ନୂଆଦିଲ୍ଲୀ: ଜଣେ ହିନ୍ଦୁ ପତ୍ନୀ ଓ ଅନ୍ୟ ଜଣେ ମୁସଲିମ୍। କିଏ କରିବ ମୃତ ସ୍ୱାମୀର ଅନ୍ତିମ ସତ୍କାର? ଏନେଇ ନିଷ୍ପତ୍ତି ଶୁଣାଇଛନ୍ତି ମାଡ୍ରାସ ହାଇକୋର୍ଟ। ହିନ୍ଦୁ ପତ୍ନୀଙ୍କୁ ତାଙ୍କ ସ୍ୱାମୀଙ୍କ ଅନ୍ତିମ ସଂସ୍କାର କରିବାକୁ ଅନୁମତି ଦେଇଛନ୍ତି ହାଇକୋର୍ଟ। ହେଲେ କାହିଁକି ଓ କେଉଁ ଆଧାରରେ କୋର୍ଟ କହିଲେ, ଆସନ୍ତୁ ଜାଣିବା...
ସ୍ୱାମୀ ଜଣେ ମୁସଲମାନ ମହିଳାଙ୍କ ସହ ଅନୈତିକ ସମ୍ପର୍କ ସ୍ଥାପନ କରିବା ପରେ ଇସଲାମ ଧର୍ମ ଗ୍ରହଣ କରିଥିଲେ, ଯାହା ପରେ ତାଙ୍କୁ ବିବାହ କରିଥିଲେ। ତାଙ୍କ ମୃତ୍ୟୁ ପରେ ତାଙ୍କ ଶରୀର ଉପରେ ଅଧିକାର ନେଇ ବିବାଦ ଉପୁଜିବା ପରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଶୁଣାଇଛନ୍ତି ଜଷ୍ଟିସ୍ ଜିଆର୍ ସ୍ୱାମୀନାଥନ୍।
ମୃତ ବ୍ୟକ୍ତିଙ୍କ ହିନ୍ଦୁ ପତ୍ନୀ ଏବଂ ମୁସଲମାନ ପୁଅ ମୃତଦେହକୁ ନେବା ପାଇଁ ବିବାଦ ଉପୁଜିବା ପରେ ଉଭୟେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ପତୀ ଭାବରେ ନିଜର ଅଧିକାର ଦାବି କରୁଥିବାବେଳେ ହିନ୍ଦୁ ପତ୍ନୀଙ୍କ ପରି ଅନ୍ତିମ ସଂସ୍କାର କରିବାର ଅଧିକାର ପାଇଁ ଯୁକ୍ତି କରିଥିଲେ। ସେହିପରି ମୁସଲିମ ପୁଅ ଯୁକ୍ତିରେ ଦର୍ଶାଇଥିଲେ ଯେ, ତାଙ୍କର ମୃତ୍ୟୁ ପୂର୍ବରୁ ଇସଲାମ ଧର୍ମ ଗ୍ରହଣ କରିଥିବାରୁ ସେ ଏବଂ ତାଙ୍କର ମା ଅନ୍ତିମ ସଂସ୍କାର କରିବା ଯଥାର୍ଥ।
କୋର୍ଟ କହିଛନ୍ତି ଯେ ଯଦିଓ ମୃତ ବ୍ୟକ୍ତି ମୃତ୍ୟୁ ପୂର୍ବରୁ ଇସଲାମ ଧର୍ମ ଗ୍ରହଣ କରିଥିଲେ, ଏଥିରେ କୌଣସି ବିବାଦ ନାହିଁ। କିନ୍ତୁ ଜଣେ ମୁସଲମାନ ମହିଳାଙ୍କ ସହ ତାଙ୍କର ବିବାହକୁ ଆଇନଗତ ମାନ୍ୟତା ଦିଆଯାଇପାରିବ ନାହିଁ।
କୋର୍ଟ କହିଛନ୍ତି ଯେ ମୃତ ବାଲାସୁବ୍ରମଣ୍ୟମ୍ ତାଙ୍କ ହିନ୍ଦୁ ପତ୍ନୀ ଶାନ୍ତିଙ୍କୁ ୧୯୮୮ରେ ବିବାହ କରିଥିଲେ। ସେହି ବିବାହରୁ ଏକ ଝିଅ ଜନ୍ମ ହୋଇଥିଲା। ଅବଶ୍ୟ, ପରେ ସେ ଜଣେ ସୟଦ ଅଲି ଫାତିମାଙ୍କ ସହ ଅନୈତିକ ସମ୍ପର୍କ ସ୍ଥାପନ କରି ଇସଲାମ ଧର୍ମ ଗ୍ରହଣ କରିଥିଲେ। ଏହା ପରେ ସେ ଅନୱାର ହୁସେନ୍ ପରିଚିତ ହୋଇଥିଲେ ଏବଂ ଇସଲାମିକ୍ ରୀତିନୀତି ଅନୁଯାୟୀ ୧୯୯୯ ରେ ଫାତିମାଙ୍କୁ ବିବାହ କରିଥିଲେ। ତାଙ୍କ ଔରସରୁ ଏକ ପୁତ୍ର ଜନ୍ମ ହୋଇଥିଲା।
ବାଲାସୁବ୍ରମଣ୍ୟମ୍ ତାମିଲନାଡୁ ସରକାରୀ ଗେଜେଟ୍ ମାଧ୍ୟମରେ ୨୦୧୭ରେ ସୂଚନା ଦେଇଥିଲେ ଯେ ସେ ଅନୱାର ହୁସେନ୍ ନାମରେ ୨୦୧୬ରେ ଇସଲାମ ଧର୍ମ ଗ୍ରହଣ କରିଥିଲେ। ପରବର୍ତ୍ତୀ ସମୟରେ ସେ ଶାନ୍ତିଙ୍କ ସହ ତାଙ୍କ ବିବାହ ବିଚ୍ଛେଦ ପାଇଁ ଫ୍ୟାମିଲି କୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ। ୨୦୨୧ ମସିହାରେ ପରିବାର କୋର୍ଟ ତାଙ୍କ ଆବେଦନକୁ ଗ୍ରହଣ କରିଥିଲେ। ତେବେ ଏହି ନିଷ୍ପତ୍ତିରେ ଶାନ୍ତି ପିଟିସନ୍ କରିଥିଲେ। ଅତିରିକ୍ତ ଜିଲ୍ଲା ଜଜ୍ ଫ୍ୟାମିଲି କୋର୍ଟର ଆଦେଶକୁ ପ୍ରତ୍ୟାହାର କରିଥିଲେ।