ପରିବାରକୁ ଭସ୍ମ କରିବାର ଧମକ ଦେଇ ଯୁବତୀଙ୍କୁ ଦୁଷ୍କର୍ମ କଲା ପ୍ରବଚକ
11/06/2019 at 3:57 PM

ମଥୁରା ୧୧/୬: ମଥୁରାର ବରସାନାରେ ରହୁଥିବା ଜଣେ ପ୍ରବଚକ ବିରୋଧରେ ମଧ୍ୟପ୍ରଦେଶର ଜଣେ ଯୁବତୀକୁ ଦୁଷ୍କର୍ମ କରିବା ମାମଲା ରୁଜୁ କରାଯାଇଛି। ଯୁବତୀଙ୍କ ଅଭିଯୋଗ ହେଉଛି ଏହା ଯେ ପ୍ରବଚକ ୯ମାସ ଯାଏଁ ତାଙ୍କୁ ଦୁଷ୍କର୍ମ କରୁଥିଲା। ବିରୋଧ କରିବାରୁ ତାଙ୍କ ପରିବାରକୁ ଭସ୍ମ କରିବାକୁ ଧମକ ଦେଉଥିଲା।
ଅଭିଯୁକ୍ତ ପ୍ରବଚକ ୧୦ବର୍ଷରୁ ବରସାନାରେ ନିଜ ଧର୍ମଭଉଣୀ ସହ ରହୁଥିଲା। ୨୦୧୮ ନଭେମ୍ବରରେ ପ୍ରବଚକ ମଧ୍ୟପ୍ରଦେଶର ସବଲଗଡ଼ରେ ଭାଗବତ କଥା କରିବାକୁ ଯାଇଥିଲା। ସେ ପୀଡ଼ିତା ଯୁବତୀଙ୍କ ଘରେ ଯାଇ ରହିଥିଲା। ସେହି ସମୟରେ ସେ ଯୁବତୀଙ୍କୁ ଦୁଷ୍କର୍ମ କରିଥିଲା।
ଯୁବତୀ ଜଣକ ଅଭିଯୋଗ କରିଛନ୍ତି ଯେ ସେ ଭଉଣୀଙ୍କ ସହ ପ୍ରବଚକକୁ ପାଣି ଦେବାକୁ ତା ରୁମକୁ ଯାଇଥିଲେ। ସେ ତାଙ୍କ ଭଉଣୀକୁ କୈାଣସି କାମ ବାହାନାରେ ବାହାରେ ଯିବାକୁ କହିଥିଲା। ଭଉଣୀ ଚାଲି ଯିବାରୁ ପ୍ରବଚକ ତାଙ୍କୁ ଦୁଷ୍କର୍ମ କରିଥିଲା।
ପ୍ରବଚକ ତାଙ୍କୁ ଧମକ ଦେଇଥିଲା ଯେ ଯଦି ସେ ଏହି ଘଟଣା ବିଷୟରେ ପରିବାର ଲୋକଙ୍କୁ କହିବେ ତେବେ ପୂରା ପରିବାରକୁ ସେ ମନ୍ତ୍ରରେ ଭସ୍ମ କରିଦେବେ। ଏହାପରେ ସାଧୁ ପୀଡ଼ିତା ଘରକୁ ଯାଇ ତାଙ୍କୁ ଦୁଷ୍କର୍ମ କରୁଥିଲା। ପୀଡ଼ିତା ଏବଂ ତାଙ୍କ ମାଆ ପ୍ରବଚକ ବିରୋଧରେ ମାମଲା ରୁଜୁ କରିଛନ୍ତି।
ଅପରପକ୍ଷେ ଅଭିଯୁକ୍ତ ପ୍ରବଚକ ମୁରାରୀ ଦାସ ଯୁବତୀଙ୍କର ଅଭିଯୋଗକୁ ମିଥ୍ୟା ବୋଲି କହିଛନ୍ତି। ପ୍ରବଚକର କହିବାନୁସାରେ ସେ ନିୟମିତ ତାଙ୍କ ଘରକୁ ପୂଜାର୍ଚ୍ଚନା କରିବାକୁ ଯାଆନ୍ତି। ତାଙ୍କ ବିରୋଧରେ ଯୁବତୀଙ୍କୁ କେହି ଉସୁକାଇଥିବା ସେ କହିଛି। ତା’ର ଏହି ଘଟଣାରେ କୈାଣସି ସମ୍ପୃକ୍ତି ନଥିବା କଥା ସେ କହିଛି।