ଦୋଷୀ ସାବ୍ୟସ୍ତ ହେବା ପରେ କୋର୍ଟ ରୁମରେ କାନ୍ଦିଲା ଆତିକ ଅହମଦ, ସାଙ୍ଗରେ କାନ୍ଦୁଥିଲା ଭାଇ ଅଶରଫ
28/03/2023 at 4:50 PM

ପ୍ରୟାଗରାଜ ୨୮।୩: ଉତ୍ତର ପ୍ରଦେଶରେ ମାଫିଆରୁ ରାଜନେତା ପାଲଟିଥିବା ଆତିକ ଅହମ୍ମଦ ମଙ୍ଗଳବାର ପ୍ରୟାଗରାଜସ୍ଥିତ ଏମପି-ଏମଏଲଏ କୋର୍ଟରେ ଦୋଷୀ ସାବ୍ୟସ୍ତ ହୋଇଛି। କୋର୍ଟ ଆତିକ ସମ୍ପର୍କରେ ରାୟ ଘୋଷଣା କରିବା କାଳରେ କୋର୍ଟ ରୁମରେ ସେ କାନ୍ଦୁଥିବାର ଦେଖାଯାଇଛି। କେତେକ ମିଡିଆ ରିପୋର୍ଟ ଅନୁସାରେ ଆତିକ କୋର୍ଟରେ ସେତେବେଳେ କାନ୍ଦିଲା ଯେତେବେଳେ ତା ଭାଇ ଅଶରଫକୁ ସେ କୋର୍ଟରେ ଭୋ ଭୋ ହୋଇ କାନ୍ଦୁଥିବାର ଦେଖିଲା।

ତେବେ ସବୁଠୁ ଯାହା ରୋଚକ କଥା ତାହା ହେଉଛି ଜଣେ ଯୁବକ କୋର୍ଟ ବାହାରେ ଆତିକକୁ ଜୋତା ଓ ଚପଲର ମାଳ ପିନ୍ଧାଇବାକୁ ଆସି ପହଞ୍ଚିଥିଲା। ବରୁଣ ନାମକ ଏହି ଯୁବକ ଯଦି ସେ ଚପଲ ମାଳ ଆତିକ୍କୁ ପିନ୍ଧାଇ ଦିଏ ତେବେ ପାଲ ସମାଜ ଏବଂ ଓକିଲ ସମୂଦାୟ ଖୁସି ହେବେ ବୋଲି ସେ ଗଣମାଧ୍ୟମ ସହ ଆଲୋଚନାରେ କହିଥିଲା। ସେ ତା ଅପରାଧରେ ଜଣେ ଓକିଲଙ୍କୁ ମଧ୍ୟ ହତ୍ୟା କରିଥିଲା। ସେପଟେ ସୁପ୍ରିମକୋର୍ଟ ଉମେଶ ପାଲ ହତ୍ୟାକାଣ୍ଡରେ ପୂର୍ବତନ ସାଂସଦ ତଥା ଗ୍ୟାଙ୍ଗଷ୍ଟର ଆତିକକୁ ୟୁପି ପୋଲିସ ହେପାଜତ କାଳରେ ସୁରକ୍ଷା ଦାବି ସମ୍ପର୍କିତ ପିଟିସନକୁ ଖାରଜ କରିଦେଇଛନ୍ତି।

ସୁପ୍ରିମକୋର୍ଟଙ୍କ ବିଚାରପତି ଜଷ୍ଟିସ୍ ଅଜୟ ରସ୍ତୋଗୀ ଓ ଜଷ୍ଟିସ୍ ବେଲ ଏମ. ତ୍ରିବେଦୀଙ୍କ ପୀଠ ଜୀବନ ପ୍ରତି ବିପଦ ନେଇ ଆତିକର ଆବେଦନ ଉପରେ ତାକୁ ଏଲହାବାଦ ହାଇକୋର୍ଟରେ ଆବେଦନ କରିବାକୁ ପରାମର୍ଶ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ ୟୁପି ପ୍ରୟାଗରାଜରେ ୨୦୦୫ ମସିହାରେ ବହୁଜନ ସମାଜପାର୍ଟି ବିଧାୟକ ରାଜୁ ପାଲ ହତ୍ୟାକାଣ୍ଡର ମୁଖ୍ୟ ଶାଖି ଉମେଶ ପାଲ ଓ ତାଙ୍କର ଦୁଇ ସୁରକ୍ଷା କର୍ମୀଙ୍କୁ ଫେବୃଆରୀ ୨୪ ତାରିଖ ଦିନ ସ୍ପଷ୍ଟ ଦିବାଲୋକରେ ବିଚ୍ ରାସ୍ତାରେ ଗୁଳି କରି ହତ୍ୟା କରାଯାଇଥିଲା।