ନୂଆଦିଲ୍ଲୀ ଆଇପିଏଲ୍ ମେଗା ନିଲାମ ବେଶ୍ ଚର୍ଚ୍ଚା । ନିର୍ଦ୍ଧାରିତ ରିଟେନ୍ସ ଡେଟ୍ର ସମୟସୀମା ଶେଷ ହେଉଛି । ଆଗାମୀ ଆଇପିଏଲ୍ ନିଲାମ ପୂର୍ବରୁ ସବୁ ଫ୍ରାଞ୍ଚାଇଜ ପ୍ଲେୟର ରିଟେନସନ୍ ଲିଷ୍ଟ କରୁଛନ୍ତି ପ୍ରସ୍ତୁତ । ଏଥର ବହୁ ନାମୀଦାମୀ ଷ୍ଟାର ପ୍ଲେୟର ନିଲାମୀକୁ ଓହ୍ଲାଇବାର ରହିଛି ସମ୍ଭାବନା । ଏବେ ସବୁ ଫ୍ରାଞ୍ଚାଇଜ୍ର ରିଟେନସନ୍ ପ୍ଲେୟରଙ୍କୁ ନେଇ ହେଉଛି ଚର୍ଚ୍ଚା । ଏହାରି ମଧ୍ୟରେ ସାମ୍ନାକୁ ଆସୁଛି ଲକ୍ଷ୍ନୌ ସୁପର ଜାଏଣ୍ଟସ୍ର ସମ୍ଭାବିତ ରିଟେନସ ପ୍ଲେୟରଙ୍କ ଲିଷ୍ଟ ।
ତେବେ ଚଳିତ ବର୍ଷ ଲକ୍ଷ୍ନୌରୁ କେ.ଏଲ୍ ରାହୁଲଙ୍କ ପତ୍ତା କଟିବା ପ୍ରାୟ ସୁନିଶ୍ଚିତ । ଏଲଏସଜି ଅଧିନାୟକ କେଏଲ ରାହୁଲଙ୍କୁ ରିଟେନ କରିବାକୁ ଚାହୁଁନଥିବା ଜଣାପଡ଼ିଛି । ଗତ ୩ ବର୍ଷ ଧରି ରାହୁଲ ସୁପରଜାଏଣ୍ଟ୍ସର ଅଧିନାୟକ ରହିଛନ୍ତି । ମାତ୍ର ତାଙ୍କୁ ଫ୍ରାଞ୍ଚାଇଜ ବାଦ ଦେଇ କିଛି ଅନ୍ତର୍ଜାତୀୟ କ୍ରିକେଟ୍ ଖେଳି ନଥିବା ଘରୋଇ ପ୍ଲେୟରଙ୍କୁ ଅଗ୍ରାଧିକାର ଦେବାକୁ ନେଇଛି ନିଷ୍ପତ୍ତି ।
ଏହି ଲିଷ୍ଟରେ ୫ ପ୍ଲେୟରଙ୍କ ନାଁ ସାମ୍ନାକୁ ଆସୁଛି । ଶୁଣିବାକୁ ମିଳୁଛି କି ନିକୋଲାସ୍ ପୂରନ, ମୟଙ୍କ ଯାଦବ ଓ ରବି ବିଷ୍ଣୋଇଙ୍କ ସମେତ ୨ଜଣ ଘରୋଇ ପ୍ଲେୟର ମହସିନ ଖାନ ଓ ଆୟୂଷ ବାଦୋନିଙ୍କୁ ଏଥର ସୁପର ଜାଏଣ୍ଟସ୍ କରିପାରେ ରିଟେନ୍ ।
ଏହି ତାଲିକାରେ ପ୍ରଥମ ଖେଳାଳି ରହିପାରନ୍ତି ନିକୋଲାସ୍ ପୂରନ । ବିଗତ କିଛି ସିଜିନ୍ରେ ବିସ୍ଫୋରକ ବ୍ୟାଟିଂ ଏବଂ ଓ୍ବିକେଟକିପର ଭାବେ ପୂରନ ସୁପରଜାଏଣ୍ଟ୍ସ ପାଇଁ ଷ୍ଟାର ହୋଇଯାଇଛନ୍ତି । ୨୦୨୩ରେ ଫ୍ରାଞ୍ଚାଇଜ୍ ପୂରନଙ୍କୁ ୧୬କୋଟିରେ କିଣିଥିଲା । ଆଇପିଏଲ୍ର ପୂର୍ବ ସିଜିନ୍ରେ ରାହୁଲଙ୍କ ଅନୁପସ୍ଥିତିରେ ସେ ନିଜର ପାଓ୍ବାର ହିଟିଙ୍ଗ୍ କ୍ଷମତା ଏବଂ ନେତୃତ୍ବ କୌଶଳର ପ୍ରଦର୍ଶନ କରିଥିଲେ ।
