ନୂଆଦିଲ୍ଲୀ: ପରିବାରରେ ରାଜନୀତି ପଶିବା କଥା ନୁହେଁ। ଏକଥାକୁ ସ୍ୱୀକାର କରିଛନ୍ତି ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର। ଭଉଣୀ ବିରୋଧରେ ପତ୍ନୀଙ୍କୁ ଛିଡ଼ା କରିବା ମୋର ଭୁଲ୍ ଥିଲା ବୋଲି କହିଛନ୍ତି ଏନ୍ସିପ ମୁଖ୍ୟ। ଗତ ଲୋକସଭା ନିର୍ବାଚନରେ ଅଜିତ ପାୱାର ବାରାମତି ନିର୍ବାଚନ ମଣ୍ଡଳୀର କାକା ଝିଅ ସୁପ୍ରିୟା ସୁଲେଙ୍କ ବିରୋଧରେ ପତ୍ନୀ ସୁନେତ୍ରା ପାୱାରଙ୍କୁ ଛିଡ଼ା କରିଥିଲେ ଅଜିତ। ହେଲେ ସୁନେତ୍ରାଙ୍କର ସୋଚନୀୟ ପରାଜୟ ହୋଇଥିଲା।
ବର୍ତ୍ତମାନ ସାରା ରାଜ୍ୟରେ ଜନ ସମ୍ମାନ ଯାତ୍ରା ବାହାର କରିଛନ୍ତି। ଏହି ସମୟରେ ସେ ମରାଠି ଟିଭି ଚ୍ୟାନେଲ୍କୁ ସାକ୍ଷାତକାର ଦେଇ କହିଛନ୍ତି ଯେ ସୁପ୍ରିୟାଙ୍କ ବିରୋଧରେ ମୋ ପତ୍ନୀଙ୍କୁ ଛିଡ଼ା କରିବା ଏନ୍ସିପ ସଂସଦୀୟ କମିଟି ବୈଠକରେ ନିଷ୍ପତ୍ତି ନିଆଯାଇଥିଲା। ଯାହା ଭୁଲ୍ ନିଷ୍ପତ୍ତି ଥିଲା। ଅଜିତ କହିଛନ୍ତି “ ମୁଁ ମୋର ସମସ୍ତ ଭଉଣୀଙ୍କୁ ଭଲପାଏ। ପରିବାରରେ ରାଜନୀତି ପ୍ରବେଶ କରିବା ଉଚିତ ନୁହେଁ। ସୁନେତ୍ରାଙ୍କୁ ମୋ ଭଉଣୀ ବିରୋଧରେ ଛିଡ଼ା କରି ମୁଁ ଭୁଲ କରିଥିଲି। ଏମିତି ହେବା ଉଚିତ ନୁହେଁ। କିନ୍ତୁ ଏନ୍ସିପି ସଂସଦୀୟ ବୋର୍ଡ ଏହି ନିଷ୍ପତ୍ତି ନେଇଥଇଲା। ବର୍ତ୍ତମାନ ମୁଁ ଅନୁଭବ କରୁଛି ଯେ ଏହା ଭୁଲ ନିଷ୍ପତ୍ତି ଥିଲା।”
ବାରାମତି ନିର୍ବାଚନ ମଣ୍ଡଳୀରେ ପାୱାର ପରିବାର ପାଇଁ ସମ୍ମାନର କଥା ଥିଲା। ୨୦୨୪ ଲୋକସଭା ନିର୍ବାଚନରେ ଶରଦ ପାୱାରଙ୍କ ଝିଅ ସୁପ୍ରିୟା ଚତୁର୍ଥ ଥର ପାଇଁ ଏଠାରୁ ବିଜୟୀ ହୋଇଥିଲେ। ସେ ତାଙ୍କ ଭାଉଜ ସୁନେତ୍ରୀଙ୍କୁ ୧.୫ ଲକ୍ଷ ଭୋଟ୍ରେ ହରାଇଥିଲେ। ପରେ ସୁନେତ୍ରା ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି। ସୂଚନା ଥାଉକି ଏହି ବାରାମତି ଆସନରୁ ଶରଦ ପାୱାର ୧୪ ଥର ନିର୍ବାଚିତ ହୋଇଛନ୍ତି। ୧୯୬୭ରୁ ଶରଦ ଏହି ନିର୍ବାଚନ ମଣ୍ଡଳିର ଦେଖାରେଖା ବି କରୁଛନ୍ତି।
ସୂଚନା ଥାଉକି ଲୋକସଭା ନିର୍ବାଚନର କଂଗ୍ରେସ ଉଦ୍ଧବ ଓ ଶରଦଙ୍କ ମେଣ୍ଟ ମହା ବିକାଶ ଆଘାଡ଼ି ଦଳ ୪୮ ଲୋକସଭା ଆସନରୁ ୩୦ରେ ବିଜୟୀ ହୋଇଥିଲା। ଅଜିତ ପାୱାରଙ୍କ ଏନ୍ସିପିକୁ ମାତ୍ର ଗୋଟିଏ ରାଏଗଡ଼ ଆସନ ମିଳିଥିଲା। ହେଲେ ଶରଦ ପାୱାରଙ୍କ ଦଳ ୮ ଆସନରେ ବିଜୟୀ ହୋଇଥିଲ।