#MeToo ଯୌନ ଉତ୍ପୀଡ଼ନ ପ୍ରସଙ୍ଗ : ପ୍ରିୟା ରମାନୀଙ୍କ ବିରୋଧରେ ମାନହାନୀ ମାମଲା ଦାୟର କଲେ କେନ୍ଦ୍ରମନ୍ତ୍ରୀ ଏମ.ଜେ.ଆକବର

Published By : Prameya-News7 Bureau | October 15, 2018 IST

ନୂଆଦିଲ୍ଲୀ ୧୫/୧୦ : ବିଦେଶ ରାଜ୍ୟମନ୍ତ୍ରୀ ତଥା ପୂର୍ବତନ ଖବରକାଗଜ ସମ୍ପାଦକ ଏମ.ଜେ.ଆକବର ତାଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଅଭିଯୋଗ ଆଣିଥିବା ପ୍ରିୟା ରମାନୀଙ୍କ ବରୋଧରେ ମାନହାନି ମକଦ୍ଦମା ଦାୟର କରିଛି | ଦିଲ୍ଲୀ ପଟିଆଲା ହାଉସ ଅଦାଲତରେ ଆକବରଙ୍କ ଓକିଲ ଏହି ମାମଲା ଦାୟର କରିଛନ୍ତି | ସୂଚନାଯୋଗ୍ୟ ଯେ, ଖବରକାଗଜ ସମ୍ପାଦକ ଥିବାବେଳେ ଏମ.ଜେ.ଆକବର ଯୌନ ଉତ୍ପୀଡ଼ନ କରିଥିଲେ ବୋଲି ପ୍ରିୟା ରମାନୀ ଅଭିଯୋଗ କରିଥିଲେ | ତେବେ ଏମ.ଜେ.ଆକବର ଗସ୍ତରେ ଥିବାରୁ ତାଙ୍କର କୌଣସି ପ୍ରତିକ୍ରିୟା ମିଳିପାରିନଥିଲା | ଗତକାଲି (ରବିବାର) ସେ ବିଦେଶ ଗସ୍ତରୁ ଫେରିବା ପରେ ଏଭଳି ଅଭିଯୋଗକୁ ଅମୂଳକ ଏବଂ କପୋଳକଳ୍ପିତ ବୋଲି କହିଥିଲେ | ସେ କହିଥିଲେ ଯେ, ତାଙ୍କ ଭାବମୂର୍ତ୍ତିକୁ କ୍ଷୁର୍ଣ୍ଣ କରିବା ପାଇଁ ପ୍ରିୟା ରମାନୀ ବର୍ଷେ ତଳୁ ଅଭିଯାନ ଆରମ୍ଭ କରିସାରିଲେଣି | ବର୍ଷେ ତଳେ ଏକ ଆର୍ଟିକଲ ଲେଖିଥିଲେ | ସେଥିରେ ତାଙ୍କୁ ଟାର୍ଗେଟ କରାଯାଇଥିଲେ ହେଁ ତାଙ୍କ ନାଁ ଲେଖାଯାଇନଥିଲା | ସେହି ଆର୍ଟିକଲରେ କାହିଁକି ଏମ.ଜେ.ଆକବରଙ୍କ ନାଁ ଉଲ୍ଲେଖ କରାଯାଇନଥିଲା ବୋଲି ଉଠିଥିବା ପ୍ରଶ୍ନ ସମ୍ପର୍କରେ ପ୍ରିୟା ଏକ ଟ୍ୱିଟ କରିଥିଲେ | ଟ୍ୱିଟରେ କହିଥିଲେ ଯେ, ଯେହେତୁ ଆକବର ତାଙ୍କ ସହ ସେମିତି କିଛି କରିନାହାନ୍ତି ତେଣୁ ତାଙ୍କ ନାଁ ଦିଆଯାଇନାହିଁ | ତେବେ ଅନ୍ୟ ଯେଉଁମାନେ ଏମ.ଜେ.ଆକବରଙ୍କ ଦ୍ୱାରା ଯୌନ ଉତ୍ପୀଡ଼ନର ଶିକାର ହୋଇଛନ୍ତି ସେମାନେ ସେମାନଙ୍କ କାହାଣୀ କହିବା ଲାଗି ଏ ଆର୍ଟିକଲ ଉଦ୍ଧିଷ୍ଟ ଥିଲା ବୋଲି ପ୍ରିୟା ଟ୍ୱିଟ କରିଥିଲେ | ଏହାକୁ ଉଦ୍ଧାର କରି ଏମ.ଜେ.