ୍ଟ ହେଉଥିବାରୁ ଆନନ୍ଦବଜାର ଭିତରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ୪୦ଟି ସେଡ୍ ନିର୍ମାଣ କରାଯିବ । ଶ୍ରୀମନ୍ଦିର ପ୍ରଶାସନର ଏଭଳି ବ୍ୟବସ୍ଥାକୁ ସ୍ବାଗତ କରିଛନ୍ତି ସେବାୟତ । ଶ୍ରୀମନ୍ଦିର ସଂସ୍କାର ନେଇ ସୁପ୍ରିମକୋର୍ଟଙ୍କ ନିର୍ଦେଶ ପରେ ଏବେ ଶ୍ରୀମନ୍ଦିର ପ୍ରଶାସନ ଆଉ ସେବାୟତମାନେ ମିଳିତ ଭାବେ ତତ୍ପରତା ଦେଖାଇଛନ୍ତି । ମହାପ୍ରଭୁ ଓ ମହାପ୍ରସାଦ ପ୍ରତି ଭକ୍ତଙ୍କ ଭାବାବେଗକୁ ଗୁରୁତ୍ବ ଦିଆଯାଇଥିବାରୁ ବିଭିନ୍ନ ମହଲରେ ଏହାକୁ ପ୍ରଶଂସା କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.