ଆସୁଛି ଲଘୁଚାପ, ୨୭ ପରେ କମିବ ବର୍ଷା: ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଘୂର୍ଣ୍ଣିବଳୟ ସମ୍ଭାବନା
25/08/2023 at 8:33 AM

ଭୁବନେଶ୍ୱର ୨୫/୦୮: ବର୍ତ୍ତମାନ ରାଜ୍ୟରେ ବଡ଼ ବର୍ଷା ସମ୍ଭାବନା ନାହିଁ । ୨୬ ତାରିଖ ପରେ ବର୍ଷା କମିଯିବ । କାଁ ଭାଁ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଉତ୍ତର ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସମ୍ଭାବନା ଅଛି । ଏହା ପ୍ରଭାବରେ ବଡ଼ ବର୍ଷା ହେବା ନେଇ ମଧ୍ୟ ସନ୍ଦେହ ରହିଛି । ଏହାର ଅବସ୍ଥିତି ଓ ତୀବ୍ରତା ଉପରେ ବର୍ଷା ନିର୍ଭର କରୁଛି । ସମ୍ଭାବ୍ୟ ଘୂର୍ଣ୍ଣିବଳୟ ଘନୀଭୂତ ହେଲେ ସେପ୍ଟେମ୍ବର ପ୍ରଥମ ସପ୍ତାହରେ ବର୍ଷା ବଢ଼ିପାରେ।
ଆଗାମୀ ଦୁଇ ସପ୍ତାହ ପର୍ଯ୍ୟନ୍ତ ପାଣିପାଗ ବିଭାଗ ନୂଆ ଆକଳନ ଜାରି କରିଛି । ଏହି ଆକଳନ ଅନୁସାରେ ଚଳିତ ମାସ ଶେଷ ସୁଦ୍ଧା ଆଉ କୌଣସି ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସମ୍ଭାବନା ନାହିଁ । ତେବେ ଆସନ୍ତା ସେପ୍ଟେମ୍ବର ମାସର ପ୍ରଥମ ସପ୍ତାହରେ (୨/୩ ତାରିଖବେଳକୁ) ଉତ୍ତର ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ଏହା ଘନୀଭୂତ ହେବା ସମ୍ଭାବନା କମ୍ ।
ଏହି ଆକଳନରେ କୁହାଯାଇଛି, ଆସନ୍ତା ୩୦ ତାରିଖ ଭିତରେ ପୂର୍ବ ଭାରତରେ ସ୍ୱାଭାବିକ ପାଖାପାଖି ବର୍ଷା ହୋଇପାରେ । ୨୬ ତାରିଖ ଭିତରେ ଓଡ଼ିଶାର କେତେକ ଜାଗାରେ ପ୍ରବଳ ବର୍ଷା ସମ୍ଭାବନା ଅଛି । ଏହା ପରେ ଆଉ ବଡ଼ ବର୍ଷା ସମ୍ଭାବନା ନାହିଁ । ସେପ୍ଟେମ୍ବର ୧ରୁ ୬ ତାରିଖ ଭିତରେ ପୂର୍ବ ଭାରତରେ ଭଲ ବର୍ଷା ହେବ । ଓଡ଼ିଶାରେ ବି ବର୍ଷା ଭଲ ରହିପାରେ ।
ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ, ଶୁକ୍ରବାର ରାଜ୍ୟର ଅନେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ବାଲେଶ୍ୱରରୁ ପୁରୀ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶା ଏବଂ ପାଶ୍ୱର୍ବର୍ତ୍ତୀ କେନ୍ଦ୍ରୀୟ ଅଞ୍ଚଳ ଏବଂ ଦକ୍ଷିଣର କେତେକ ଜାଗାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ଅଛି । ସୁନ୍ଦରଗଡ଼, କେନ୍ଦୁଝର, ଯାଜପୁର, ଭଦ୍ରକ, ମୟୂରଭଞ୍ଜ, କେନ୍ଦ୍ରାପଡ଼ାରେ ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ହୋଇପାରେ । ୨୬ ତାରିଖ ପରେ ବର୍ଷା ଆହୁରି କମିଯିବ ।
ପାଗ ପ୍ରାୟତଃ ଶୁଖିଲା ରହିବ । କାଁ ଭାଁ ବର୍ଷା ହୋଇପାରେ । ସୋଆ ଜଳବାୟୁ ଓ ପରିବେଶ କେନ୍ଦ୍ର ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁଙ୍କ ଆକଳନ ହେଲା, ରାଜ୍ୟରେ ବର୍ତ୍ତମାନ ବିଶେଷ ବର୍ଷା ସମ୍ଭାବନା ନାହିଁ । ସ୍ଥାନେ ସ୍ଥାନେ ଘଡ଼ଘଡ଼ି ସହ ଅସରାଏ ବର୍ଷା ହୋଇପାରେ । ୨ ତାରିଖ ବେଳକୁ ଉତ୍ତର ପୂର୍ବ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସମ୍ଭାବନା ଅଛି । ଏହା ଘନୀଭୂତ ହେଲେ ବର୍ଷା ବଢ଼ିପାରେ । ବର୍ତ୍ତମାନ ରାଜ୍ୟକୁ ଉତ୍ତର ପଶ୍ଚିମରୁ ପବନ ପ୍ରବାହିତ ହେଉଛି ।