ବର୍ଷାରୁ ନାହିଁ ନିସ୍ତାର, ୧୯ରେ ଆଉ ଏକ ଲଘୁଚାପ

Published By : Prameya-News7 Bureau | August 15, 2022 IST

ଭୁବନେଶ୍ୱର ୧୫।୦୮: ବର୍ଷାରୁ ମିଳିବନି ତ୍ରାହି । ଆସୁଛି ଆଉ ଏକ ଲଘୁଚାପ । ଯାହାର ପ୍ରଭାବରେ ଅନେକ ସ୍ଥାନରେ ବର୍ଷା ହୋଇପାରେ ବୋଲି ଅନୁମାନ କରାଯାଉଛି ।

ଖବର ଅନୁଯାୟୀ, ଅଗଷ୍ଟ ୧୯ ବେଳକୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଯାହା ପ୍ରଭାବରେ ରାଜ୍ୟରେ ପୁଣି ବର୍ଷାର ପରିମାଣ ବଢିପାରେ ବୋଲି ଅନୁମାନ କରାଯାଉଛି । ତେବେ ଏହି ଲଘୁଚାପ ପ୍ରଭାବରେ କେତେ ପରିମାଣର ବର୍ଷା ହେବ, ସେନେଇ କିଛି ସବିଶେଷ ତଥ୍ୟ ମିଳିନାହିଁ ।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ଲଘୁଚାପ ଜନିତ ଲଗାଣ ବର୍ଷା ଲାଗି ସମସ୍ତ ନଦୀର ଜଳସ୍ତର ବଢିବାରେ ଲାଗିଛି । ସେପଟେ ଉପରମୁଣ୍ଡରେ ମଧ୍ୟ ବର୍ଷା ଲାଗି ହୀରାକୁଦରେ କ୍ରମାଗତ ଭାବେ ଜଳସ୍ତର ବଢିଛି । ଯାହାକୁ ଦୃଷ୍ଟିରେ ରଖି ହୀରାକୁଦରୁ ଏବେ ୨୬ଟି ଗେଟ୍‌ ଦେଇ ଜଳ ନିଷ୍କାସନ ଜାରି ରହିଛି । ତେବେ ହୀରାକୁଦରେ ଏତେ ପରିମାଣର ଜଳ ନିଷ୍କାସନ ଲାଗି ମହାନଦୀର ଜଳସ୍ତର ବଢିଚାଲିଛି । ମହାନଦୀରେ ଜଳସ୍ତର ବଢିବା ଯୋଗୁଁ ତଳିଆ ଅଞ୍ଚଳରେ ଛୋଟ ଧରଣର ବନ୍ୟା ନେଇ ଆଶଙ୍କା କରାଯାଉଛି । ଯାହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଇଛନ୍ତି । ତେବେ ରାଜ୍ୟରେ ବନ୍ୟା ଆଶଙ୍କା ମଧ୍ୟରେ ଆସୁଛି ଆଉ ଏକ ଲଘୁଚାପ । ତେବେ ଏହି ଲଘୁଚାପ ପ୍ରଭାବରେ କେତେ ପରିମାଣର ବର୍ଷା ହେବ, ସେନେଇ କିଛି ସବିଶେଷ ତଥ୍ୟ ମିଳିନାହିଁ । ଦିନେ କି ଦୁଇ ଦିନ ମଧ୍ୟରେ ଲଘୁଚାପ ନେଇ ଚିତ୍ର ସ୍ପଷ୍ଟ ହେବ ବୋଲି ଅନୁମାନ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.