ମଧ୍ୟପ୍ରଦେଶ ବିଜେପିରେ ବିଦ୍ରୋହର ସ୍ୱର, ମଜା ନେବାକୁ ଅନାଇ ବସିଛି କଂଗ୍ରେସ

Published By : Prameya-News7 Bureau | March 21, 2020 IST

ଭୋପାଳ, ୨୧|୦୩:   ମଧ୍ୟପ୍ରଦେଶ ରାଜନୀତି ଏବେ ସରଗରମ ରହିଛି। କଂଗ୍ରେସ ନେତା ଜ୍ୟେତିରାଦିତ୍ୟ ସିନ୍ଧିଆ ଦଳ ଛାଡି ବିଜେପିରେ ଯୋଗ ଦେବା ପରେ କଂଗ୍ରେସକୁ ଝଟକା ଲାଗିଥିଲା। ସିନ୍ଧିଆଙ୍କ ସମର୍ଥନରେ ୨୧ଜଣ କଂଗ୍ରେସ ବିଧାୟକ ମଧ୍ୟ ଇସ୍ତଫା ଦେଇଥିଲେ। ଏପରିକି ମୁଖ୍ୟମନ୍ତ୍ରୀ କମଲ ନାଥ ଆସ୍ଥା ଭୋଟ ପୂର୍ବରୁ ଇସ୍ତଫା ଦେଇ ସାରିଛନ୍ତି। ଯାହାକୁ ନେଇ ବିଜେପି କର୍ମୀ ନେତା ଖୁସି ମନାଉଛନ୍ତି। ତେବେ ବିଜେପିର ଏହି ଖୁସି ବେଶୀ ଦିନ ନୁହେଁ ବୋଲି ଶୁଣିବାକୁ ମିଳୁଛି।

ବିଜେପି ସିନ୍ଧିଆଙ୍କୁ ରାଜ୍ୟସଭାକୁ ପଠାଇଛି। ତେବେ ରାଜ୍ୟ ବିଜେପିରେ କନ୍ଦଳ ସୃଷ୍ଟି ହେବା ଆରମ୍ଭ ହୋଇଯାଇଛି। ଶନିବାର ଇସ୍ତଫା ଦେଇଥିବା ସମସ୍ତ କଂଗ୍ରେସ ବିଧାୟକ ପଦ୍ମ ଧରିଛନ୍ତି। ତେବେ ସେମାନଙ୍କ ଇସ୍ତଫା ପରେ କିଛି ନୂଆ ଅଡୁଆ ସୃଷ୍ଟି ହେବାକୁ ଯାଉଛି। କାରଣ ସିନ୍ଧିଆ ତାଙ୍କ ସମର୍ଥକ ବିଧାୟକଙ୍କ ପାଇଁ ଉପ ମୁଖ୍ୟମନ୍ତ୍ରୀ ପଦ ମାଗିଛନ୍ତି। ଯାହାକୁ ନେଇ ରାଜ୍ୟର କିଛି ନେତା ଖୁସି ନାହାଁନ୍ତି।

ସେହିପରି ଇସ୍ତଫା ଦେଇଥିବା କଂଗ୍ରେସ ବିଧାୟକମାନେ ମନ୍ତ୍ରୀ ପଦ ଲୋଭରେ ରହିଛନ୍ତି। ସେମାନେ ଇସ୍ତଫା ଦେବା ପରେ ସେମାନଙ୍କ ନିର୍ବାଚନମଣ୍ଡଳୀରେ ୬ ମାସ ମଧ୍ୟରେ ଉପ ନିର୍ବାଚନ ହେବ। ପୂର୍ବରୁ ଏହି ସବୁ ଆସନରେ ବିଜେପି ପ୍ରାର୍ଥୀ ଦେଇଥିଲା। ଏବେ ଦଳ ସେହି ପୁରୁଣା ପ୍ରାର୍ଥୀଙ୍କୁ ଦୋହରାଇବ ନା କଂଗ୍ରେସ ଛାଡିଥିବା ବିଧାୟକଙ୍କୁ ଟିକେଟ ଦେବ ସେ ଅଡୁଆ ଛିଡୁନି। ଯଦି ଦଳ କଂଗ୍ରେସ ଛାଡିଥିବା ବିଧାୟକଙ୍କୁ ଟିକେଟ ଦିଏ ତେବେ ପୂର୍ବରୁ ଛିଡା ହୋଇଥିବା  ପ୍ରାର୍ଥୀମାନେ ବିଦ୍ରୋହ କରିବେ। ସେମାନେ ସ୍ୱାଧୀନ ଭାବେ ଲଡିବେ ବୋଲି ଆଶଙ୍କା କରାଯାଉଛି। ଯଦି ଏପରି ହୁଏ ଦଳୀୟ ପ୍ରାର୍ଥୀଙ୍କ ବିଜୟ ରାସ୍ତାରେ କଣ୍ଟା ସାଜିବେ।

ଏହି ସବୁକୁ ନେଇ କଂଗ୍ରେସ କିନ୍ତୁ ଖୁସ ଅଛି। ଦଳ ବିଜେପିର ଗୋଳିଆ ପାଣିରୁ ମଜା ନେବାକୁ ଚାହୁଁଛି। ଜଣେ କଂଗ୍ରେସ ନେତା ମଧ୍ୟ ଅଗଷ୍ଟ ୧୫ରେ କମଲନାଥ ପତାକା ଉତ୍ତୋଳନ କରିବେ ବୋଲି କହିସାରିଛନ୍ତି। ତେବେ ଦେଖିବାକୁ ବାକି ରହିଲା ମଧ୍ୟପ୍ରଦେଶ ପାଣିପାଗ କେଉଁ ଆଡକୁ ଯାଉଛି। ବିଜେପି କିପରି କ୍ରାଏସିସ୍ ମ୍ୟାନେଜମେଣ୍ଟ୍ କରୁଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.