ପହିଲାରୁ ଗ୍ରାହକଙ୍କୁ ଆଶ୍ୱସ୍ତି, କମିଲା କମର୍ସିଆଲ ଗ୍ୟାସ୍ ଦର
1/06/2023 at 10:25 AM

ନୂଆଦିଲ୍ଲୀ ୦୧/୦୬: ଆରମ୍ଭ ହୋଇଛି ଜୁନ୍ ମାସ । ପହିଲାରୁ ସାରା ଦେଶରେ ହେବାକୁ ଯାଉଛି ପରିବର୍ତ୍ତନ । ପ୍ରତ୍ୟେକ ମାସ ପରି, ଏହି ମାସରେ ମଧ୍ୟ ଅନେକ ବଡ଼ ପରିବର୍ତ୍ତନ ହୋଇଛି । ଏହି ପରିବର୍ତ୍ତନଗୁଡିକ ୧ଜୁନ୍ ୨୦୨୩ରୁ ଲାଗୁ ହେବ । ଯେଉଁଠାରେ ଗୋଟିଏ ପଟେ ଗ୍ୟାସ ବିତରଣ କମ୍ପାନୀଗୁଡିକ ପୁଣି ଥରେ ୧୯ କିଲୋଗ୍ରାମ ବାଣିଜ୍ୟିକ ସିଲିଣ୍ଡରର ମୂଲ୍ୟ ହ୍ରାସ କରି ଗ୍ରାହକଙ୍କୁ ଆଶ୍ୱସ୍ତି ଦେଇଛନ୍ତି । ସେହିପରି ଇଲେକ୍ଟ୍ରିକ୍ ଦୁଇ ଚକିଆ ଯାନ ମହଙ୍ଗା ହୋଇଛି ।
ସରକାରୀ ତୈଳ ଗ୍ୟାସ କମ୍ପାନୀଗୁଡିକ ପ୍ରତ୍ୟେକ ମାସର ପ୍ରଥମ ଦିନରେ ରନ୍ଧନ ଗ୍ୟାସର ମୂଲ୍ୟ ପରିବର୍ତ୍ତନ କରନ୍ତି । ପ୍ରତି ମାସ ଭଳି, ଏଲପିଜି ସିଲିଣ୍ଡରର ମୂଲ୍ୟ ମଧ୍ୟ ଏହି ମାସର ପ୍ରଥମ ଦିନରେ ସଂଶୋଧିତ ହୋଇଛି । ଜୁନ୍ ୧ ତାରିଖ ଅର୍ଥାତ୍ ଆଜିଠାରୁ ପୁଣି ଥରେ ଦିଲ୍ଲୀରେ ବାଣିଜ୍ୟିକ ସିଲିଣ୍ଡର ୮୩.୫ ଟଙ୍କା ଶସ୍ତା ହୋଇଛି । ୧୯ କିଲୋଗ୍ରାମ ବ୍ୟବସାୟିକ ଏଲପିଜି ଗ୍ୟାସ ସିଲିଣ୍ଡରର ମୂଲ୍ୟ ମଧ୍ୟ ଏପ୍ରିଲ ଏବଂ ମେ ମାସର ପ୍ରଥମ ତାରିଖରେ କମିଥିଲା ।
ମଇ ୧, ୨୦୨୩ରେ, ବାଣିଜ୍ୟିକ ସିଲିଣ୍ଡରଗୁଡ଼ିକର ମୂଲ୍ୟ ପ୍ରାୟ ୧୭୨ ଟଙ୍କା କମି ବର୍ତ୍ତମାନ ଦିଲ୍ଲୀରେ ୧୭୭୩ ଟଙ୍କା ହୋଇଛି । ଚେନ୍ନାଇରେ ଏହା ୧୯୩୭, କୋଲକାତା ୧୮୭୫.୫୦ ଏବଂ ମୁମ୍ବାଇ ୧୭୨୫ ଟଙ୍କାକୁ ଖସି ଆସିଛି । ତେବେ ଏଥର ମଧ୍ୟ ୧୪ କିଲୋଗ୍ରାମ ଏଲପିଜି ସିଲିଣ୍ଡର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ । ସେହିଭଳି ଇଲେକ୍ଟ୍ରିକ୍ ଦୁଇ ଚକିଆ କିଣିବା ଏଣିକି ପଡିବ ମହଙ୍ଗା ।