‘ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ହେବା ପରେ ଯାଦୁ ଆରମ୍ଭ, ୬୦୯ରୁ ବିଶ୍ଵର ଦ୍ଵିତୀୟ ଧନୀ ବ୍ୟକ୍ତି କେମିତି ହେଲେ ଆଦାନୀ’
7/02/2023 at 6:08 PM

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଙ୍ଗଳବାର ଆଦାନୀ ଗ୍ରୁପର ସେୟାରରେ ଜାଲିଆତି ପ୍ରସଙ୍ଗକୁ ନେଇ ବିଜେପି ସରକାର ଉପରେ ଖୁବ୍ ବର୍ଷିଛନ୍ତି। ଲୋକସଭାରେ ରାହୁଲ କହିଛନ୍ତି ଯେ, ଉଦ୍ୟୋଗପତି ଗୌତମ ଆଦାନୀଙ୍କୁ ଲାଭବାନ କରାଇବା ପାଇଁ ସରକାର ନିଜର ନିୟମ ବି ବଦଳାଇ ଦେଲେ। ଗୌତମ ଆଦାନୀ ୨୦୧୪ରେ ବିତ୍ତଶାଳୀ ତାଲିକାରେ ୬୦୯ତମ ସ୍ଥାନରେ ଥିଲେ। କିନ୍ତୁ ସେ ଦ୍ଵିତୀୟ ସ୍ଥାନକୁ କେମିତି ପହଞ୍ଚିଲେ। କଣ ମୋଦୀ ସରକାର ଯାଦୁ ଜାଣିଛନ୍ତି କି ? ଆଦାନୀଙ୍କ ଏୟାରରପୋର୍ଟ ବ୍ୟବସାୟ ଉପରେ ପ୍ରଶ୍ନ ଉଠାଇ ରାହୁଲ କହିଛନ୍ତି, ବିନା ଅଭିଜ୍ଞତା ଥିବା କମ୍ପାନିକୁ ଏହି କାମ ମିଳୁନଥିଲା, ମାତ୍ର ଆଦାନୀଙ୍କ କମ୍ପାନିକୁ ଏହି କାମ ସହଜରେ ମିଳି ଯାଉଛି। ୬ ଏୟାରପୋର୍ଟକୁ ତାଙ୍କୁ ହସ୍ତାନ୍ତର କରି ଦିଆଯାଇଛି।
ରାହୁଲ ଗାନ୍ଧୀ କହିଛନ୍ତି, ଡ୍ରୋନ ପ୍ରସ୍ତୁତ କରିବାର ଠିକା ବି ଆଦାନୀ ଗ୍ରୁପକୁ ମିଳିଗଲା। ବିଡମ୍ବନାର କଥା ଅଭିଜ୍ଞତା ନଥାଇ ବି ଇସ୍ରାଏଲ ଯିବା ପରେ ପ୍ରଧାନମନ୍ତ୍ରୀ ମୋଦୀ ଏହାର ଠିକା ଆଦାନୀଙ୍କୁ ଦେଇ ଦେଲେ। ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ହେବା ପରେ ଯାଦୁ ଆରମ୍ଭ ହୋଇଗଲା। ରାହୁଲ ଗାନ୍ଧୀଙ୍କ ଭାଷଣ ଉପରେ ଆଇନ ମନ୍ତ୍ରୀ କିରେନ ରିଜିଜୁ ଆପତ୍ତି ପ୍ରକାଶ କରିଛନ୍ତି। ସେ କହିଛନ୍ତି ଆପଣ ବିନା କୌଣସି ପ୍ରମାଣରେ ଏମିତି ମନଗଢା ଆରୋପ ଲଗାଉଛନ୍ତି। ଏହା ଉପରେ ରାହୁଲ କହିଛନ୍ତି, ଏହାର ପ୍ରମାଣ ବି ଦେଇଦେବୁ। ମୁଁ ଭାରତ ଯୋଡୋ ଯାତ୍ରା ସମୟରେ ବହୁତ କିଛି ଶିଖିଛି। ଏହି ପୂରା ଯାତ୍ରା ସମୟରେ ପ୍ରତ୍ୟେକ ସ୍ଥାନରେ କେବଳ ଆଦାନୀଙ୍କ ନାମ ଶୁଣିବାକୁ ପାଇଲି।
