'ଈଶ୍ୱରଙ୍କ ବରଦାନ’ ଯୌନସୁଖ, ମୁଁ ୬୬୬ ଦିନ ହେଲା ପାଇନି ; ମୋତେ ଏବେ ୧୦ ହଜାର କୋଟି ଦିଅ...

Published By : Prameya-News7 Bureau | January 05, 2023 IST

ଭୋପାଳ ୦୫।୦୧ : ବିନା ଦୋଷରେ ଜେଲ୍‌ରେ ରହିଲି , ୬୬୬ ଦିନ ଯୌନସୁଖରୁ ବଞ୍ଚିତ ହୋଇଛି । ତେଣୁ ମୋତେ କ୍ଷତିପୂରଣ ବାବଦକୁ ୧୦ ହଜାର କୋଟି ଟଙ୍କା ଦିଅ । ଯୌନସୁଖକୁ ‘ଈଶ୍ୱରଙ୍କ ବରଦାନ’ ଦର୍ଶାଇ ଏହାର କ୍ଷତିଭରଣା ପାଇଁ ସେ ରାଜ୍ୟ ସରକାରଙ୍କ ନିକଟରେ ଦାବି କରିଛନ୍ତି । ମଧ୍ୟପ୍ରଦେଶ ରତ୍‌ଲାମ ସହରରୁ ଆସିଛି ଏପରି ଏକ ଅଜବ ଘଟଣା ।

ଖବର ଅନୁଯାୟୀ, ୩୫ ବର୍ଷୀୟ କାନ୍ତୁ ଓରଫ କାନ୍ତିଲାଭ ଭିଲ୍‌ ୧୦୧୮ରେ ଏକ ଗଣଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ରହିଥିଲେ । ପୋଲିସ ତାଙ୍କୁ ଗିରଫ କରି ୨ ବର୍ଷରୁ ଅଧିକ ସମୟ ଜେଲ୍‌ରେ ରଖିଥିଲେ । ହେଲେ ଗତ ଅକ୍ଟୋବର ୧୦ରେ ସ୍ଥାନୀୟ ସେସନ୍ସ କୋର୍ଟରୁ ସେ ନିର୍ଦ୍ଦୋଷ ସାବ୍ୟସ୍ତ ହୋଇଥିଲା । ଜେଲ୍‌ରୁ ବାହାରିବା ପରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି କାନ୍ତୁ । ସେ କହିଛନ୍ତି ଯେ, ମିଥ୍ୟା ମାମଲାରେ ତାଙ୍କ ଫଶାଇବା ଲାଗି ଉଭୟ ଶାରୀରିକ ଓ ମାନସିକ ଯନ୍ତ୍ରଣା ଭୋଗିଛନ୍ତି । ସ୍ତ୍ରୀ , ପିଲା ଓ ପରିବାରଠୁ ୨ ବର୍ଷ ହେଲା ଦୂରରେ ରହିଛନ୍ତି । ପରିବାର ଲୋକେ ଅନେକ ଯନ୍ତ୍ରଣା ଭୋଗିଛନ୍ତି । ଘରେ ଆଉ କେହି ରୋଜଗାରିଆ ବ୍ୟକ୍ତି ନ ଥିବାରୁ ପରିବାରର ୬ ସଦସ୍ୟ ଖାଦ୍ୟ, ପୋଷାକ ଭଳି ମୌଳିକ ସୁବିଧା ପାଇପାରି ନାହାନ୍ତି ।

ସେ ନିଜ ଯୁକ୍ତିରେ ଆହୁରି କହିଛନ୍ତି ଯେ, ତାଙ୍କ ଓକିଲ ମାଗଣାରେ ମାମଲା ଲଢ଼ିଛନ୍ତି । ଏବେ ସେ ଓକିଲଙ୍କୁ ତାଙ୍କ ପାଉଣା ଦେବାକୁ ଚାହୁଁଛନ୍ତି। ଏହାବାଦ୍‌ ବେପାରରେ କ୍ଷତି, ସମ୍ମାନ ହାନି, ଶାରୀରିକ ଓ ମାନସିକ ଯନ୍ତ୍ରଣା, ପରିବାରରେ ନାନା ପ୍ରକାର ଅସୁବିଧା, ପିଲାଙ୍କ ଶିକ୍ଷା ଓ କ୍ୟାରିୟର ଗଠନରେ ବାଧା ଲାଗି ୬ କୋଟି ଟଙ୍କା କ୍ଷତିପୂରଣ ଦେବାକୁ ସେ କହିଛନ୍ତି ।

ସବୁଠୁ ବଡ଼ କଥା ହେଉଛି ଜେଲରେ ୬୬୬ ଦିନ ରହିବା କାରଣରୁ ସେ ପତ୍ନୀଙ୍କଠାରୁ ଦୂରରେ ରହିଥିଲେ । ଏହାଯୋଗୁ ‘ଈଶ୍ୱରଙ୍କ ବରଦାନ’ ଯୌନସୁଖ ପାଇବାରୁ ସେ ବଞ୍ଚିତ ହୋଇଥିଲେ । ଏଥିପାଇଁ ୧୦ ହଜାର କୋଟି ଟଙ୍କା କ୍ଷତିପୂରଣ ଦିଆଯିବା ଉଚିତ ବୋଲି ସେ ଯୁକ୍ତି ବାଢ଼ିଛନ୍ତି । ସବୁକୁ ମିଶାଇ କାନ୍ତୁ ମୋଟ ୧୦,୦୦୬ କୋଟି ଟଙ୍କା କ୍ଷତିପୂରଣ ପାଇବା ଲାଗି ଜିଲ୍ଲା ଅଦାଲତଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଆସନ୍ତା ୧୦ ତାରିଖରେ ମାମଲାର ଶୁଣାଣି ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.