୨୦୨୨ ମେଗା ନିଲାମରେ ସନରାଇଜର୍ସ ହାଇଦ୍ରାବାଦ ପୂରନଙ୍କୁ ୧୦.୭୫ କୋଟି ଟଙ୍କାରେ କିଣିଥିଲା । ମାତ୍ର ଗୋଟିଏ ସିଜନ ପରେ ତାଙ୍କୁ ରିଲିଜ କରିଥିଲା । ଏହାପରେ ସେ ସୁପରଜାଏଣ୍ଟସ ଟିମ୍କୁ ଆସିଥିଲେ । ଏବେ ପ୍ରଦର୍ଶନକୁ ନଜରରେ ରଖି ଫ୍ରାଞ୍ଚାଇଜ୍ ତାଙ୍କୁ ରିଟେନ୍ କରିପାରେ । ୨୯ ବର୍ଷୀୟ ପୁରନ ଆଇପିଏଲ୍ ଡେବ୍ୟୁ କରିବା ପରେ ଟୁର୍ଣ୍ଣାମେଣ୍ଟରେ ନିଜର ଦମଦାର ପରିଚୟ ତିଆରି କରିଛନ୍ତି । ୨୦୧୭ରେ ମୁମ୍ବାଇ ଇଣ୍ଡିଆନ୍ସ ସହିତ ମାତ୍ର ୩୦ ଲକ୍ଷରୁ ଆରମ୍ଭ କରିଥିବା ପୂରନ ଏବେ ଲକ୍ଷ୍ନୌ ସହ ୧୬ କୋଟିରେ ଯୋଡି ହୋଇଛନ୍ତି ।
ଏହା ପଛକୁ ରହିଛନ୍ତି ମୟଙ୍କ ଯାଦବ । ୨୦୨୨ ମେଗା ନିଲାମରେ ମୟଙ୍କଙ୍କୁ ଲକ୍ଷ୍ନୌ ମାତ୍ର ୨୦ ଲକ୍ଷରେ କିଣିଥିଲା । ଏପର୍ଯ୍ୟନ୍ତ ସେ ୪ଟି ଆଇପିଏଲ୍ ମ୍ୟାଚ୍ ସମେତ ମୋଟ ୭ଟି ଟି-୨୦ ମ୍ୟାଚ୍ ଖେଳିଛନ୍ତି । ଯେଉଁଥିରେ ସେ ବାଂଲାଦେଶ ବିପକ୍ଷ ଟି-୨୦ ସିରିଜରେ ୩ଟି ମ୍ୟାଚ୍ ଖେଳିଥିଲେ ।
ସେହିପରି ରବି ବିଷ୍ଣୋଇଙ୍କୁ ୨୦୨୫ ଆଇପିଏଲ୍ ପାଇଁ ରିଟେନ୍ କରିପାରେ ଟିମ୍ । ୨୦୨୨ ମେଗା ନିଲାମ ପୂର୍ବରୁ ୪କୋଟିରେ ଆଇପିଏଲ୍ରେ ସାମିଲ ହୋଇଥିଲେ ରବି ବିଷ୍ଣୋଇ । ସେତେବେଳେ ରବି ବିଷ୍ଣୋଇ ଅନ୍ତର୍ଜାତୀୟ ମ୍ୟାଚ୍ରେ ପଦାର୍ପଣ କରିନଥିଲେ । ୨୦୨୨ରେ ରବି ବିଷ୍ଣୋଇ ୧୩ଟି ୱିକେଟ୍ ନେଇଥିଲେ ।
ଏହି ୩ଜଣଙ୍କ ଅନ୍ୟ ୨ ସମ୍ଭାବ୍ୟ ଖେଳାଳିଙ୍କ ଲିଷ୍ଟରେ ସାମିଲ ହୋଇପାରନ୍ତି ଯୁବ ଦ୍ରୁତ ବୋଲର ମୋହସିନ୍ ଖାନ୍ ଏବଂ ବିସ୍ଫୋରକ ମିଡିଲ୍ ଅର୍ଡର ବ୍ୟାଟ୍ସମ୍ୟାନ୍ ଆୟୁଷ ବଦୋନି । ଗତ ୩ବର୍ଷ ମଧ୍ୟରେ ଉଭୟ ମହାସିନ୍ ଓ ବାଦୋନି ଦଳକୁ ଅନେକ ମ୍ୟାଚ୍ ଜିତାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି ।