ଲକ୍ଷ୍ନୌ: ଏକନା ଷ୍ଟାଡିୟମରେ ଖେଳାଯାଇଥିବା ଆଇପିଏଲର ୬୩ତମ ରୋମାଞ୍ଚକର ମୁକାବିଲାରେ ଶେଷରେ ବାଜି ମାରିଲା ଲକ୍ଷ୍ନୌ ସୁପର ଜାଏଣ୍ଟସ୍। ଗୁରୁତ୍ଵପୂର୍ଣ୍ଣ ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସକୁ ୫ ରନରେ ହରାଇ ଲକ୍ଷ୍ନୌ ପଏଣ୍ଟ ତାଲିକାର ତୃତୀୟ ସ୍ଥାନକୁ ଉଠିଛି। ଅନ୍ୟପଟେ ମୁମ୍ବାଇ ଚତୁର୍ଥକୁ ଖସି ଆସିଛି। ପ୍ରଥମେ ବ୍ୟାଟିଂ କରିଥିବା ଲକ୍ଷ୍ନୌ ନିର୍ଦ୍ଧାରିତ ଓଭରରେ ୩ ଓ୍ଵିକେଟ୍ ହରାଇ ୧୭୭ ରନ କରିଥିଲା। ମାର୍କସ ଷ୍ଟୋଇନିସ୍ ଅପରାଜିତ ୮୯ ରନ ଏବଂ ଅଧିନାୟକ କୃଣାଲ ପାଣ୍ଡ୍ୟାଙ୍କ ୪୯ ରନ(ଟିଟାୟର୍ଡ ହଟ୍) ର ଇନିଂସ ଖେଳି ଚତୁର୍ଥ ଓ୍ଵିକେଟ୍ ପାଇଁ ଶତକୀୟ ଇନିଂସ ଯୋଡ଼ିଥିଲେ। ଜବାବରେ ମୁମ୍ବାଇ ଇଣ୍ଡିଆନ୍ସ ୫ ଓ୍ଵିକେଟ୍ ହରାଇ ୧୭୨ ରନରେ ସୀମିତ ରହିଥିଲା। ଇଶାନ କିଷନ ୫୯ ରନ କରିଥିବା ବେଳେ ରୋହିତ ଶର୍ମା ୩୭ ଏବଂ ଟିମ୍ ଡେଭିଡ୍ ଅପରାଜିତ ୩୨ ରନ କରିଥିଲେ ହେଁ ଦଳକୁ ବିଜୟୀ କରାଇ ପାରିନଥିଲେ। ଲକ୍ଷ୍ନୌ ତରଫରୁ ରବି ବିଷ୍ନୋଇ ଏବଂ ୟଶ ଠାକୁର ପ୍ରତ୍ୟେକ ୨ଟି ଲେଖାଏଁ ଓ୍ଵିକେଟ୍ ନେଇଥିଲେ। ମୁମ୍ବାଇର ପରାଜୟ ସହ ସହ ଚଳିତ ଆଇପିଏଲର ପ୍ଲେ ଅଫ ଦୌଡ଼ ଆହୁରି ରୋମାଞ୍ଚକର ହୋଇଛି।
୧୭୮ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ମୁମ୍ବାଇ ଇଣ୍ଡିଆନ୍ସର ଦୁଇ ଓପନର ଅଧିନାୟକ ରୋହିତ ଶର୍ମା ଏବଂ ଇଶାନ କିଷନ ଦମଦାର ବ୍ୟାଟିଂ କରିଥିଲେ। ଦୁଇ ବ୍ୟାଟର ୯.୪ ଓଭରରେ ୯୦ ରନ ଯୋଡ଼ି ଦଳ ବିଜୟ ପାଇଁ ମୂଳଦୁଆ ପକାଇଥିଲେ। ରୋହିତ ଶର୍ମା ୨୫ ବଲ୍ରୁ ୧ ଚୌକା ଏବଂ ୩ ଛକା ଜରିଆରେ ୩୭ ରନ କରି ଆଉଟ୍ ହୋଇଥିଲେ। ପରେ ମୁମ୍ବାଇ ଇଣ୍ଡିଆନ୍ସ ନିୟମିତ ୪ ଓ୍ଵିକେଟ୍ ହରାଇବାରୁ ଦଳର ରନ ଗତି ଧିମେଇବା ସହ ଚାପର ବଶବର୍ତ୍ତୀ ହୋଇଥିଲା। ଇଶାନ କିଷନ ୩୯ ବଲ୍ରୁ ୮ ଚୌକା ଏବଂ ୧ ଛକା ସହ ୫୯ ରନର ବହୁମୂଲ୍ୟ ଇନିଂସ ଖେଳିଥିଲେ। ଦଳୀୟ ସ୍କୋର ୧୧୫ ରନରେ ସୁର୍ଯ୍ୟକୁମାର ଯାଦବ(୭) ଆଉଟ୍ ହେବା ମୁମ୍ବାଇକୁ ଶକ୍ତ ଝଟକା ଦେଇଥିଲା। ପୁଣି ନେହଲ ଓ୍ଵଧେରା(୧୬) ପାଭିଲିୟନ ଫେରିଥିଲେ। ଫଳରେ ମ୍ୟାଚ୍ ରୋମାଞ୍ଚକର ଆଡ଼କୁ ଗତି କରିଥିଲା। ବିଷ୍ଣୁ ବିନୋଦ(୨) କିଛି ଖାସ୍ କରି ପାରିନଥିଲେ। ଅନ୍ୟପଟେ ଟିମ୍ ଡେଭିଡ୍ ବିସ୍ଫୋରକ ବ୍ୟାଟିଂ କରି ୧୯ ବଲ୍ରୁ ୩୨ ରନ କରିଥିଲେ ହେଁ ଦଳ ବିଜୟଠୁ ୫ ରନ ଦୂରରେ ରହି ଯାଇଥିଲା। ଶେଷରେ ମୁମ୍ବାଇ ନିର୍ଦ୍ଧାରିତ ଓଭରରେ ୫ ଓ୍ଵିକେଟ୍ ହରାଇ ୧୭୨ ରନରେ ସୀମିତ ରହିଥିଲା।