ଆଉ ଏକ ଲଘୁଚାପ, ୩୦ ଯାଏଁ ସାରା ରାଜ୍ୟରେ ବର୍ଷା

Published By : Prameya-News7 Bureau | July 29, 2021 IST

ଭୁବନେଶ୍ୱର, ୨୯|୦୭:    ଗୋଟିଏ ଲଘୁଚାପ ଗଲା । ଆଉ ଗୋଟିଏ ଲଘୁଚାପ ଆସିଲା । ତଥାପି ଏହା ପ୍ରଭାବରେ ରାଜ୍ୟରେ ଏଯାଏ ବିଶେଷ ବର୍ଷା ହୋଇନାହିଁ । ଲଗାଣ ବର୍ଷା କିମ୍ବା ବିସ୍ତୃତ ଅଞ୍ଚଳରେ ବର୍ଷା ସମ୍ଭାବନା କମ୍‌ । ଅନ୍ୟପଟେ ରାଜ୍ୟରେ ବର୍ଷା ଅଭାବୀ ସ୍ଥିତି ଜାରି ରହିଛି । ଏବେ ବି ଅଧା ଓଡ଼ିଶାରେ ସ୍ୱାଭାବିକଠାରୁ କମ୍‌ ରହିଛି ବର୍ଷା। ଲଘୁଚାପ ପ୍ରଭାବରେ ରାଜ୍ୟରେ ଆଉ ଦୁଇ ଦିନ ବର୍ଷା ହୋଇପାରେ। ମାତ୍ର ବିଶେଷ ବଡ଼ ବର୍ଷା ସମ୍ଭାବନା ଦେଖାଯାଉନାହିଁ। ତେଣୁ ସ୍ଥିତି ସୁଧୁରିବା ସମ୍ଭାବନା କମ୍‌ ରହିଛି ।

ଲଘୁଚାପ ଘନୀଭୂତ ହୋଇ ସ୍ପଷ୍ଟ ଚିହ୍ନଟ ଲଘୁଚାପରେ ପରିଣତ ହୋଇ ବାଂଲାଦେଶ ଉପକୂଳ ଓ ସଂଲଗ୍ନ ପଶ୍ଚିମବଙ୍ଗ ଉପରେ ଅଛି । ଏହା ପଶ୍ଚିମରେ ଗତି କରି ପଶ୍ଚିମବଙ୍ଗ, ବିହାର, ଝାଡ଼ଖଣ୍ଡ ଅତିକ୍ରମ କରିବ । ଏହା ପ୍ରଭାବରେ ଓଡ଼ିଶାରେ ୩୦ ତାରିଖ ଯାଏ ବର୍ଷା ହେବ । ମୁଖ୍ୟତଃ ଉତ୍ତର ଓଡ଼ିଶାରେ ହାଲୁକାରୁ ମଧ୍ୟମ ବର୍ଷା ହେବ । କେତେକ ଜାଗାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ ।

୨୯ ତାରିଖରେ ଉତ୍ତର ଓଡ଼ିଶାର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ହେବ । ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜର ଗୋଟିଏ ଦୁଇଟି ଜାଗାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ଦେବଗଡ଼, ଅନୁଗୁଳ, ସମ୍ବଲପୁର, ସୋନପୁର, ବରଗଡ଼, ଝାରସୁଗୁଡ଼ା ଓ ଢେଙ୍କାନାଳରେ ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ହୋଇପାରେ । ୩୦ ତାରିଖରେ ଉତ୍ତର ଓଡ଼ିଶାରେ ମୁଖ୍ୟତଃ ବର୍ଷା ସମ୍ଭାବନା ଅଛି । ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼ରେ ପ୍ରବଳରୁ ଅତି ପ୍ରବଳ ଏବଂ ନୂଆପଡ଼ା, ବଲାଙ୍ଗିର, ସୋନପୁର, କେନ୍ଦୁଝରରେ ପ୍ରବଳ ବର୍ଷା ହୋଇପାରେ । ୩୧ରେ ବର୍ଷା ପରିମାଣ କମିବ । ତଥାପି କେତେକ ଜାଗାରେ ବର୍ଷା ହେବ।

ଜୁନ୍‌ ପହିଲାରୁ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୨୨% କମ୍‌ ବର୍ଷା ହୋଇଛି । ୧୫ଜିଲ୍ଲାରେ ବର୍ଷା ନିଅଣ୍ଟିଆ ରହିଛି । ଯାଜପୁରରେ ସ୍ୱାଭାବିକଠାରୁ ୪୯% କମ୍‌ ବର୍ଷା ହୋଇଥିବାବେଳେ ଭଦ୍ରକରେ ୪୫% କମ୍‌ ବର୍ଷା ହୋଇଛି । ବଲାଙ୍ଗିରରେ ୪୧% ବର୍ଷା ନିଅଣ୍ଟିଆ ଥିବାବେଳେ ନବରଙ୍ଗପୁର, ଗଜପତି, ରାୟଗଡ଼ା, କଳାହାଣ୍ଡିରେ ୩୫ ପ୍ରତିଶତ ଲେଖାଏଁ ବର୍ଷା କମ୍‌ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.