ବିଧାନସଭା ନିର୍ବାଚନ: ମଧ୍ୟ ପ୍ରଦେଶରେ ୭୧ ଓ ଛତିଶଗଡ଼ରେ ୬୮ ପ୍ରତିଶତରୁ ଅଧିକ ମତଦାନ, ଜଣେ ଯବାନ ସହିଦ
17/11/2023 at 8:32 PM

ନୂଆଦିଲ୍ଲୀ: ମଧ୍ୟ ପ୍ରଦେଶ ଓ ଛତିଶଗଡ଼ରେ ବିଧାନସଭା ନିର୍ବାଚନ ପାଇଁ ଶୁକ୍ରବାର ସଂଧ୍ୟା ଛଅଟାରେ ମତଦାନ ଶେଷ ହୋଇଛି । ଜଣେ ନିର୍ବାଚନ ଅଧିକାରୀ କହିଛନ୍ତି ଯେ ମଧ୍ୟ ପ୍ରଦେଶରେ ମତଦାନ ୭୧.୬ ପ୍ରତିଶତ ହୋଇଛି । ଅନ୍ୟପଟେ ଛତିଶଗଡ଼ରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନରେ ୭୦ ଆସନରେ ସଂଧ୍ୟା ୫ଟା ସୁଦ୍ଧା ୬୮.୧୫ ପ୍ରତିଶତ ମତଦାନ ରେକର୍ଡ କରାଯାଇଛି । ଛତିଶଗଡ଼ରେ ହିଂସାର ଏକ ବଡ଼ ଘଟଣା ସାମନାକୁ ଆସିଛି । ନକ୍ସଲ ଆକ୍ରମଣରେ ଜଣେ ଆଇଟିବିପି ଯବାନ ସହିଦ ହୋଇଛନ୍ତି । ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଶେଷ କରି ସୁରକ୍ଷାକର୍ମୀ ଫେରିବା ବେଳେ ନକ୍ସଲଙ୍କ ଦ୍ୱାରା ଏହି ଆଇଇଡି ବିସ୍ଫୋରଣ କରାଯାଇଥିଲା ।
ପଢନ୍ତୁ: ମଧ୍ୟ ପ୍ରଦେଶରେ ଭୋଟିଂ ବେଳେ ହିଂସା; ଜଣେ କର୍ପୋରେଟର ମୃତ, ଅନେକ ଆହତ
ଦୁଇ ରାଜ୍ୟରେ ମତଦାନ ଶେଷ ହେବା ପରେ ପ୍ରାର୍ଥୀଙ୍କ ଭାଗ୍ୟ ଏବେ ଇଭିଏମରେ ସିଲ୍ ହୋଇଛି । ତେବେ ମୋଟ ମତଦାନ ପ୍ରତିଶତ ଡାଟା ରାତି ସୁଦ୍ଧ ସ୍ପଷ୍ଟ ହେବ । ଫଳରେ ମତଦାନ ପ୍ରତିଶତ ଆହୁରି ଅଧିକ ହୋଇପାରେ । ଛତିଶଗଡ଼ରେ ଗତ ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ୭୨ ଆସନରେ ୭୬.୬୨ ପ୍ରତିଶତ ମତଦାନ ହୋଇଥିଲା ।
ଛଶିତଗଡ଼ରେ ଦ୍ୱିତୀୟ ପର୍ଯ୍ୟାୟରେ ୮୨୭ ଜଣ ପୁରୁଷ, ୧୩୦ ଜଣ ମହିଳା ଓ ଅନ୍ୟ ଜଣେ (ଥାର୍ଡ ଜେଣ୍ଡର)ଙ୍କ ସମେତ ମୋଟ ୯୫୮ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ୍ ହୋଇଛି । ସେହିପରି ମଧ୍ୟ ପ୍ରଦେଶରେ ବିଧାନସଭା ନିର୍ବାଚନରେ ୨୨୮୦ ପୁରୁଷ, ୨୫୨ ମହିଳା ଓ ଜଣେ ଅନ୍ୟ (ଥାର୍ଡ ଜେଣ୍ଡର)ଙ୍କ ସମେତ ମୋଟ ୨୫୩୩ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ୍ ହୋଇଛି ।
Also Read: ଭୋଟିଂ ସାରି ଫେରୁଥିବା ପୋଲିଂ ପାର୍ଟିକୁ ନକ୍ସଲଙ୍କ ଟାର୍ଗେଟ୍, IED ବିସ୍ଫୋରଣରେ ଜଣେ ଜବାନ ଶହିଦ