ଜଳବନ୍ଦୀ ଟ୍ରେନ୍ ର ଭୟଙ୍କର ଦୃଶ୍ୟ : ଯାଇଥିଲେ ଟ୍ରେନ୍ରେ ,ହେଲେ ଫେରିଲେ ଡଙ୍ଗାରେ: ଚାରିଆଡ଼େ ଖାଲି ପାଣି ଆଉ ପାଣି …ଆଉ ମଝିରେ ମହାରାଷ୍ଟ୍ରର କଲ୍ୟାଣରୁ କୋହ୍ଲାପୁର ଯାଉଥିବା ମହାଲକ୍ଷ୍ମୀ ଏକ୍ସପ୍ରେସ୍
27/07/2019 at 7:58 PM

ମୁମ୍ବାଇ୨୭|୭: ଯାଇଥିଲେ ଟ୍ରେନ୍ରେ ।ହେଲେ ଫେରିଲେ ଡଙ୍ଗାରେ ।ତାହା ପୁଣି ଜୀବନ ମୃତ୍ୟୁର ଆଶା ଆଶଙ୍କା ଭିତରେ ।ଚାରିପଟେ ପାଣି ଆଉ, ମଝିରେ ଯାତ୍ରିବାହୀ ଟ୍ରେନ୍ ।ଓହ୍ଲାଇଲେ ବନ୍ୟା ପାଣିରେ ଭାସିଯିବାର ଭୟ ।ଆଉ ଟ୍ରେନ୍ ଭିତରେ ରହିଲେ କଣ ଯେ ହେବ କହିହେବ ନାହିଁ । ଏପରି କିଛି ପରିସ୍ଥିତିର ସାମ୍ନା କରିଛନ୍ତି ମୁମ୍ବାଇର କଲ୍ୟାଣରୁ କୋହ୍ଲାପୁରକୁ ଯାତ୍ରା କରୁଥିବା ମହାଲକ୍ଷ୍ମୀ ଏକ୍ପପ୍ରେସ୍ର ଯାତ୍ରୀ ।…

ଭୟଙ୍କର ଦୃଶ୍ୟ ।ଜଳବନ୍ଦୀ ଟ୍ରେନ୍ ।ଚାରିଆଡ଼େ ଖାଲି ପାଣି ଆଉ ପାଣି ।ଆଉ ମଝିରେ ମହାରାଷ୍ଟ୍ରର କଲ୍ୟାଣରୁ କୋହ୍ଲାପୁର ଯାଉଥିବା ମହାଲକ୍ଷ୍ମୀ ଏକ୍ସପ୍ରେସ୍ ।ଯେଉଁଥିରେ ଥିଲେ ପ୍ରାୟ ୭ଶହ ଯାତ୍ରୀ ।ଶନିବାର ସକାଳୁ ସକାଳୁ ମହାରାଷ୍ଟ୍ରରେ ଜଳବନ୍ଦୀ ଟ୍ରେନ୍ର ଏ ଦୃଶ୍ୟ ଦେଖି ସ୍ତବ୍ଧ ହୋଇଯାଇଥିଲା ସାରା ଦେଶ ।

ବଦ୍ଲାପୁର ଏବଂ ବାଙ୍ଗନୀ ଷ୍ଟେସନ ମଝିରେ ବନ୍ୟାରେ ଅଟକି ଯାଇଥିଲା ମହାଲକ୍ଷ୍ମୀ ଏକ୍ସପ୍ରେସ୍ ।ଏହି ଯାତ୍ରୀ କେମିତି ସୁରକ୍ଷିତ ଉଦ୍ଧାର ହେବେ ଏହା ଉପରେ ସମସ୍ତଙ୍କର ନଜର ଥିଲା । ସେମାନଙ୍କ ମଧ୍ୟରେ ଅନେକ ବୟସ୍କ ଓ ଶିଶୁଙ୍କ ସମେତ ୯ ଜଣ ଗର୍ଭବତୀ ମହିଳା ମଧ୍ୟ ଥିଲେ ।…

