ଘନୀଭୂତ ହେଉଛି ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ; ୧୫ରୁ ୧୭ ମଧ୍ୟରେ ବର୍ଷା

Published By : Prameya-News7 Bureau | December 11, 2018 IST

ଭୁବନେଶ୍ବର ୧୧|୧୨: ଦକ୍ଷିଣ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଘନୀଭୂତ ହେବ । ଘନୀଭୂତ ହେବା ପରେ ଅବପାତର ରୂପ ନେଇ ୧୪ ତାରିଖ ବେଳକୁ ଗଭୀର ଅବପାତରେ ପରିଣତ ହେବ । ଗଭୀର ଅବପାତ ରୂପ ନେବା ପରେ ତାହା ବାତ୍ୟାରେ ପରିଣତ ହୋଇପାରେ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି। ଲଘୁଚାପ ଅବପାତରେ ପରିଣତ ହେବା ପରେ ତାମିଲନାଡ଼ୁ ଓ ଆନ୍ଧ୍ରପ୍ରଦେଶ ଉପରେ ତାର ପ୍ରଭାବ ପଡ଼ିବ। ଉତ୍ତର ତାମିଲନାଡ଼ୁ ଓ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳରେ ବାତ୍ୟା ମାଡ଼ ହେବାର ସମ୍ଭାବନା ରହିଛି। ଯଦି ଗତିପଥ ବଦଳାଇବ ତେବେ ଓଡ଼ିଶା ଆଡ଼କୁ ବି ଆସିପାରେ ବୋଲି ଅନୁମାନ କରାଯାଉଛି। ଲଘୁଚାପ ପ୍ରଭାବରେ ଆଜିଠାରୁ ଆଣ୍ଡାମାନ ନିକୋବରରେ ବର୍ଷା ଆରମ୍ଭ ହୋଇଛି। ଆସନ୍ତା ୫ ଦିନ ପର୍ଯ୍ୟନ୍ତ ବର୍ଷା ଲାଗିରହିବ। ୧୩ ତାରିଖଠାରୁ ତାମିଲନାଡ଼ୁ, ପଣ୍ଡିଚେରି, ଆନ୍ଧ୍ରପ୍ରଦେଶ, ରୟାଲସିମା, କର୍ଣ୍ଣାଟକ ଆଦି ରାଜ୍ୟରେ ବର୍ଷା ହେବ। ଆନ୍ଧ୍ରପ୍ରଦେଶ ଓ ତାମିଲନାଡ଼ୁ ସମୁଦ୍ର ଉପକୂଳ ୧୨ ତାରିଖଠାରୁ ଅଶାନ୍ତ ରହିବ। ତେଣୁ ଉକ୍ତ ରାଜ୍ୟ ଗୁଡ଼ିକର ମତ୍ସଜୀବୀମାନେ ସମୁଦ୍ରକୁ ନ ଯିବା ପାଇଁ ପାଣିପାଗ ବିଭାଗ ପରାମର୍ଶ ଦେଇଛି।

{"id":62765}

ଲଘୁଚାପର ପ୍ରଭାବ ଓଡ଼ିଶା ଉପରେ କିଭଳି ରହିବ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ତେବେ ପାଣିପାଗ ବିଶେଷଜ୍ଞ ଶରତ ଚନ୍ଦ୍ର ସାହୁଙ୍କ ସୂଚନା ଅନୁସାରେ ସୃଷ୍ଟି ହୋଇଥିବା ଲଘୁଚାପ ଆସନ୍ତା ୭୨ ଘଣ୍ଟା ମଧ୍ୟରେ ଅଧିକ ଘନୀଭୂତ ହୋଇ ତାମିଲନାଡ଼ୁ ଓ ଆନ୍ଧ୍ରପ୍ରଦେଶ ଉପକୂଳ ଆଡ଼କୁ ମୁହାଁଇବ। ଉପକୂଳ ଅତିକ୍ରମ କରିବା ପରେ ଏହା ଓଡ଼ିଶା ଆଡ଼କୁ ଆସିପାରେ। ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ହେବ। ଏଥିସହ ଖୋର୍ଦ୍ଧା, ପୁରୀ, ନୟାଗଡ଼ ଓ ଗଞ୍ଜାମ ଜିଲ୍ଲାରେ ୧୫ ଓ ୧୬ ତାରିଖରେ ବର୍ଷା ହେବାର ଆଶଙ୍କା ରହିଛି। ଜଗତସିଂହପୁର, କେନ୍ଦ୍ରାପଡ଼ା, ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାରେ ବି ୧୭ ତାରିଖ ବେଳକୁ ବର୍ଷା ହୋଇପାରେ। ବାତ୍ୟା କିମ୍ବା ପବନର ପ୍ରଭାବ ଓଡ଼ିଶା ଉପରେ ପଡ଼ି ନପାରେ। କିନ୍ତୁ ବର୍ଷା ହେବାର ସମ୍ଭାବନା ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.