ପୂର୍ବ ୟୁକ୍ରେନରେ ଋଷର ଘନଘନ ଆକ୍ରମଣ, ଲୁହାଂସ୍କକୁ କବଜା କଲା ପୁଟିନ ସେନା

Published By : Prameya-News7 Bureau | July 05, 2022 IST

କିଏଭ,୦୫/୦୭: ରୁଷ ଓ ୟୁକ୍ରେନ୍‌ ମଧ୍ୟରେ ୪ ମାସ ହେଲା ଯୁଦ୍ଧ ଲାଗିରହିଛି । ଏବେ ପୂର୍ବ ୟୁକ୍ରେନ୍‌ରେ ସାଙ୍ଘାତିକ ଆକ୍ରମଣ କରୁଛି ରୁଷ ସେନା । ସଦ୍ୟ ଘଟଣାକ୍ରମେ ଏହା ସମଗ୍ର ଲୁହାଂସ୍କକୁ କବ୍‌ଜା କରିନେଇଛି । ପୂର୍ବରୁ ଏହା ଲିସିଚାଂସ୍କକୁ ନିଜ ଅଧୀନକୁ ନେଇଥିଲା । ଏବେ ସ୍ଲୋଭିଆଂସ୍କ ଉପରେ ବୋମା ମାଡ଼ କରାଯାଉଛି । ଆକ୍ରମଣ ଯୋଗୁ ୬ ଲୋକ ପ୍ରାଣ ହରାଇଥିବା ବେଳେ ଅନେକ ଆହତ ହୋଇଛନ୍ତି ।

ଲିସିଚାଂସ୍କରେ ରୁଷ ସେନାର ସାଙ୍ଘାତିକ ହମଲାରେ ଘରୋଇ ସେନା ଦୁର୍ବଳ ପଡ଼ିବା ପରେ ସେମାନଙ୍କୁ ଫେରିଆସିବାକୁ କୁହାଯାଇଥିଲା । ସେମାନେ ଏବେ ଅନ୍ୟତ୍ର ମୁତୟନ ହୋଇଛନ୍ତି ଏବଂ ଲିସିଚାଂସ୍କକୁ କବ୍‌ଜା କରିଛି ରୁଷ । ପୂର୍ବ ୟୁକ୍ରେନ୍‌ର ଲୁହାଂସ୍କ କ୍ଷେତ୍ରରେ କେବଳ ଲିସିଚାଂସ୍କ ଓ ଅନ୍ୟ କେତେକ ଅଞ୍ଚଳ ୟୁକ୍ରେନ୍‌ ନିୟନ୍ତ୍ରଣରେ ଥିଲା । ଏବେ ସମଗ୍ର ଲୁହାଂସ୍କକୁ ନେଇଯାଇଛି ପୁଟିନ୍‌ ସେନା ।

ସେପଟେ ୟୁକ୍ରେନ୍‌କୁ ଅଷ୍ଟ୍ରେଲିଆ ଆଉ ୩୪ଟି ସାମରିକ ଗାଡ଼ି ଦେବ ବୋଲି କହିଛି । ଏଥିସହ ଏହା ରୁଷ୍‌ରୁ ସୁନା ଆମଦାନି ବନ୍ଦ କରିଦେବା ନେଇ ଘୋଷଣା କରିଛି । ପାଶ୍ଚାତ୍ୟ ଦେଶଗୁଡ଼ିକ ୟୁକ୍ରେନ୍‌ରେ ଶାନ୍ତି ଚାହୁଁନାହାନ୍ତି ବୋଲି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ଙ୍କ ପ୍ରେସ ସଚିବ ଦିମିତ୍ରି ପେସ୍‌କୋଭ କହିଛନ୍ତି । ତାଙ୍କ ମୁତାବକ ଯୁଦ୍ଧକୁ ଲମ୍ବାଇବା ପାଇଁ ଏବେ ପାଶ୍ଚାତ୍ୟ ଦେଶଗୁଡ଼ିକ ସବୁକିଛି କରିବାକୁ ପ୍ରସ୍ତୁତ ଥିବା ଦେଖିବାକୁ ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.