LPG ଗ୍ରାହକଙ୍କ ଲାଗି ଜରୁରି ଖବର, ଆଗକୁ ମହଙ୍ଗା ହୋଇପାରେ ସିଲିଣ୍ଡର
30/09/2020 at 8:07 PM

ନୂଆଦିଲ୍ଲୀ ୩୦।୯: ରୋଷେଇ ଗ୍ୟାସ୍ ମୂଲ୍ୟ ହ୍ରାସ ନେଇ ଯେଉଁ ଅନୁମାନ କରାଯାଉଥିଲା ତାହା ଭୁଲ ପ୍ରମାଣିତ ହୋଇଛି। ଆଗାମୀ ଦିନରେ ଗ୍ୟାସ୍ ଦରବୃଦ୍ଧିର ସଙ୍କେତ ମିଳିଲାଣି। ଏଥିରେ କେବଳ ରୋଷେଇ ଗ୍ୟାସ୍ ନୁହେଁ ସିନଏନଜି ଓ ପିଏନଜି ମଧ୍ୟ ମହଙ୍ଗା ହେବ ବୋଲି ଅନୁମାନ କରାଯାଉଛି। ତେବେ ଆସନ୍ତୁ ଜାଣିବା କାହିଁକି ବଢିବ ଗ୍ୟାସ୍ ମୂଲ୍ୟ?

ଗ୍ୟାସ୍ର ମୂଲ୍ୟ ନିର୍ଦ୍ଧାରଣ ଲାଗି ପ୍ରଚଳିତ ପରମ୍ପରା ସରକାର ବଦଳାଇବାକୁ ଯାଉଛନ୍ତି। ୨୦୩୦ ସୁଦ୍ଧା ଦେଶର ଅର୍ଥନୀତିରେ ଗ୍ୟାସର ଭାଗିଦାରୀ ୧୫ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ଚାହୁଁଛନ୍ତି ସରକାର । ଏଥିଲାଗି ପ୍ରଚଳିତ ମୂଲ୍ୟ ନିର୍ଦ୍ଧାରଣ ବ୍ୟବସ୍ଥା ବଦଳାଇବା ନିତ୍ୟାନ୍ତ ଆବଶ୍ୟକ। ଏଣୁ ସରକାର ଜାପାନ ଓ କୋରିଆ ଭଳି ଦେଶରେ ଉତ୍ପାଦିତ ହେଉଥିବା ଗ୍ୟାସର ମୂଲ୍ୟ ମଧ୍ୟ ବଜାର ଅନୁରୂପ ନିର୍ଦ୍ଧାରଣ ହେବ। ସରକାରଙ୍କ ଏହି ନିଷ୍ପତ୍ତି କାର୍ଯ୍ୟକାରୀ ହେଲେ ପ୍ରତି ମିଲିୟନ ବ୍ରିଟିଶ ଥର୍ମାଲ ୟୁନିଟି (ଏମଏମବିଟିୟୁ) ଦରରେ ଅନୁନ୍ୟ ୪ ଡଲାର ପର୍ଯ୍ୟନ୍ତ ବୃଦ୍ଧି ହୋଇପାରେ।

ଗତ ୨୦୧୪ ମସିହାରୁ ସରକାର ଅନ୍ତର୍ଜାତୀୟ ବଜାର ମୂଲ୍ୟ ଅଧାରରେ ପ୍ରତି ୬ ମାସରେ ଥରେ ଗ୍ୟାସ୍ର ମୂଲ୍ୟ ନିର୍ଦ୍ଧାରଣ କରିଆସୁଛନ୍ତି। ଏଥିରେ ଗତ ଦୁଇ ବର୍ଷ ହେଲା ଦେଶରେ ଗ୍ୟାସ୍ ମୂଲ୍ୟ କ୍ରମାଗତ ହ୍ରାସ ହେଉଛି। ଫଳରେ ଦେଶରେ ଗ୍ୟାସ୍ ଉତ୍ପାଦନ କରୁଥିବା କମ୍ପାନୀ ଓଏନଜିସି, ଓଆଇଏଲ, ଆରଆଇଏଲ ଓ ବେଦାନ୍ତ ଆଦି ଉତ୍ପାଦନ ବାବଦେ ହେଉଥିବା ବ୍ୟୟ ବି ଭରଣା କରିପାରୁନାହାନ୍ତି। ଏଣୁ ଗ୍ୟାସ୍ କ୍ଷେତ୍ରରେ ଲାଭ ହ୍ରାସ ନିବେଶକୁ ମଧ୍ୟ ପ୍ରଭାବିତ କରିଛି।

ଦେଶରେ ଯେତିକି ଗ୍ୟାସ୍ ଖର୍ଚ୍ଚ ହେଉଛି ତାର ୫୦ ପ୍ରତିଶତ ବିଦେଶରୁ ଆମଦାନୀ କରାଯାଉଛି। ଯଦି ଦେଶରେ ଗ୍ୟାସ୍ ଉତ୍ପାଦକ ଲାଭବାନ ହେବେ ତେବେ ବିଦେଶରୁ ଗ୍ୟାସ୍ ଆମଦାନୀ ହ୍ରାସ ହେବ। ଏଣୁ ୨୦୩୦ ସୁଧା ଦେଶରେ ଗ୍ୟାସ୍ ବାବଦ ଖର୍ଚ୍ଚକୁ ୧୫ ପ୍ରତିଶତ ବୃଦ୍ଧି କରିବାକୁ ପ୍ରଧାନମନ୍ତ୍ରୀ ଜୋର ଦେଇଆସୁଛନ୍ତି। ଏଥିଲାଗି ଦେଶ ସାରା ଏବେ ଗ୍ୟାସ୍ ପାଇପ୍ ଲାଇନ ବିଛା ଯାଉଛି।