ମହାନଦୀର ସୁରକ୍ଷା ନାଁରେ ମହାସଂଗ୍ରାମକୁ ଓହ୍ଲାଇବାକୁ ଅଣ୍ଟା ଭିଡ଼ିଛନ୍ତି ବିଜେଡି ଆଉ କଂଗ୍ରେସ

Published By : Prameya-News7 Bureau | May 06, 2018 IST

ନିର୍ବାଚନକୁ ନଜରରେ ରଖି ପୁଣି ରାଜନୀତିର ସେଣ୍ଟରକୁ ଆସିଛି ମହାନଦୀ । ମହାନଦୀ ପ୍ରସଙ୍ଗକୁ ଏଜେଣ୍ଡା କରିବାକୁ ସବୁ ଦଳ ପ୍ରାଣମୁର୍ଚ୍ଛା ଉଦ୍ୟମ ଚଳାଇଛନ୍ତି । ମହାନଦୀର ସୁରକ୍ଷା ନାଁରେ ମହାସଂଗ୍ରାମକୁ ଓହ୍ଲାଇବାକୁ ଅଣ୍ଟା ଭିଡ଼ିଛନ୍ତି ଉଭୟ ବିଜେଡି ଆଉ କଂଗ୍ରେସ । କେନ୍ଦ୍ର ଓ ଛତିଶଗଡ଼ରେ ଦଳର ସରକାର ଥିବାରୁ ଏହି ପ୍ରସଙ୍ଗରେ ବ୍ୟାକ୍ଫୁଟ୍ରେ ଅଛି ବିଜେପି । ଏଭଳି ପରିସ୍ଥିତିରେ ନିର୍ବାଚନକୁ ଦୃଷ୍ଟିରେ ରଖି ଆଗାମୀ ଦିନରେ ମହାନଦୀ ରାଜନୀତି ଯେ, ତେଜ୍ ହେବ ସେକଥା ସ୍ପଷ୍ଟ ହୋଇଗଲାଣି । ହେଲେ ଆଉ ଦୁଇମାସ ପରେ ଅର୍ଥାତ୍ ବର୍ଷା ଋତୁରେ ହୀରାକୁଦ୍ ଜଳଭଣ୍ଡାରରୁ ପ୍ରଥମ ବନ୍ୟାଜଳ ନିଷ୍କାସନ ହେବ । ସେତେବେଳେ ରାଜ୍ୟ ସରକାର ସେଇ ଜଳକୁ କେଉଁଠି ରଖିବେ ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ମହାନଦୀକୁ ନେଇ ରାଜନୈତିକ ବୟାନବାଜି ଅପେକ୍ଷା ତଳମୁଣ୍ଡରେ କିଭଳି ଜଳ ସଂରକ୍ଷଣ କରାଯାଇପାରିବ ସେ ଉପରେ ମଧ୍ୟ ଗୁରୁତ୍ବ ଦେବାର ଆବଶ୍ୟକତା ରହିଛି । କାରଣ ବର୍ଷା ଋତୁରେ ମହାନଦୀରୁ ହୀରାକୁଦ ଜଳଭଣ୍ଡାରକୁ ୨୪ମିଲିୟନ ଏକର ଫୁଟ୍‌ ଜଳ ପ୍ରବେଶ କରିଥାଏ । ସେଥିମଧ୍ୟରୁ କେବଳ ୩.୯୧ମିଲିୟନ ଏକର ଫୁଟ୍‌ ଜଳ ବ୍ୟବହାର କରିବା ପାଇଁ ସଂରକ୍ଷିତ କରି ରଖିବା ପରେ, ବଳକା ୨୦.୯ ମିଲିୟନ ଏକର ଫୁଟ୍‌ ଜଳ ସୁଇସ୍‌ ଗେଟ୍‌ ଖୋଲି ସମୁଦ୍ର ମଧ୍ୟକୁ ଛାଡିଦିଆଯାଏ । ଯାହାକି ମୋଟ ଜଳର ପ୍ରାୟ ୭ଗୁଣ ବୋଲି ଜଣାପଡ଼ିଛି । ପ୍ରତି ମୌସୁମୀ ଋତୁରେ ୨୦.୯ ମିଲିୟନ ନିୟୁତ ଏକର ଜଳ ସମୁଦ୍ରକୁ ବହି ଯାଉଛି । ମହାନଦୀର ନିମ୍ନ ଅବବାହିକାର, ସମ୍ବଲପୁର ପାୱାର ଚ୍ୟାନେଲ୍‌ ଠାରୁ ମୁଣ୍ଡଳୀ ପର୍ଯ୍ୟନ୍ତ ୩୨୫କିଲୋମିଟର ମହାନଦୀ ଶଯ୍ୟାର କୌଣସି ସ୍ଥାନରେ ମଧ୍ୟ ଜଳ ସଂରକ୍ଷଣ କରିବା ପାଇଁ ଚେକ୍‌ଡ୍ୟାମ୍‌ କିମ୍ବା ବ୍ୟାରେଜ୍‌ ନିର୍ମାଣ କରାଯାଇନି । ଫଳରେ ମୋଟ ୫୩ ପ୍ରତିଶତ ଜଳ ବିନାବାଧାରେ ସମୁଦ୍ରକୁ ଚାଲିଯାଉଛି । ହୀରାକୁଦ ନଦୀବନ୍ଧ ହେବାର ୬୦ବର୍ଷ ପରେ ମଧ୍ୟ ଏପର୍ଯ୍ୟନ୍ତ ମହାନଦୀ ଶଯ୍ୟାରେ ଗୋଟିଏ ହେଲେ ବି ଚେକ୍‌ଡ୍ୟାମ୍‌ କିମ୍ବା ବ୍ୟାରେଜ୍ ନିର୍ମାଣ କରାଯାଇନାହିଁ । ଏଭଳି ପରିସ୍ଥିତିରେ ମହାନଦୀ ସୁରକ୍ଷା ନାଁରେ କେବଳ ରାଜନୀତି କରିବା ଦୁର୍ଭାଗ୍ୟଜନକ ବୋଲି ଅନେକ ମତ ଦେଉଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.