ଆସିରଗଡ଼ରେ ବୀର ସୁରେନ୍ଦ୍ର ସାଏଙ୍କ ପୂର୍ଣ୍ଣାଙ୍ଗ ପ୍ରତିମୂର୍ତ୍ତି ସହ ସ୍ମାରକୀ ସ୍ଥାପନା ପାଇଁ ପଦକ୍ଷେପ ନେବାକୁ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି

Published By : Prameya-News7 Bureau | January 29, 2024 IST

ଭୁବନେଶ୍ୱର ୨୯।୧: ମଧ୍ୟପ୍ରଦେଶର ବୁରହାନପୁର ଜିଲ୍ଲାର ଆସିରଗଡ ଦୁର୍ଗରେ ଦେଶର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ପୂର୍ଣ୍ଣାଙ୍ଗ ପ୍ରତିମୂର୍ତ୍ତି ସହ ସ୍ମାରକୀ ସ୍ଥାପନା ପାଇଁ ବିଶେଷଜ୍ଞଙ୍କ ପରାମର୍ଶ ନିଆଯିବ । ଏହାପରେ ସୁଚିନ୍ତିତ ଯୋଜନା ପ୍ରସ୍ତୁତ କରି ପଦକ୍ଷେପ ନିଆଯିବ ବୋଲି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଡା. ମୋହନ ଯାଦବ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅନୁରୋଧ ପରେ ତ୍ୱରିତ ପ୍ରତିକ୍ରିୟା ସ୍ୱରୂପ ଚିଠିର ପ୍ରତ୍ୟୁତ୍ତରରେ କହିଛନ୍ତି ।   

ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ସ୍ୱାଧୀନତାର ଅମୃତ କାଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କଳ୍ପନା ଏବଂ ଓଡ଼ିଶାର ମହାନ ସ୍ୱାଧୀନତା ସଂଗ୍ରାମୀ, ଜନନାୟକ ବୀର ସୁରେନ୍ଦ୍ର ସାଏଙ୍କ ସ୍ମାରକୀ ଓ ପୂର୍ଣ୍ଣାଙ୍ଗ ପ୍ରତିମୂର୍ତ୍ତି ନିର୍ମାଣ କରିବା ପାଇଁ ବିଶେଷଜ୍ଞଙ୍କ ପରାମର୍ଶ ପ୍ରାପ୍ତ ହେବା ପରେ ସୁଚିନ୍ତିତ ଯୋଜନା କରାଯିବ । ଦେଶ ମାତୃକା ପାଇଁ ବଳିଦାନ ଦେଇଥିବା ମହାନ  କ୍ରାନ୍ତିକାରୀ ବୀର ସୁରେନ୍ଦ୍ର ସାଏଙ୍କ ପ୍ରତି ମଧ୍ୟପ୍ରଦେଶର ଜନସାଧାରଣଙ୍କ ଉଚିତ୍ ଶ୍ରଦ୍ଧାଞ୍ଜଳି ହେବ ।

 ଚଳିତ ଜାନୁଆରୀ ୧୮ ତାରିଖରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ଏନେଇ ପତ୍ର ଲେଖିବା ସହ ଏହି କାର୍ଯ୍ୟରେ ବ୍ୟକ୍ତିଗତ ସ୍ତରରେ ହସ୍ତକ୍ଷେପ କରିବାକୁ କହିଥିଲେ । ସେ ଚିଠିରେ ଉଲ୍ଲେଖ କରିଥିଲେ ଯେ, ବ୍ରିଟିଶ ଶାସନ ବିରୋଧରେ ସମ୍ବଲପୁର ବିଦ୍ରୋହର ନେତୃତ୍ୱ ନେଇଥିବା ବୀର ସୁରେନ୍ଦ୍ର ସାଏ ଏବଂ ଅନେକ ସଂଗ୍ରାମୀମାନଙ୍କର ଆସିରଗଡ ଦୁର୍ଗ ସହ ଗଭୀର ସମ୍ପର୍କ ରହିଛି । ୧୮୫୭ ମସିହା ବିଦ୍ରୋହରେ ବୀର ସୁରେନ୍ଦ୍ର ସାଏ ଓ ତାଙ୍କ ସହଯୋଗୀମାନେ ଦେଶକୁ ସ୍ୱାଧୀନତା ଦେବା ପାଇଁ ଜାତୀୟ ଆନ୍ଦୋଳନରେ ଭାଗ ନେଇ ଇଂରେଜମାନଙ୍କ ସହ ବୀରତ୍ୱର ସହ ଲଢ଼ି ବଳିଦାନ ଦେଇଥିଲେ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ଇତିହାସ ପୃଷ୍ଠାରେ ଅନାଲୋଚିତ ଏହିଭଳି ଜନଜାତି ସଂଗ୍ରାମୀଙ୍କ ବୀରଗାଥା ଓ ସାହସକୁ ସମ୍ମାନ ଏବଂ ଶ୍ରଦ୍ଧାଞ୍ଜଳି ଦେବା ଦିଗରେ ବିଶେଷ ପ୍ରାଧାନ୍ୟ ଦେଉଛନ୍ତି । ବୀର ସୁରେନ୍ଦ୍ର ସାଏ ଆସିରଗଡ ଦୁର୍ଗରେ ଶେଷ ଜୀବନ କାଟିଥିଲେ । ଏହାକୁ ବିଶେଷ ଧ୍ୟାନରେ ରଖି ଆସିରଗଡ ଦୁର୍ଗରେ ସୁରେନ୍ଦ୍ର ସାଏଙ୍କ ବୀରତ୍ୱକୁ ପ୍ରତିଫଳିତ କରୁଥିବା ପୂର୍ଣ୍ଣାଙ୍ଗ ପ୍ରତିମୂର୍ତ୍ତି ସହ ତାଙ୍କର ସହଯୋଗୀମାନଙ୍କ ସ୍ମୃତିରେ ଏକ ସ୍ମାରକୀ ନିର୍ମାଣ କରିବା ପାଇଁ ଓଡ଼ିଶାବାସୀଙ୍କ ତରଫରୁ କେନ୍ଦ୍ରମନ୍ତ୍ରୀ ଅନୁରୋଧ କରିଥିଲେ । ତେବେ ପ୍ରାରମ୍ଭିକ ପଦକ୍ଷେପ ନେବା ପାଇଁ ଆଗ୍ରହ ପ୍ରକାଶ କରିଥିବାରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ।

You Can Read :

wp:embed {"url":"https://www.prameyanews7.com/bear-died-in-accident-at-bhuban/","type":"wp-embed","providerNameSlug":"prameya-news-7"}
https://www.prameyanews7.com/bear-died-in-accident-at-bhuban/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.