୨ବର୍ଷ ପରେ ଆରମ୍ଭ ହେବ ଲୋୟର ସୁକତେଲ ପ୍ରକଳ୍ପ କାମ, ବିସ୍ଥାପିତଙ୍କୁ ଖୁବ ଶୀଘ୍ର ମିଳିବ କ୍ଷତିପୂରଣ
10/09/2020 at 2:06 PM

ବଲାଙ୍ଗୀର ୧୦।୦୯: ଆସନ୍ତାକାଲିଠୁ ପୁଣି ଆରମ୍ଭ ହେବ ବଲାଙ୍ଗୀରର ଜୀବନରେଖା କୁହାଯାଉଥିବା ଲୋୟର ସୁକତେଲ ପ୍ରକଳ୍ପ କାମ । ଏଥିପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ତିନି ଜଣିଆ କମିଟି ବଲାଙ୍ଗୀର ଗସ୍ତ କରିଥିଲେ । ବନ୍ଦ ପଡିଥିବା ପ୍ରକଳ୍ପ କାମ କିପରି ଆଗେଇବ ସେନେଇ ସହରର ବିଭିନ୍ନ ଅନୁଷ୍ଠାନ, ବୁନ୍ଧିଜୀବି , ବିସ୍ଥାପିତ ଓ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ସେପଟେ ବିସ୍ଥାପିତଙ୍କୁ ମଧ୍ୟ ସେମାନଙ୍କ କ୍ଷତିପୂରଣ ଟଙ୍କା ଖୁବ ଶୀଘ୍ର ମିଳିବ । ଯାହାକୁ ନେଇ ବଲାଙ୍ଗୀରବାସୀ ଓ ବିସ୍ଥାପିତଙ୍କ ମଧ୍ୟରେ ଖୁସି ଦେଖିବାକୁ ମିଳିଛି ।

ଦୀର୍ଘ ଦୁଇ ବର୍ଷ ହେବ ବନ୍ଦ ପଡିରହିଥିବା ପ୍ରକଳ୍ପ କାମ ପୁଣି ଥରେ ଜୋରସୋରରେ ଆଗେଇବ । ଏଥିପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ବଲାଙ୍ଗୀର ଗସ୍ତ କରିଛନ୍ତି ଜଳ ସଂପଦ ବିଭାଗର ଅତିରିକ୍ତ ସଚିବ, ଓସିସି ସଂସ୍ଥାର ପରିଚାଳନା ନିର୍ଦ୍ଦେଶକ। ସ୍ଥାନୀୟ ସର୍କିଟ ହାଉସରେ ଏନେଇ ଆଲୋଚନା ଚାଲିଛି । ଏହି ଆଲୋଚନାରେ ଜିଲ୍ଳାର ବୁଦ୍ଧିଜିବୀ, କ୍ରିୟାନୁଷ୍ଠାନ କମିଟି ଓ ପ୍ରକଳ୍ପ ପାଇଁ ଦୀର୍ଘ ଦିନରୁ ଆନ୍ଦୋଳନ କରୁଥିବା ଆକ୍ସନ କମିଟି। ପ୍ରକଳ୍ପ କାମ ଚାଲୁଥିବା ସାଇଟକୁ ଯାଇ ବିସ୍ଥାପିତଙ୍କ ବିଭିନ୍ନ ସମସ୍ୟା ଶୁଣିବା ସହ ରାଜ୍ୟ ସରକାରଙ୍କୁ ଜଣାଇବେ ବୋଲି ପ୍ରତିଶୃତି ଦେଇଛି ବଲାଙ୍ଗୀ ଗସ୍ତ କରିଥିବା ଟିମ୍। ତେବେ ଆଲୋଚନା ପରେ ସମସ୍ତେ ଖୁସି ଥିବା ସହ ପ୍ରକଳ୍ପ କାମରେ ସମସ୍ତେ ସହଯୋଗ କରିବେ ବୋଲି କହିଛନ୍ତି ବଲାଙ୍ଗୀର ଗସ୍ତ କରିଥିବା ଅଧକାରୀ।
ବଲାଙ୍ଗୀରର ଜୀବନରେଖା କୁହାଯାଉଥିବା ଲୋୟର ସୁକତେଲ ପ୍ରକଳ୍ପ ପାଇଁ ରାଜ୍ୟ ସରକାର ଏପର୍ଯ୍ୟନ୍ତ ପାଖାପାଖି ୧୨ ଶହ କୋଟି ଟଙ୍କା ଖର୍ଚ୍ଚ କରିସାରିଲେଣି। ୨୦୦୦ ମସିହାରୁ ଆରମ୍ଭ ହୋଇଥିବା ଏହି ପ୍ରକଳ୍ପ ପାଇଁ ୨୯ ଖଣ୍ଡ ଗାଁର ଲୋକ ବିସ୍ଥାପିତ ହୋଇଛନ୍ତି। ଏବେ ବି ବହୁ ଗାଁର ବିସ୍ଥାପିତ ସେମାନଙ୍କ କ୍ଷତିପୁରଣ ବାବଦକୁ ଟଙ୍କା ପାଇ ପାରି ନାହାନ୍ତି। ଏନେଇ ଗତ ଅଗଷ୍ଟ ମାସରେ ବଲାଙ୍ଗୀର ଆକ୍ସନ କମିଟି ତରଫରୁ ଜିଲ୍ଳାପାଳଙ୍କୁ ଭେଟି ପ୍ରକଳ୍ପ କାମ ଆଗେଇବାକୁ ନିବେଦନ କରାଯାଇଥିଲା। ଏପରିକି ଗୋଟିଏ ମାସ ମଧ୍ୟରେ ରାଜ୍ୟ ସରକାର ପଦକ୍ଷେପ ନେବାକୁ ଡେଡଲାଇନ ଦେଇଥିଲା ଆକ୍ସନ କମିଟି।
ସେପଟେ ରାଜ୍ୟ ସରକାରଙ୍କ ପଦକ୍ଷେପକୁ ସ୍ବାଗତ କରିବା ସହ ଆଗାମୀ ଦିନରେ ଯଦି ପ୍ରକଳ୍ପ କାମରେ କୌଣସିବି ବିଭ୍ରାଟ ଦେଖାଦିଏ , ତାହେଲେ ଆକ୍ସନ କମିଟି ନିଜେ ପ୍ରକଳ୍ପ କାମ କରିବ ବୋଲି ଚେତାବନୀ ଦେଇଛି ।