NHରେ ବାହନର ବେଗ ସମ୍ପର୍କିତ କେନ୍ଦ୍ରର ଅଧିସୂଚନା ମାଡ୍ରାସ ହାଇକୋର୍ଟରେ ରଦ୍ଦ,ଏବେ ୪୦ରୁ ଅଧିକ ସ୍ପିଡ୍ ଦଣ୍ଡନୀୟ

Published By : Prameya-News7 Bureau | September 14, 2021 IST

ଚେନ୍ନାଇ ୧୪।୯: ଜାତୀୟ ରାଜମାର୍ଗରେ ବାହନର ବେଗ ନେଇ କେନ୍ଦ୍ର ସରକାରଙ୍କ ଅଧିସୂଚନାକୁ ମାଡ୍ରାସ ହାଇକୋର୍ଟ ମଙ୍ଗଳବାର ରଦ୍ଦ କରିଦେଇଛନ୍ତି। କେନ୍ଦ୍ର ସରକାରଙ୍କ ୬ ଏପ୍ରିଲ ୨୦୧୮ ଅଧିସୂଚନା ଜାରି କରି ଜାତୀୟ ରାଜମାର୍ଗରେ ବାହନଙ୍କ ଘଣ୍ଟାପ୍ରତି ସର୍ବାଧିକ ୧୨୦ କିମି ବେଗକୁ ଅନୁମତି ଦେଇଥିଲେ। ତେବେ ହାଇକୋର୍ଟଙ୍କ ବିଚାରପତି ଜଷ୍ଟିସ ଏନ.କିରୁବାକରଣ (ଅବସରପ୍ରାପ୍ତ) ଓ ଜଷ୍ଟିସ୍ ଟି.ଭି.ତମିଲସେଲଭିଙ୍କ ପୀଠ ଏହାକୁ ମଙ୍ଗଳବାର ରଦ୍ଦ କରିଦେଇଛନ୍ତି।

ପୀଠ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ରାଜମାର୍ଗରେ ବାହନଙ୍କ ଗତି ନେଇ ନୂଆ ଅଧିସୂଚନା ଜାରି କରିବାକୁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି। ଏକ ଅପିଲ ଉପରେ ଅନ୍ତରୀଣ ଆଦେଶ ଗୃହୀତ କରି ପୀଠ ଆବେଦନକର୍ତ୍ତାଙ୍କ କ୍ଷତିପୂରଣ ରାଶି ୧୮.୪୩ ଲକ୍ଷକୁ ୧.୫୦ କୋଟି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀ ୨୦୧୩ ମସିହାରେ କାଞ୍ଚିପୁରମଠାରେ ସଡକ ଦୁର୍ଘଟଣାରେ ୯୦ ପ୍ରତିଶତ ଅକ୍ଷମ ହୋଇଯାଇଛନ୍ତି। ଏ ନେଇ ମାମଲାର ଶୁଣାଣିରେ କୋର୍ଟ ଜାତୀୟ ରାଜମାର୍ଗରେ ବାହନର ବେଗ ନେଇ ୨୦୧୮ ଅଧିସୂଚନାର ପୁନର୍ବିଚାର ଲାଗି କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ବାହନର ବେଗ ନେଇ କୋର୍ଟ ସରକାରଙ୍କୁ ଗତ ଅଗଷ୍ଟ ମାସ ସୁଦ୍ଧା ଅନୁପାଳନ ରିପୋର୍ଟ ଦେବାକୁ ବି କହିଥିଲେ। ତେବେ କେନ୍ଦ୍ର କି ରାଜ୍ୟ ସରକାର ଏ ବାବଦରେ ଏପର୍ଯ୍ୟନ୍ତ  ଠୋସ ପଦକ୍ଷେପ ନେଇ ନଥିବାରୁ କୋର୍ଟ ପ୍ରସଙ୍ଗରେ କଡ଼ା ଆଭିମୁଖ୍ୟ ଅବଲମ୍ବନ କରିଛନ୍ତି। ଏଥିରେ  କେନ୍ଦ୍ର ସରକାରଙ୍କ ଅଧିସୂଚନାକୁ ରଦ୍ଦ କରିଦିଆଯାଇଛି।  ଫଳରେ ଜାତୀୟ ରାଜମାର୍ଗରେ ଅଧିକ ବେଗରେ ବାହନ ଚାଳନା ଏବେ ପୁଣି ଦଣ୍ଡନୀୟ ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.