ସାମ୍ନାକୁ ଆସିଲେ ଜଣେ ଆତ୍ମଘୋଷିତ ମାତା, ନିଜକୁ ବୋଲାଉଛନ୍ତି ମା’ ଶାରଳାଙ୍କ ଅବତାର

Published By : Prameya-News7 Bureau | July 07, 2022 IST

କେନ୍ଦ୍ରାପଡା ୦୭/୦୭: କେନ୍ଦ୍ରାପଡ଼ାରେ ପୁଣି ଜଣେ ଆତ୍ମଘୋଷିତ ମାତା । ଆତ୍ମଘୋଷିତ ବାବାଙ୍କ ପରେ ଏବେ ସାମ୍ନାକୁ ଆସିଛନ୍ତି ମାଆ ଶାରଳା । ନିଜକୁ ମା’ ଶାରଳାଙ୍କ ଅବତାର କହି ଏବେ ଚର୍ଚ୍ଚାରେ କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ହରିଅଙ୍କ ଦଳିତ ସାହିର ଜଣେ ମହିଳା ସୋନାଲି ।

ନିଜ ଶକ୍ତି ବଳରେ ମହିଳା ଜଣଙ୍କ ବିଭିନ୍ନ ରୋଗ ଭଲ କରି ଦେଉଥିବା କହୁଛନ୍ତି । ଏବେ ଗାଁ ଲୋକେ ମଧ୍ୟ ତାଙ୍କ ଅନ୍ଧବିଶ୍ୱାସର ଶିକାର ହୋଇଛନ୍ତି । ନିଜ ପୁଅ ଦ୍ୱାରା ପୂଜାର୍ଚ୍ଚନା କରିବା ସହ ଲୋକଙ୍କୁ ସେବାର ନିୟୋଜିତ କରୁଛନ୍ତି । ଏପରିକି ସେ ହରିଅଙ୍କ ସାହିକୁ ଦ୍ଵିତୀୟ କନକପୁର କରିବେ ବୋଲି ଦାବି କରୁଛନ୍ତି । ସେପଟେ ମହିଳାଙ୍କୁ କିଛି ଲୋକ ସମର୍ଥନ କରୁଥିବା ବେଳେ ଆଉ କିଛି ଲୋକ ବିରୋଧ କରୁଛନ୍ତି।

ମହିଳା ଜଣଙ୍କ ନିଜ ଘରେ ଉଚ୍ଚ ସ୍ଵରରେ ଲାଉଡସ୍ପିକର ବଜାଇବା ସହ ଭଜନ କୀର୍ତ୍ତନ କରୁଥିବାରୁ କିଛି ସ୍ଥାନୀୟ ଲୋକେ ଅତିଷ୍ଠ ହୋଇ ଥାନାର ଦ୍ଵାରସ୍ଥ ହୋଇଛନ୍ତି । ତେବେ ନିଜକୁ ଆତ୍ମଘୋଷିତ ଦେବୀ ବୋଲାଉଥିବା ଏହି ମହିଳାଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା ।

ଗତ କିଛିଦିନ ତଳେ ସେ ନିଜକୁ ଶାରଳା କହି ପୁରୀରେ ହଙ୍ଗାମା କରିଥିଲେ । ଜୋରଜବରଦସ୍ତ ପୁରୀ ବଡ ଦେଉଳରେ ପ୍ରବେଶ କରିବାକୁ ଉଦ୍ୟମ କରୁଥିବାବେଳେ ତାଙ୍କୁ ଅଟକାଇଥିଲେ ସେବାୟତ । ଯାହାକି ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହୋଇଥିଲା ।

ସୂଚନା ଥାଉକି ଗତ କିଛି ବର୍ଷ ତଳେ କେନ୍ଦ୍ରାପଡାରେ ଏମିତି ଜଣେ ଆତ୍ମଘୋଷିତ ବାବା ସାମ୍ନାକୁ ଆସିଥିଲେ । ନିଜକୁ ଭଗବାନ ଦର୍ଶାଇ ଲୋକଙ୍କ ଆସ୍ଥା ସହ ଖେଳ ଖେଳୁଥିଲେ । ସିମେଣ୍ଟ ଗାଇରୁ କ୍ଷୀର ସହ ପାଦରୁ ମହୁ ଝରାଉଥିଲେ । ହେଲେ ବେଶିଦିନ ତିଷ୍ଠିନଥିଲା ତାଙ୍କର କାରନାମା । ଶେଷରେ ଅଭିଯୋଗ ଆସିବା ପରେ ସେ ବନ୍ଧା ହୋଇ ଜେଲ ଗଲେ । ଏବେ ରାଜ୍ୟ ବାହାରେ ଅଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.