ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ, ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷାର ଆଶଙ୍କା

Published By : Prameya-News7 Bureau | July 19, 2025 IST

ଭୁବନେଶ୍ୱର ୧୯।୦୭ : ରାଜ୍ୟରେ ପୁଣି ଏକ ଲଘୁଚାପ ସୃଷ୍ଟି ହୋଇପାରେ। ଆସନ୍ତା ୨୧ ତାରିଖରେ  ଉତ୍ତର ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା ଅଛି। ୨୩ ତାରିଖରେ ପଶ୍ଚିମବଙ୍ଗ  ସଂଲଗ୍ନ ଉତ୍ତର ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବ ବୋଲି ବରିଷ୍ଠ କୃଷି ପାଣପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି । 

ପଶ୍ଚିମବଙ୍ଗ ସଂଲଗ୍ନ ଉତ୍ତର ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି  ପରେ ସେହି ସ୍ଥାନରେ ୩ଦିନ ଯାଏ ରହିବ । ୨୬ ତାରିଖରେ ସ୍ଥଳଭାଗକୁ ଯିବ। ବର୍ତ୍ତମାନ ଯେଉଁ ଲଘୁଚାପ ସକ୍ରିୟ ଅଛି ସେହିଭଳି ହେବାକୁ ଥିବା ଲଘୁଚାପ ଧାନବାଦ, ପାଟଣା, ପ୍ରୟାଗ ଓ ଗ୍ୱାଲିୟର ଦେଇ ଦିଲ୍ଲୀ ଆଡ଼କୁ ଯାଇପାରେ। ଏହି ଲଘୁଚାପ ଆସନ୍ତା ୨୪ରେ ସ୍ପଷ୍ଟ ଚିହ୍ନିତ ଲଘୁଚାପର ରୂପ ନେବ। ୨୫ ତାରିଖ ସୁଦ୍ଧା ଏହା ଅବପାତର ରୂପ ନେଇପାରେ ବୋଲି ଡ. ପଶୁପାଳକ କହିଛନ୍ତି । 

ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ୨୨ ତାରିଖ ଅପରାହ୍ନରୁ ୨୫ ତାରିଖ ଯାଏ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହେବ। ୨୪ ଓ ୨୫ ତାରିଖରେ ଅନେକ ସ୍ଥାନରେ ମଧ୍ୟମ ଧରଣର ବର୍ଷା ହୋଇପାରେ। ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବଲାଙ୍ଗୀର, ବୌଦ୍ଧ, ମେନପୁର ଓ ଫୁଲବାଣୀର କିଛି ସ୍ଥାନରେ ଭାରି ବର୍ଷା ହୋଇପାରେ। ୧୯, ୨୦, ୨୩ ଓ ୨୪ ତାରିଖରେ ରାଜ୍ୟରେ ବିଜୁଳି ଓ ଘଡ଼ଘଡ଼ିର ସମ୍ଭାବନା ଅଧିକ  ବୋଲି ବୋଲି ସେ ଆକଳନ କରିଛନ୍ତି। 

ସୃଷ୍ଟି ହୋଇଥିବା ଲଘୁଚାପ ଉତ୍ତର ମଧ୍ୟପ୍ରଦେଶ ଉପରେ   ରହିଥିଲା। ଉତ୍ତର ବଙ୍ଗୋପସାଗର ଯାଏ ମୌସୁମୀ ଟ୍ରଫ୍‌ ଲମ୍ବିଥିଲା।  ଟ୍ରଫ୍‌ ପ୍ରଭାବରେ ୧୯ ଓ ୨୦ ତାରିଖରେ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ପରିମାଣର ବର୍ଷା ହୋଇପାରେ। ଆଭ୍ୟନ୍ତରୀଣ  ଅଞ୍ଚଳରେ ସ୍ୱଳ୍ପରୁ ମଧ୍ୟମ ବର୍ଷା ସହିତ ଘଡ଼ଘଡ଼ି ବି ହେବ ବୋଲି ତାଙ୍କ ପୂର୍ବାନୁମାନ କହୁଛି।

ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି) ମଧ୍ୟ ଆଗକୁ ଲଘୁଚାପ ନେଇ ପୂର୍ବାନୁମାନ କରିଛି। ୨୪ ତାରିଖ ବେଳକୁ ଆଉ ଏକ ଲଘୁଚାପ ସୃଷ୍ଟି ହୋଇପାରେ ବୋଲି କୁହାଯାଇଛି। ୧୯ ତାରିଖରୁ ୨୪ ତାରିଖ ଯାଏ କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ୧୯ ତାରିଖରେ ମୟୂରଭଞ୍ଜ, କେନ୍ଦୁଝର, ଦେବଗଡ଼, ଅନୁଗୁଳ, ସମ୍ବଲପୁର, ବୌଦ୍ଧ, କନ୍ଧମାଳ, କଳାହାଣ୍ଡି, ସୋନପୁର, ରାୟଗଡ଼ା, କୋରାପୁଟ ଓ ଗଜପତିର କିଛି ସ୍ଥାନରେ ଭାରୀ ବର୍ଷା ହୋଇପାରେ। ଆଭ୍ୟନ୍ତରୀଣ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ଅଛି ।  

୨୦ ତାରିଖରେ ରାୟଗଡ଼ା, କୋରାପୁଟ, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼ ଓ ଗଜପତିର କିଛି ସ୍ଥାନରେ ପ୍ରବଳ ବର୍ଷା ସହ ୩୦ରୁ ୪୦ କିମି ବେଗରେ ପବନ ବହିପାରେ। ୨୧ରେ କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, କଳାହାଣ୍ଡି ଓ  କନ୍ଧମାଳରେ ପ୍ରବଳ ବର୍ଷା ସମ୍ଭାବନା ଅଛି। ୨୨ରେ ମୟୂରଭଞ୍ଜ,  କେନ୍ଦୁଝର, ସୋନପୁର, ବୌଦ୍ଧ, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ଗଜପତି ଓ ରାୟଗଡ଼ାର କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ  ବୋଲି ପାଣିପାଗ ବିଭାଗ ଆକଳନ କରିଛି ।

  • Weather
  • Weather Forecast
  • Weather update
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.