ରାହୁଲ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଷ୍ଟ୍ରେଲିଆ ଗସ୍ତରେ ଯାଇଥିଲେ। ଏହାର କିଛି ଦିନ ପରେ ଗୌତମ ଆଦାନୀଙ୍କୁ ଏକ ବିଲିୟନ ଡଲାରର ଲୋନ ମିଳିଗଲା। ବାଂଲାଦେଶ ଗସ୍ତ କରୁ କରୁ ସେଠାରୁ ବି ଇଲେକ୍ଟ୍ରିସିଟିର ଠିକା ଗୌତମ ଆଦାନୀଙ୍କୁ ମିଳିଗଲା। ଏମିତି ଘଟଣାର ପୁନରାବୃତ୍ତି ଶ୍ରୀଲଙ୍କାରେ ବି ଘଟିଲା। ଏପରିକି ଏଲଆଇସି ଏବଂ ସରକାରୀ ବ୍ୟାଙ୍କର ଅର୍ଥ ଗୌତମ ଆଦାନୀଙ୍କୁ ଦିଆଗଲା। ଏମିତି କରି ସରକାର ଗୌତମ ଆଦାନୀଙ୍କୁ ସାହାଯ୍ୟ କରୁଛନ୍ତି ବୋଲି କଂଗ୍ରେସ ନେତା କହିଛନ୍ତି।
ଏ ଖବର ପଢନ୍ତୁ- ପୁଣି ଉପରମୁହାଁ ହେଲା ଆଦାନୀ ଗ୍ରୁପ ସେୟାର, ବିଲେନିୟର ସୂଚୀର ୧୭ତମ ସ୍ଥାନକୁ ଉଠିଲେ ଗୌତମ ଆଦାନୀ
ରାହୁଲ କହିଛନ୍ତି ହିଣ୍ଡେନବର୍ଗ ରିପୋର୍ଟ ଦର୍ଶାଇଛି ଯେ, ଭାରତ ବାହାରେ ଆଦାନୀଙ୍କ ସେଲ୍ କମ୍ପାନି ରହିଛି। ଏହି କମ୍ପାନି ଜରିଆରେ ଭାରତକୁ ହଜାର ହଜାର କୋଟି ଟଙ୍କା ଆସୁଛି। କଣ ଏହି କାମ ଗୌତମ ଆଦାନୀ ବିନା ଶୁଳ୍କ ଦେଇ କରୁଛନ୍ତି।
କେବେ ଆଦାନୀଙ୍କ ବିମାନରେ ମୋଦୀ ଯାଉଥିଲେ, ଏବେ ପିଏମଙ୍କ ବିମାନାରେ ଆଦାନୀ
କଂଗ୍ରେସ ନେତା ଶାଣିତ ସ୍ଵରରେ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଗୌତମ ଆଦାନୀଙ୍କ ଯୁଗଳବନ୍ଦୀ କେବେ ସ୍ଥାନୀୟସ୍ତରରେ ଥିଲା। ପୁଣି ଜାତୀୟସ୍ତରର ପହଞ୍ଚିଥିଲା। ଆଉ ତାହା ଏବେ ବିଶ୍ଵସ୍ତରରେ ଯାଇ ପହଞ୍ଚିଛି। ଗୌତମ ଆଦାନୀଙ୍କ ବିମାନରେ କେବେ ମୋଦୀ ଯାତ୍ରା କରୁଥିଲେ। ଏବେ କିନ୍ତୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିମାନରେ ଆଦାନୀ ଯାଉଛନ୍ତି। ଆଦାନୀ ଗତ ବର୍ଷ ବିଜେପିକୁ କେତେ ଚାନ୍ଦା ଦେଇଛନ୍ତି। ଏହାର ଉତ୍ତର ବିଜେପିକୁ ଦେବା ଉଚିତ୍ ବୋଲି ରାହୁଲ କହିଛନ୍ତି।