ମହାଲକ୍ଷ୍ମୀ ଏକ୍ସପ୍ରେସରଯାତ୍ରୀ ମାନଙ୍କୁ ଟ୍ରେନ୍ରୁ ନ ଓହ୍ଲାଇବା ପାଇଁ ରେଳବାଇ ପକ୍ଷରୁ ବାରମ୍ବାର ଘୋଷଣା କରାଯାଉଥାଏ ।କାରଣ କେହି ଯାତ୍ରୀ ଓହ୍ଲାଇବାକୁ ଚେଷ୍ଟା କଲେ କିଛି ବି ଅଘଟଣ ଘଟିପାରେ ।ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିଲେ ନେଭି, ଏୟାରଫୋର୍ସ, ଏନ୍ଡିଆର୍ଏଫ୍ ଓ ସ୍ଥାନୀୟ ପ୍ରଶାସନର ଟିମ୍ ।

ବାୟୁସେନାର ୨ଟି ହେଲିକପ୍ଟର ଆକାଶମାର୍ଗରୁ ଟ୍ରେନ୍ ଉପରେ ନଜର ରଖିଥାନ୍ତି ।ଉଦ୍ଧାରକାରୀ ଟିମ୍ ଟ୍ରେନ୍ ଭିତରେ ପହଞ୍ଚି ପ୍ରଥମେ ସେମାନଙ୍କୁ ଖାଦ୍ୟ ଯୋଗାଇଥିଲେ ।ଏହାପରେ ଆରମ୍ଭ ହୋଇଥିଲା ଉଦ୍ଧାର କାର୍ଯ୍ୟ ।ଟ୍ରେନ୍ରେ କଲ୍ୟାଣରୁ କୋହ୍ଲାପୁର ଯାଉଥିବା ଯାତ୍ରୀ ଫେରିଥିଲେ ଡଙ୍ଗାରେ ।ଉଦ୍ଧାରକାରୀ ବୋଟ୍ରେ ସେମାନଙ୍କୁ ଆଣି ସୁରକ୍ଷିତ ସ୍ଥାନରେ ଓହ୍ଲାଇଥିଲେ ।ଏଥିପାଇଁ ଲାଗିଯାଇଥିବା ବେଶ୍ କିଛି ଘଣ୍ଟା ।…

ଅଧା ବୁଡ଼ିଥିବା କୋଚ୍ ଗୁଡ଼ିକ ଭିତରୁ ଯାତ୍ରୀମାନଙ୍କୁ ବୋଟ୍ରେ ନିଆଯାଇ ଥିଲା ବଦଲାପୁର ଷ୍ଟେସନକୁ ।ପରେ ସେମାନଙ୍କୁ ସ୍ବତନ୍ତ୍ର ଟ୍ରେନ୍ରେ କୋହ୍ଲାପୁର ପଠାଯିବ । ମହାରାଷ୍ଟ୍ରରେ ଲଗାଣ ବର୍ଷା ଯୋଗୁଁ ପରିସ୍ଥିତି ସଙ୍ଗୀନ ହୋଇପଡ଼ିଥିବା ବେଳେ ମୁମ୍ବାଇରୁ ୨୪ଟି ଫ୍ଲାଇଟ୍ ବାତିଲ କରାଯାଇଛି ।ମୁମ୍ବାଇରେ ଗତ ୨୪ ଘଣ୍ଟା ମଧ୍ୟରେ ୧୮୦ ମିଲିମିଟର ବର୍ଷା ହୋଇଥିବା ବେଳେ ତଳିଆ ଅଞ୍ଚଳରେ ଅନେକ ଲୋକ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି ।ପାଣିପାଗ ବିଭାଗ ଆହୁରି ୨ ଦିନ ପ୍ରବଳ ବର୍ଷା ହେବା ନେଇ ୱାର୍ଣ୍ଣିଂ ଜାରି କରିଛି ।…