ଗାଜାରେ ଧ୍ୱଂସ ଦେଖି ପାଶ୍ଚ୍ୟାତ ଦେଶ ବି ଦାବି କଲେ ଯୁଦ୍ଧବିରାମ, ଫ୍ରାନ୍ସ କହିଲା-ଇସ୍ରାଏଲ୍ ବନ୍ଦ କରୁ ବୋମା ମାଡ଼

Published By : Prameya-News7 Bureau | November 11, 2023 IST

ନୂଆଦିଲ୍ଲୀ: ହମାସ୍ ବିପକ୍ଷ ଯୁଦ୍ଧରେ ଇସ୍ରାଏଲ୍ ସମର୍ଥନରେ ଥିବା ଫ୍ରାନ୍ସର ଅଭିମୁଖ୍ୟରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ଫ୍ରାନ୍ସ କହିଛି ଯେ ଗାଜାରେ ନୀରିହ ପିଲା ଓ ନାଗରିକଙ୍କୁ ହତ୍ୟା କରାଯାଉଛି । ଇସ୍ରାଏଲ ଯୁଦ୍ଧବିରାମ ଘୋଷଣା କରିବା ଦରକାର । ଅନ୍ୟପଟେ ଇସ୍ରାଏଲ୍ ନିଜ ଜିଦରେ ଅଟଳ ରହିଛି । ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ନେତନ୍ୟାହୁଙ୍କ କହିବା ଅନୁସାରେ ଯଦି ସେ ଯୁଦ୍ଧବିରମ ଘୋଷଣା କରନ୍ତି ତେବେ ତାହା ଆତ୍ମସମର୍ପଣ ପରି ହେବ । ଯେପର୍ଯ୍ୟନ୍ତ ହମାସ ସମ୍ପୂର୍ଣ୍ଣ ଶେଷ ନହୋଇଛି, ଯୁଦ୍ଧବିରାମ ଘୋଷଣା କରିବେ ନାହିଁ ବୋଲି କହିଛନ୍ତି ।

ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍ କହିଛନ୍ତି ଯେ ଇସ୍ରାଏଲ୍ ଗାଜା ନାଗରିକଙ୍କ ହତ୍ୟା ବନ୍ଦ କରିବା ଦରକାର । ସେ କହିଛନ୍ତି ଯେ ଏହି ବୋମା ମାଡ଼ରେ କୌଣସି ଲାଭ ହେବ ନାହିଁ । ଯୁଦ୍ଧବିରାମରୁ ଇସ୍ରାଏଲକୁ ହିଁ ଲାଭ ହେବ । ସେ କହିଛନ୍ତି ଯେ ଫ୍ରାନ୍ସ କୌଣସି ପ୍ରକାର ଆତଙ୍କବାଦୀ ଗତିବିଧିକୁ ବିରୋଧ ଓ ନିନ୍ଦା କରୁଛି କିନ୍ତୁ ଇସ୍ରାଏଲ୍ ଗାଜାରେ ବୋମା ମାଡ଼ ବନ୍ଦ କରିଦେବା ଦରକାର । ବିବିସିକୁ ଦେଇଥିବା ସାକ୍ଷାତକାରରେ ମାକ୍ରୋନ୍ ଏହା କହିଛନ୍ତି ।

ପଢନ୍ତୁ: ହସ୍ପିଟାଲରେ ଲୁଚି ରହିଥିଲେ ହମାସ୍ ଆତଙ୍କୀ, ଇସ୍ରାଏଲ୍‌ର ଏୟାର ଷ୍ଟ୍ରାଇକ୍‌ରେ ୨୨ ମୃତ

ଶନିବାର ଦ୍ୱିତୀୟ ଥର ଗାଜା ସିଟିର ଅଲ-ଶିଫା ହସ୍ପିଟାଲ ଉପରେ ଇସ୍ରାଏଲ ବୋମା ମାଡ଼ କରିଥିଲା । ଇସ୍ରାଏଲ କହିଥିଲା ଯେ ଏହି ହସ୍ପିଟାଲରେ ଆତଙ୍କୀଙ୍କ କମାଣ୍ଡ ସେଣ୍ଟର ରହିଛି । ହସ୍ପିଟାଲରେ ୨୨ ଜଣଙ୍କ ମୃତ୍ୟୁ ନେଇ ସ୍ପଷ୍ଟ ହୋଇଛି । ଗାଜାରେ ଜରୁରୀ ସାମଗ୍ରୀ ପହଞ୍ଚାଇବା ପାଇଁ ପ୍ରତିଦିନ କିଛି ଘଣ୍ଟା ଯୁଦ୍ଧବିରାମ ଉପରେ ସହମତ ହୋଇଛି । ମାକ୍ରୋନ କହିଛନ୍ତି ଯେ ମାନବୀୟ ସହାୟତା ପାଇଁ ଯୁଦ୍ଧବିରାମ ଜରୁରୀ । ଏହା ବିନା ନୀରିହଙ୍କୁ ରକ୍ଷା କରିବାର ଅନ୍ୟକୌଣସି ରାସ୍ତା ନାହିଁ ।

Also Read: କାମ କରିବାକୁ ଇସ୍ରାଏଲ୍ ଯିବେ ଏକ ଲକ୍ଷ ଭାରତୀୟ ? ଜବାବ ରଖିଲା ବିଦେଶ ମନ୍ତ୍ରାଳୟ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.