ନୂଆଦିଲ୍ଲୀ: ସେପ୍ଟେମ୍ବର ପହିଲାରୁ ବଦଳି ନିୟମ । ଏଲପିଜି ଗ୍ୟାସ୍ ସିଲିଣ୍ଡରରେ ମହଙ୍ଗା ମାଡ଼ । ଅଗଷ୍ଟ ମାସ ପରେ ପୁଣି ଥରେ ରୋଷେଇ ଗ୍ୟାସ୍ ଦର ବୃଦ୍ଧି ପାଇଛି । ବ୍ୟବସାୟିକ ଗ୍ୟାସ ସିଲିଣ୍ଡର ଉପରେ ତୈଳ ମାର୍କେଟିଂ କମ୍ପାନୀ ମାନେ ୩୯ ଟଙ୍କା ମୂଲ୍ୟ ବୃଦ୍ଧି କରିଛନ୍ତି । ମାତ୍ର ଘରୋଇ ରୋଷେଇ ଗ୍ୟାସ ସିଲିଣ୍ଡର ଉପରେ ଦର ବୃଦ୍ଧିର କୌଣସି ପ୍ରଭାବ ପଡ଼ିନାହିଁ ।
ଆଇଓସିଏଲ ଓ୍ବେବସାଇଟ୍ ମୁତାବକ, ସେପ୍ଟେମ୍ବର ପହିଲାରୁ ଦିଲ୍ଲୀରୁ ନେଇ ମୁମ୍ବାଇ ପର୍ଯ୍ୟନ୍ତ କର୍ମସିଆଲ୍ ଗ୍ୟାସ୍ ସିଲିଣ୍ଡର ଦାମ୍ ବଢ଼ିଛି । ଏହି ଦର ସକାଳ ୬ଟାରୁ ଲାଗୁ ହୋଇଛି । ରାଜଧାନୀ ଦିଲ୍ଲୀରେ ୧୯ କିଲୋଗ୍ରାମ୍ ସିଲିଣ୍ଡର ଦର ୧୬୫୨.୫୦ ଟଙ୍କାରୁ ବଢ଼ି ୧୬୯୧.୫୦ ଟଙ୍କା ହୋଇଛି । ସେହିପରି କୋଲକାତାରେ ବ୍ୟବସାୟିକ ରୋଷେଇ ଗ୍ୟାସ ଦର ୧୭୬୪.୫୦ ଟଙ୍କାରୁ ବୃଦ୍ଧି ପାଇ ୧୮୦୨.୫୦ ଟଙ୍କାରେ ପହଞ୍ଚିଛି । କୋଲକାତାରେ 38 ଟଙ୍କା ଦର ବଢ଼ିଛି ।
ଅନ୍ୟ ବଡ଼ ସହରରେ କମର୍ସିଆଲ୍ ଗ୍ୟାସ ସିଲିଣ୍ଡର ଦର ଦେଖିବାକୁ ଗଲେ, ମୁମ୍ବାଇ ୧୯ କିଲୋଗ୍ରାମ୍ ସିଲିଣ୍ଡର ଦର ୧୬୦୫ ଟଙ୍କାରୁ ଦର ବୃଦ୍ଧି ହୋଇ ୧୬୪୪ ଟଙ୍କା ହୋଇଛି । ଚେନ୍ନାଇରେ ଗ୍ୟାସ ସିଲିଣ୍ଡିର ମୂଲ୍ୟ ୧୮୧୭ ଟଙ୍କାରୁ ୧୮୫୫ ଟଙ୍କାରେ ପହଞ୍ଚିଛି ।