ଭୁବନେଶ୍ୱର ୧୦।୦୭ : ଆସନ୍ତା ୧୪ ତାରିଖରେ ଓଡ଼ିଶା ଉପକୂଳ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ। ୧୭ ତାରିଖ ସୁଦ୍ଧା ଏହା ଲଘୁଚାପରେ ପରିଣତ ହେବ। ଏହା ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ହେବ। ସୋଆ ଜଳବାୟୁ ଓ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ସାହୁ ଏଭଳି ପୂର୍ବାନୁମାନ କରିଛନ୍ତି।
ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ମଧ୍ୟ ଲଘୁଚାପ ସୃଷ୍ଟିକୁ ନେଇ ଆକଳନ କରିଛନ୍ତି । ୧୬ ତାରିଖରେ ଘୂର୍ଣ୍ଣିବଳୟ ସୃଷ୍ଟି ପରେ ଏହା ଲଘୁଚାପ ରୂପ ନେବ । ଏହା ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ଭାରୀ ବର୍ଷା ହେବ ବୋଲି ସେ କହିଛନ୍ତି । ପ୍ରଫେସର ଡ. ପଶୁପାଳକଙ୍କ ଆକଳନ କହୁଛି, ଆସନ୍ତା ୩ ଦିନ ଯାଏ ଖୋର୍ଦ୍ଧା, ଢେଙ୍କାନାଳ, ଯାଜପୁର, ଭଦ୍ରକ, ଦେବଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼ରେ ହାଲୁକାରୁ ସ୍ୱଳ୍ପ ବର୍ଷା ହୋଇପାରେ। କୋରାପୁଟ, ମାଲକାନଗିରି,ରାୟଗଡ଼ା,ଗଞ୍ଜାମ,ଗଜପତିରେ ମଧ୍ୟମ ପରିମାଣର ବର୍ଷା ହେବ । ୧୧ରେ କିଛି ସ୍ଥାନରେ ଭାରୀ ବର୍ଷା ହୋଇପାରେ। ଭୁବନେଶ୍ୱରରେ ୧୪,୧୫ ଓ ୧୬ରେ ମଧ୍ୟମ ବା ଭାରୀ ବର୍ଷା ସମ୍ଭାବନା ଅଛି ।
ଡ. ଶରତ ସାହୁ କହିଛନ୍ତି, ଏବେ ବାୟୁମଣ୍ଡଳରେ ଅଧିକ ଜଳୀୟବାଷ୍ପ ଅଛି । ୧୨ ତାରିଖ ପରେ ଆରବସାଗରରୁ ପବନ ବହିବ । ବାୟୁର ଚାପ କ୍ରମଶଃ କମିବ । ୧୪ରେ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ଏହା ଲଘୁଚାପ ରୂପ ନେବ । ଏହା ପ୍ରଭାବରେ ୧୬ରୁ ୧୯ ତାରିଖ ଯାଏ ପ୍ରବଳ ବର୍ଷା ହେବ । ପାଣିପାଗ କେନ୍ଦ୍ରର ପୂର୍ବାନୁମାନ କହୁଛି, ଆସନ୍ତା ତିନି ଦିନ ରାଜ୍ୟରେ କାଁ ଭାଁ ବର୍ଷା ହୋଇପାରେ । ୧୦ରେ କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ୧୧ ଓ ୧୨ରେ ପାଗ ପ୍ରାୟତଃ ଶୁଖିଲା ରହିବ । ୧୩ରେ ପ୍ରବଳ ବର୍ଷା ହେବ । ମୟୂରଭଞ୍ଜ, କେନ୍ଦୁଝର, କୋରାପୁଟ, ରାୟଗଡ଼ା, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି ଓ କନ୍ଧମାଳର କିଛି ସ୍ଥାନରେ ଭାରୀ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ମଙ୍ଗଳବାର ରାୟଗଡ଼ାରେ ୨୬.୪ମିମି ବର୍ଷା ହୋଇଛି । ଭଦ୍ରକରେ ୧୪.୧, ନବରଙ୍ଗପୁରରେ ୧୪, କୋରାପୁଟରେ ୧୧.୨, ପୁରୀରେ ୯.୪ ଓ ଚାନ୍ଦବାଲିରେ ୪.୪ମିମି ବର୍ଷା ହୋଇଛି । ଗତ ୨୪ ଘଣ୍ଟାରେ କୋରାପୁଟରେ ୫୧.୬, ଧର୍ମଗଡ଼ରେ ୪୯, କୋରାପୁଟ ସିମିଳିଗୁଡ଼ାରେ ୪୮, ଗଜପତି ଗୁମାରେ ୪୩, ସମ୍ବଲପୁର ରେଢ଼ାଖୋଲରେ ୪୧, କୋରାପୁଟ ଲମତାପୁଟରେ ୪୦.୨ମିମି ବର୍ଷା ହୋଇଛି ।