ଡିମ୍ପଲଙ୍କ ରାସ୍ତାରେ ମାଧବୀ, ୨୪ ବର୍ଷର ପୁଅକୁ ଧରି ସ୍ୱାମୀ ଘର ସାମ୍ନାରେ ସ୍ତ୍ରୀର ଧାରଣା

Published By : Prameya-News7 Bureau | December 20, 2021 IST

ଢେଙ୍କାନାଳ ୨୦|୧୦: ଅନ୍ୟାୟ ପାଇଁ ସ୍ବାମୀଙ୍କ ଘର ଆଗରେ ଧାରଣାରେ ବସିଲେ ମହିଳା । ବ୍ରହ୍ମପୁରର ବହୁ ଚର୍ଚ୍ଚିତ ତପସ୍ୱିନୀ ମାମଲା  ପରେ ଏବେ ଢେଙ୍କାନାଳ ଜିଲ୍ଲା ଲକ୍ଷ୍ମୀ ବଜାର ସ୍ଥିତ ମଲ୍ଲସାହି ନିକଟରେ ଦେଖିବାକୁ ମିଳିଛି ସମାନ ଘଟଣା । ୨୪ ବର୍ଷର ପୁଅକୁ ଧରି ସ୍ବାମୀଙ୍କ ଘର ଆଗରେ ଧାରଣାରେ ବସିଛନ୍ତି ସ୍ତ୍ରୀ ମାଧବୀ ସାହୁ ।

ଖବର ଅନୁଯାୟୀ, ୧୯୯୫ ମସିହାରେ ମଲ୍ଲସାହିର ସ୍ବର୍ଗତ ମଧୁସୂଦନ ସାହୁଙ୍କ ବଡ଼ପୁଅ ମହିନ୍ଦ୍ର ସାହୁଙ୍କୁ ବିବାହ କରିଥିଲେ ମାଧବୀ । ବିବାହର ଦୁଇବର୍ଷ ପରେ ସ୍ୱାମୀ ମହିନ୍ଦ୍ର ତାଙ୍କୁ ନିର୍ଯାତନା ଦେଇ ଘରୁ ତଡି ଦେଇଥିବା ଅଭିଯୋଗ ହୋଇଥିଲା । ପରେ ସ୍ଥାନୀୟ ବାସିନ୍ଦାଙ୍କ ହସ୍ତକ୍ଷେପ ପରେ ସ୍ୱାମୀଙ୍କ ଅନୁପସ୍ଥିତିରେ ଶ୍ବଶୁର ଘରେ ରହିଥିଲେ । ମାଧବୀଙ୍କୁ ତାଙ୍କ ନଣନ୍ଦ, ଦିଅର ଓ ଶ୍ବଶୁର ଉଭୟ ଶାରୀରିକ ଓ ମାନସିକ ନିର୍ଯାତନା ଦେଇଥିବା ସେ ପ୍ରକାଶ କରିଛନ୍ତି । ଯାହାଫଳରେ ବାଧ୍ୟ ହୋଇ ସେ ବଲାଙ୍ଗୀର ଜିଲ୍ଲାରେ ଥିବା ନିଜ ବାପଘରକୁ ପଳାଇଥିଲେ ।

wp:html /wp:html

ବଲାଙ୍ଗିରରେ ରହୁଥିବାବେଳେ ମହିନ୍ଦ୍ର ତାଙ୍କ ସହ ଫୋନରେ ଯୋଗାଯୋଗ ରଖିଥିଲେ ବୋଲି ମାଧବୀ କହିଛନ୍ତି । ପୁଣି ତାଙ୍କୁ ଘରକୁ ଆଣିବେ ବୋଲି ମଧ୍ୟ ପ୍ରତିଶୃତି ଦେଇଥିଲେ ମହିନ୍ଦ୍ର । ହେଲେ ଏଥିରେ ବିଳମ୍ବ ହେବାରୁ ମାଧବୀ  ନିଜ ପୁଅ ପ୍ରଦୀପଙ୍କ ସହ ଢେଙ୍କାନାଳ ସହରରେ ଥିବା ନିଜ ସ୍ୱାମୀଙ୍କ ଘର ଆଗରେ ଧାରଣାରେ ବସିଥିଲେ । ନିଜର ହକ୍‌ ପାଇଁ କରିଥିଲେ ଦାବି । ମହିନ୍ଦ୍ର ତାଙ୍କୁ ଘରେ ପୁରାଇ ଦେଇନଥିବା ସେ କହିଛନ୍ତି ।

ସେପଟେ ଟାଉନ ଥାନା ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା । ଏହାପରେ ମାଧବୀଙ୍କୁ ଏକ ଲିଖିତ ଅଭିଯୋଗ ଦେବା ପରେ ପଦକ୍ଷେପ ନିଆଯିବ ବୋଲି ପ୍ରତିଶୃତି ଦେବା ସହ ଧାରଣାରୁ ଉଠିବାକୁ କହିଥିଲେ । ତେବେ ତାଜା ସୂଚନା ଅନୁସାରେ ମାଧବୀଙ୍କ ଅଭିଯୋଗକୁ ଭିତ୍ତିକରି ଟାଉନଥାନାରେ ୫୩୪|୨୧ରେ ଏକ ମାମଲା ରୁଜ୍ଜୁ ହେବା ସହ ସ୍ଵାମୀ ମହିନ୍ଦ୍ରଙ୍କୁ ପୁଲିସ ଅଟକ ରଖି ପଚରାଉଚୁରା ଜାରି ରଖିଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.