ଫିକା ପଡ଼ିପାରେ ଦଶହରା, ଦକ୍ଷିଣ ଚୀନ୍‌ ସାଗରରେ ଆସିବ ଟାଇଫୁନ ନୋରୁ, ଭିଜିବ ଓଡ଼ିଶା

Published By : Prameya-News7 Bureau | September 26, 2022 IST

ଭୁବନେଶ୍ୱର, ୨୬/୦୯: ଚଳିତ ବର୍ଷ ଦୁର୍ଗା ପୂଜାର ମାହୋଲ ଟିକେ ଫିକା ପଡ଼ିବାର ସମ୍ଭାବନା ରହିଛି । କାରଣ ଏଥର ଦଶହରାରେ ଭିଜିବ ଓଡ଼ିଶା । ଦକ୍ଷିଣ ଚୀନ୍‌ ସାଗରରେ ଟାଇଫୁନ ନୋରୁର ପ୍ରଭାବରେ ଆସନ୍ତା ଅକ୍ଟୋବର ୨ ରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହି ଲଘୁଚାପ ଯୋଗୁ ଓଡ଼ିଶାରେ ପୂଜା ସମୟରେ ବର୍ଷା ହୋଇପାରେ ।

ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଏବଂ ଜଳବାୟୁ କେନ୍ଦ୍ରର ସୂଚନା ଅନୁଯାୟୀ ଟାଇଫୁନ ନୋରୁ ପ୍ରଭାବରେ ପୂର୍ବ କେନ୍ଦ୍ର ବଙ୍ଗୋପସାଗର ଏବଂ ଏହାର ସଂଲଗ୍ନ ମିଆଁମାର ଉପକୂଳରେ ଏକ ଅପର ଏଆର ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ଥିବାବେଳେ ଏହା ଉତ୍ତର-ପଶ୍ଚିମ ଆଡକୁ ଗତି କରିବ ବୋଲି ଆଶା କରାଯାଉଛି । ବାଂଲା ଦେଶ ଉପକୂଳର ନିକଟବର୍ତ୍ତୀ ଅଂଚଳରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଥିବାବେଳେ ଏହା ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରି ଅକ୍ଟୋବର ୩ ସୁଦ୍ଧା ଉତ୍ତର ଓଡ଼ିଶା ଉପକୂଳ ଆଡକୁ ଆସିବ ଏବଂ ଠିକ ତାର ପରଦିନ ପଶ୍ଚିମ ଓଡ଼ିଶା ମୁହାଁ ହେବ ବୋଲି ଜଣାପଡ଼ିଛି ।

ଏହାର ପ୍ରଭାବରେ ଓଡ଼ିଶାର ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, କଟକ, କେନ୍ଦ୍ରାପଡା, ଯାଜପୁର, ଭଦ୍ରକ, ବାଲେଶ୍ୱର, ମୟୁରଭଞ୍ଜ, କେନ୍ଦୁଝର, ଢ଼େଙ୍କାନାଳ ଏବଂ ଅନୁଗୁଳରେ ଅକ୍ଟୋବର ୨ ରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାବେଳେ ଉପକୂଳ ଓଡ଼ିଶାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ଅକ୍ଟୋବର ୩ ରେ ଖୋର୍ଦ୍ଧା, କଟକ, ଯାଜପୁର, ନୟାଗଡ଼, ଢ଼େଙ୍କାନାଳ, ଅନୁଗୁଳ, କନ୍ଧମାଳ, କଳାହାଣ୍ଡି, ବଲାଙ୍ଗୀର, ସୋନପୁର, ବୌଦ, ସମ୍ବଲପୁର, ଦେବଗଡ଼, ବରଗଡ଼, କେନ୍ଦୁଝର ଏବଂ ସୁନ୍ଦରଗଡ଼ ପ୍ରଭୃତି ଜିଲ୍ଲାଗୁଡିକରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।
ଆଜିଠାରୁ ଆସନ୍ତା ୧ ତାରିଖ ପର୍ଯ୍ୟନ୍ତ ବର୍ଷା ଜାରି ରହିବାର ସମ୍ଭାବନା ଥିବାବେଳେ ଅକ୍ଟୋବର ୪ ରୁ ୬ ତାରିଖ ସାରା ଓଡ଼ିଶାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.