ପ୍ରୟାଗରାଜ ମାଘମେଳାରେ ଅଗ୍ନିକାଣ୍ଡ, ସିଲିଣ୍ଡରରେ ଲିକ୍‌ ପରେ ହେଲା ବିସ୍ଫୋରଣ, ଅନେକ ଶ୍ରଦ୍ଧାଳୁ ଆହତ

Published By : Prameya-News7 Bureau | January 28, 2023 IST

ପ୍ରୟାଗରାଜ ୨୮।୧:  ଉତ୍ତରପ୍ରଦେଶ ପ୍ରୟାଗରାଜ ମାଘ ମେଳାରେ ଦୁର୍ଘଟଣା ଘଟିଛି। ଗ୍ୟାସ୍‌ ସିଲିଣ୍ଡର ଫାଟିବା ଯୋଗୁ ମେଳାରେ ଅଗ୍ନିକାଣ୍ଡ ହୋଇଛି। ଫଳରେ ଜଣେ ମହିଳାଙ୍କ ସମେତ ମୋଟ ୬ ଜଣ ଆହତ ହୋଇଛନ୍ତି। ଦୁର୍ଘଟଣାରେ ମହିଳାଙ୍କ ଅବସ୍ଥା ଗୁରୁତର ରହିଛି। ଏହି ଦୁର୍ଘଟଣା ତୁଳସୀ ମାର୍ଗସ୍ଥିତ ଭରଦ୍ୱାଜ ମହୋତ୍ସବ ପେଣ୍ଡାଲ ନିକଟରେ ହୋଇଛି। ସିଲିଣ୍ଡରରେ ଲିକେଜ ପରେ ଭାଲଭ ଫାଟି ବିସ୍ଫୋରଣ  ହୋଇଛି। ଆହତ ଲୋକଙ୍କୁ ଚିକିତ୍ସା ନିମନ୍ତେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଗ୍ୟାସ୍ ସିଲିଣ୍ଡରରେ ବିସ୍ଫୋରଣ ଓ ପରେ ନିଆଁ ଲାଗିଯିବା ଯୋଗୁ ଟେଣ୍ଟ ଓ ଫର୍ଣ୍ଣିଚର ଜଳି ପାଉଁଶ ହୋଇଯାଇଛି। ସୂଚନା ପାଇ ଦମକଳ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ନିଆଁ ଲାଗିବା ଯୋଗୁ ମେଳାରେ ଦଉଡାଧାପଡା ହୋଇଥିଲା। ଅଚଳା ସପ୍ତମୀ ଚଳିତବର୍ଷ  ଶନିବାର ପଡିଥିବାରୁ ମେଳାରେ ବେଶ୍ ଜନଗହଳି ଥିଲା। ଏଣୁ ଦୁର୍ଘଟଣା ଯୋଗୁ ମେଳାକୁ ସଂଯୁକ୍ତ କରୁଥିବା ସବୁ ରାସ୍ତାରେ ଜାମ ଲାଗିଯାଇଥିଲା।

{"id":738645,"width":838,"height":629,"sizeSlug":"full","linkDestination":"none"}

ମାଘ ସପ୍ତମୀ ପାଇଁ ମେଳାରେ ପ୍ରସାଦ ବିତରଣ କାର୍ଯ୍ୟକ୍ରମ ଥିଲା। ଏଥି ପାଇଁ ରୋଷେଇ ଚାଲିଥିବା ବେଳେ ଦୁର୍ଘଟଣା ଘଟିଥିବା ଏସଏସପି ଡା. ରାଜୀବ ନାରାୟଣ ମିଶ୍ର କହିଛନ୍ତି। ସିଲିଣ୍ଡର ପାଇପରେ ଲିକେଜ୍ ହୋଇ ନିଆଁ ଲାଗିଯାଇଥିଲା। ତାକୁ ଲିଭାଇବାକୁ ଯାଇ କିଛି ଲୋକ ଆହତ ହୋଇଛନ୍ତି। ତେବେ ସୂଚନା ପାଇ ଦମକଳ ବିଭାଗ କର୍ମଚାରୀମାନେ ନିଆଁକୁ ଆୟତ୍ତ କରିଥିବା ଏସଏସପି କହିଛନ୍ତି। ଚଳିତବର୍ଷ ମାଘ ମେଳାରେ ୧୪ଟି ଦମକଳ କେନ୍ଦ୍ର ସ୍ଥାପିତ ହୋଇଛି। ଏଣୁ ନିଆଁ ଲାଗିବାମାତ୍ରେ କର୍ମଚାରୀମାନେ ପଦକ୍ଷେପ ନେଇଥିଲେ।    

ମାଘମେଳା ଅସ୍ଥାୟୀ ସାମଗ୍ରୀରେ ନିର୍ମିତ ହୋଇଛି। ଏଥିରେ ପାଳ, କୁଟା, ବାଉଁଶ ଓ ଅନ୍ୟ ଜ୍ୱଳନଶୀଳ ପଦାର୍ଥ ଉପଯୋଗ ହେଉଥିବାରୁ ଅଗ୍ନିକାଣ୍ଡ ହେଲେ ଭୀଷଣ ରୂପ ଧାରଣ କରିବାର ସମ୍ଭାବନା ରହିଛି। ଏଣୁ ଏପରି କୌଣସି ପରିସ୍ଥିତି ଉପୁଜିବା ଆଶଙ୍କାରେ ମେଳାସ୍ଥଳରେ ୧୪ଟି ଦମକଳ କେନ୍ଦ୍ର ସ୍ଥାପିତ ହୋଇଥିଲା, ଯାହା ଦ୍ୱାରା ଦୁର୍ଘଟଣାରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ହୋଇପାରିଛି ବୋଲି ଏସଏସପି କହିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.