ଆକବର କହିଛନ୍ତି ଯେ, ଯଦି କିଛି କରାଯାଇନାହିଁ ବୋଲି ପ୍ରିୟା ସ୍ୱୀକାର କରୁଛନ୍ତି ତାହେଲେ ଏ ଆର୍ଟିକଲର ମୂଲ୍ୟ କଣ ? ସେହିଭଳି ନିର୍ବାଚନ ପାଖେଇ ଆସୁଥିବା ବେଳେ ଏଭଳି ଅଭିଯୋଗ ଉଠାଇବା ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହିବା ସହ ଏହାକୁ ଏକ ଷଡଯନ୍ତ୍ର ବୋଲି ମଧ୍ୟ ଗତକାଲି କହିଥିଲେ | ତେବେ ସେ କହିଛନ୍ତି ଯେ, ଏଭଳି ଅମୂଳକ ଅଭିଯୋଗ ତାଙ୍କ ଭାବମୂର୍ତ୍ତିକୁ ଖରାପ କରିଛି | ସେଥିପାଇଁ ଆଇନର ସହାୟତା ଲୋଡ଼ିବା ଉଚିତ ବୋଲି ଭାବିଥିବା କହିଛନ୍ତି | ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଏମ.ଜେ.ଆକବରଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ମାମଲା ଆସିବା ପରେ ତାଙ୍କୁ ଇସ୍ତଫା ଦେବା ପାଇଁ କୁହାଯାଇପାରେ ବୋଲି ଆଲୋଚନା ହୋଇଥିଲା | ତେବେ ଗତ ଶୁକ୍ରବାର ଦିନ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତା ଶାହ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଏମ.ଜେ.ଆକବରଙ୍କୁ ସୁରକ୍ଷା ଦେବା ଭଙ୍ଗୀରେ ନିଜ ମତ ରଖିଥିଲେ | ସେ କହିଥିଲେ ଯେ, ସୋସିଆଲ ମିଡ଼ିଆରେ ହେଉଥିବା ସବୁ ଅଭିଯୋଗ ସତ୍ୟ ନୁହେଁ, ତେଣୁ ଘଟଣାର ନିରପେକ୍ଷ ଯାଞ୍ଚ କଥା ସେ ଉଠାଇଥିଲେ | ଅପରପକ୍ଷରେ ମଧ୍ୟ ପ୍ରଦେଶର ବିଜେପି ମହିଳା ମୋର୍ଚ୍ଚାର ସଭାନେତ୍ରୀ ମଧ୍ୟ ଆକବରଙ୍କ ତରଫଦାରୀ କରିଥିଲେ | ସେ କହିଥିଲେ ଯେ, ଆକବରଙ୍କ ବିରୋଧରେ ମହିଳା ସାମ୍ବାଦିକଙ୍କୁ ଯୌନ ଉତ୍ପୀଡ଼ନ ଅଭିଯୋଗ ଆସୁଛି | କିନ୍ତୁ ଯୌନ ଉତ୍ପୀଡ଼ନର ଶିକାର ହୋଇଥିବା କହୁଥିବା ମହିଳା ଜଣେ ସାମ୍ବାଦିକ ଥିଲେ | ତେଣୁ ତାଙ୍କୁ ନିରୀହ ବା ଅସହାୟ ବୋଲି କୁହାଯାଇପାରିବ ନାହିଁ | ଯଦି ଘଟଣା ସତ୍ୟ ହୋଇଥାନ୍ତା ତାହେଲେ ସମ୍ପୃକ୍ତ ମହିଳା ତୁରନ୍ତ ପୋଲିସ କିମ୍ବା ଅଦାଲତର ଆଶ୍ରୟ ନେଇଥାନ୍ତେ | ଏହି ମାନହାନି ମକଦ୍ଦମାକୁ ପ୍ରିୟା ରମାନୀ କିଭଳି ସମ୍ମୁଖୀନ ହେବେ ତା ଉପରେ ଏବେ ସମସ୍ତଙ୍କ ନଜର ରହିଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.