ମାଗନସ୍ କାର୍ଲସେନଙ୍କୁ ପୁଣି ଚେକ୍ ଦେଲେ ଆର୍ ପ୍ରଜ୍ଞାନନ୍ଦା, ୬ ମାସରେ ତିନିଥର ଦେଲେଣି ମାତ୍

Published By : Prameya-News7 Bureau | August 23, 2022 IST

ନୂଆଦିଲ୍ଲୀ, ୨୩|୦୮:  ଭାରତର ପ୍ରତିଭାବାନ ଗ୍ରାଣ୍ଡମାଷ୍ଟର ଆର୍‌ ପ୍ରଜ୍ଞାନନ୍ଦା ପୁଣିଥରେ ବିଶ୍ୱ ଚାମ୍ପିଅନ୍‌ ମାଗନସ୍‌ କାର୍ଲସେନ୍‌ଙ୍କୁ ପରାଜିତ କରିଛନ୍ତି । ଆମେରିକାରେ ଆୟୋଜିତ ଏଫ୍‌ଟିଏକ୍ସ କ୍ରିପ୍‌ଟୋ କପ୍‌ ଚେସ୍‌ ଟୁର୍ଣ୍ଣାମେଣ୍ଟର ଅନ୍ତିମ ଦିବସରେ ପ୍ରଜ୍ଞାନନ୍ଦା ବ୍ଲିଜ୍‌ ଟାଇବ୍ରେକ୍‌ରେ କାର୍ଲସେନ୍‌ଙ୍କୁ ହରାଇଥିଲେ । ଏହି ମ୍ୟାଚ୍‌ ୨-୨ରେ ଅମୀମାଂସିତ ରହିଥିଲା । ଟାଇବ୍ରେକ୍‌ରେ ପ୍ରଜ୍ଞାନନ୍ଦା ରୋମାଞ୍ଚକର ବିଜୟ ହାସଲ କରିଥିଲେ । ପରାଜୟ ସତ୍ତେ୍ୱ କାର୍ଲସେନ ମୋଟ ୧୬ ପଏଣ୍ଟ ସହ ଚାମ୍ପିଅନ୍‌ ହୋଇଥିବାବେଳେ ପ୍ରଜ୍ଞାନନ୍ଦା ମାତ୍ର ୧ ପଏଣ୍ଟ ପଛୁଆ ରହି ରନର୍ସ ଅପ୍‌ରେ ସନ୍ତୁଷ୍ଟ ହୋଇଥିଲେ ।

ପ୍ରଜ୍ଞାନନ୍ଦା ୬ମାସ ମଧ୍ୟରେ ତୃତୀୟ ଥର ବିଶ୍ୱର ଏକ ନମ୍ବର ଖେଳାଳି କାର୍ଲସେନ୍‌ଙ୍କୁ ହରାଇବାରେ ସଫଳ ହୋଇଛନ୍ତି । ସେ ଗତ ଫେବ୍ରୁଆରୀ ମାସରେ ଆୟୋଜିତ ଏୟାରଥିଙ୍ଗ୍‌ସ ମାଷ୍ଟର୍ସ ର‌୍ୟାପିଡ୍‌ ଅନ୍‌ଲାଇନ୍‌ ଚେସ୍‌ ଚାମ୍ପିଅନସିପ୍‌ରେ ପ୍ରଥମ ଥର କାର୍ଲସେନଙ୍କୁ ହରାଇଥିଲେ । ଏହାର ତିନି ମାସ ପରେ ଆୟୋଜିତ ଚେସେବଲ୍‌ ମାଷ୍ଟର୍ସ ଅନଲାଇନ୍‌ ର‌୍ୟାପିଡ୍‌ ଚେସ୍‌ ଟୁର୍ଣ୍ଣାମେଣ୍ଟରେ ମଧ୍ୟରେ କାର୍ଲସେନଙ୍କ ବିପକ୍ଷରେ ପ୍ରଜ୍ଞାନନ୍ଦା ରୋମାଞ୍ଚକର ବିଜୟ ହାସଲ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.