ଆଣ୍ଡାମାନ ସାଗରରେ ଦାନା ବାନ୍ଧୁଛି ଲଘୁଚାପ, ଆସିପାରେ ଗ୍ରୀଷ୍ମକାଳୀନ ବାତ୍ୟା

Published By : Prameya-News7 Bureau | April 30, 2022 IST

ଭୁବନେଶ୍ୱର, ୩୦/୦୪: ଦାନା ବାନ୍ଧୁଛି ବାତ୍ୟା ଆସାନୀ । ସ୍ଥିତି ବି ଅନୁକୂଳ । ଯଦି ପ୍ରାକ୍‌ ଆକଳନ ଠିକ୍‌ ହୁଏ, ତେବେ ଆସନ୍ତା ମେ' ୧୦ ତାରିଖ ବେଳକୁ ଆସିପାରେ ଆଉ ଏକ ଗ୍ରୀଷ୍ମକାଳୀନ ବାତ୍ୟା । ଏହି ଖରାଦିନିଆ ସମ୍ଭାବ୍ୟ ବାତ୍ୟା ଆଶଙ୍କା ଚିନ୍ତା ବଢ଼ାଇଛି ପ୍ରାକୃତିକ ଦୁର୍ବିପାକର ସହଜ ଠିକଣା ଓଡ଼ିଶା ପାଇଁ । ସମ୍ଭାବ୍ୟ ବାତ୍ୟାକୁ ନେଇ ଭିନ୍ନଭିନ୍ନ ଆକଳନ କରିଛନ୍ତି ବିଭିନ୍ନ ପାଣିପାଗ ସଂସ୍ଥା ମଡେଲ । ଦକ୍ଷିଣ ଆଣ୍ଡାମାନ ଓ ଏହାର ଆଖପାଖରେ ଆସନ୍ତା ୪ ତାରିଖ ବେଳକୁ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସମ୍ଭାବନା ଅଛି । ୬ ତାରିଖରେ ଏହା ଲଘୁଚାପରେ ପରିଣତ ହେବ ।

ପରବର୍ତ୍ତୀ ୨୪ ଘଣ୍ଟାରେ ଏହା ଅଧିକ ଘନୀଭୂତ ହୋଇପାରେ । ଆଇଏମଡିର ବିସ୍ତାରିତ ପୂର୍ବାନୁମାନ ଅନୁଯାୟୀ ସମ୍ଭାବ୍ୟ ଲଘୁଚାପ ଅବପାତ ରୂପ ନେଇ ଆସନ୍ତା ୧୦ ତାରିଖ ବେଳକୁ ବାତ୍ୟା ରୂପ ଧାରଣ କରିପାରେ। ଏହାର ବେଗ ଘଣ୍ଟା ପ୍ରତି ୭୫ ରୁ ୧୦୦ କିଲୋମିଟର ହୋଇପାରେ ବୋଲି ଅନୁମାନ କରାଯାଇଛି। ବାତ୍ୟା ଆନ୍ଧ୍ର-ଓଡ଼ିଶା-ପଂଶ୍ଚିମବଙ୍ଗ ଉପକୂଳ ଦେଇ ସ୍ଥଳଭାଗ ଅତିକ୍ରମ କରିବା ସମ୍ଭାବନା ରହିଛି। ଉପକୂଳ ଓଡ଼ିଶାରେ ବାତ୍ୟାର ପ୍ରଭାବ ଅନୁଭୂତ ହୋଇପାରେ। ବିଶେଷ କରି କେନ୍ଦ୍ରାପଡା  ପୁରୀ, ଜଗତ୍‌ସିଂହପୁର ଜିଲ୍ଲାର କେତେକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ। ବର୍ତ୍ତମାନ ପାଣିପାଗ ବାତ୍ୟା ସୃଷ୍ଟି ପାଇଁ ଅନୁକୂଳ ସ୍ଥିତି ସୃଷ୍ଟି କରିଛି ।

ସମୁଦ୍ର ପୃଷ୍ଠ ତାପମାତ୍ରା ୩୧-୩୨ ଡିଗ୍ରୀ ରହୁଛି । ସମୁଦ୍ର ଜଳପତ୍ତନର ତାପମାତ୍ରା ୨୬ ଡିଗ୍ରୀରୁ ଅଧିକ ହେଲେ ବାତ୍ୟା ସୃଷ୍ଟି ହେବାକୁ ପାଗ ଅନୁକୂଳ ହୋଇଥାଏ । ସେହିପରି ସମୁଦ୍ର ଭିତରେ ତାପଜ ଶକ୍ତି ବି ଅନୁକୂଳ ସ୍ଥିତି ସୃଷ୍ଟି କରୁଛି । ତେଣୁ ବାତ୍ୟା ହେବା ସମ୍ଭାବନା ରହିଛି ବୋଲି ଆକଳନ କରିଛନ୍ତି ସୋଆ ପରିବେଶ ଜଳବାୟୁ କେନ୍ଦ୍ର ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁ। ତେବେ ସମ୍ଭାବ୍ୟ ବାତ୍ୟାର ରୂପରେଖ କିପରି ହେବ ଓ ଏହା କେଉଁ ଆଡ଼କୁ ଗତି କରିବ ସେ ନେଇ ପାଣିପାଗ ବିଭାଗ ପକ୍ଷରୁ ସ୍ପଷ୍ଟ ସୂଚନା ଦିଆଯାଇନାହିଁ।

ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାବେଳେ ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟା ଡରାଇବା ଆରମ୍ଭ କଲାଣି । ବାତ୍ୟା ଆସାନି ଓଡ଼ିଶା ପାଇଁ ଆଶଙ୍କା ବଢ଼ାଇଛି । ଏହି ପୂର୍ବାନୁମାନ ଚିତ୍ର ଅନୁସାରେ ସମ୍ଭାବ୍ୟ ବାତ୍ୟା ଓଡ଼ିଶାରେ ମାଡ଼ ହେବା ସମ୍ଭାବନା ଅଧିକ ।

ସୂଚନାଯୋଗ୍ୟ, ୨୦୧୯ରେ ଓଡ଼ିଶାବାସୀ ପ୍ରଥମ ଥର ପାଇଁ ଗ୍ରୀଷ୍ମକାଳୀନ ବାତ୍ୟ ସାମ୍ନା କରିଥିଲେ । ୨୦୧୯ ମେ' ୩ରେ ଓଡ଼ିଶା ଉପକୂଳକୁ ଧ୍ୱସ୍ତବିଧ୍ୱସ୍ତ କରିଦେଇଥିଲା ପ୍ରଳୟଙ୍କାରୀ 'ଫନି' । ୨୦୨୦ ମେ'ରେ ଅମ୍ପାନ, ୨୦୨୧ରେ ୟାସ୍‌ ବାତ୍ୟା ଆସିଥିଲା । ୨୦୨୨ରେ ପୁଣି ଗ୍ରୀଷ୍ମକାଳୀନ ବାତ୍ୟା ଆଶଙ୍କା ଦେଖାଦେଲାଣି । ଅନ୍ୟପଟେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଦିନ ତାପମାତ୍ରାରେ କୌଣସି ବଡ଼ ପରିବର୍ତ୍ତନ ହେବ ନାହିଁ । ଆଜି ଆଭ୍ୟନ୍ତରୀଣ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ସମ୍ଭାବନା । ସେହିସବୁ ଜିଲ୍ଲା ଗୁଡିକ ହେଲା ସୁନ୍ଦରଗଡ, କେଉଁଝର,ଦେଓଗଡ଼, ଅନୁଗୁଳ, ଝାରସୁଗୁଡା, ସମ୍ବଲପୁର, ସୋନପୁର, ବୌଦ୍ଧ, ବରଗଡ଼, ବଲାଙ୍ଗୀର । ବଙ୍ଗୋପସାଗର ମଧ୍ୟରୁ ଦକ୍ଷିଣ ଏବଂ ଦକ୍ଷିଣ ପୂର୍ବ ଦିଗରୁ ରାଜ୍ୟ ମଧ୍ୟକୁ ପ୍ରବେଶ କରୁଛି ଜଳୀୟବାଷ୍ପ । ପୂର୍ଣ୍ଣବାୟୁ ପ୍ରଭାବରେ, ଆସନ୍ତା କାଲିଠାରୁ ୩ ଦିନ ଯାଏଁ ରାଜ୍ୟରେ ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା। କାଳବୈଶାଖୀ ପ୍ରଭାବରେ ୨ ରୁ ୩ ଦିନ ମଧ୍ୟରେ ୨ ଡ଼ିଗ୍ରୀ ଯାଏଁ ଖସିବ ତାପମାତ୍ରା ବୋଲି ସୂଚନା ଦେଇଛନ୍ତି ଆଂଚଳିକ ପାଣିପାଗ ବିଭାଗ ନିର୍ଦ୍ଦେଶକ ।

ତେବେ ୨ରୁ ୩ ଦିନ ପରେ ବାତ୍ୟା ଆସାନିର ଗତି, ଅବସ୍ଥିତି, ରୂପ କେଉଁଆଡ଼େ ରହିବ ତାହା ସ୍ପଷ୍ଟ ଆକଳନ କରିହେବ । କିନ୍ତୁ ଖୁବ୍‌ଶୀଘ୍ର ତାତିରୁ ଯେ ନିସ୍ତାର ମିଳିବ ତାହା ସ୍ପଷ୍ଟ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.