୨୦ରୁ ୨୫ ମଧ୍ୟରେ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ! ୨୩ରେ ନେଇପାରେ ଲଘୁଚାରର ରୂପ

Published By : Prameya-News7 Bureau | May 13, 2024 IST

ଭୁବନେଶ୍ୱର ୧୩।୦୫: ଆସନ୍ତା ୨୧ ତାରିଖରେ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ପୋର୍ଟବ୍ଲେୟାର ପାଖ ଦକ୍ଷିଣ ଓ ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏହି ଘୂର୍ଣ୍ଣିବଳୟ ହେବ । ୨୩ ସୁଦ୍ଧା ଏହା ଲଘୁଚାପରେ ପରିଣତ ହୋଇପାରେ । ପରେ ଏହା ଗଭୀର ଅବପାତର ରୂପ ନେଇପାରେ । ଘୂର୍ଣ୍ଣିବଳୟ ପ୍ରଭାବରେ ଉତ୍ତର ଆଣ୍ଡାମାନରେ ମୌସୁମୀ ଛୁଇଁପାରେ ବୋଲି ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ଡ. ସୁରେନ୍ଦ୍ର ନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି । ଏଥର ମୌସୁମୀ ବର୍ଷା ସ୍ୱାଭାବିକ ସମୟ ପୂର୍ବରୁ ଆସିବାର ସମ୍ଭାବନା ଅଛି ବୋଲି ସେ କହିଛନ୍ତି ।

୨୧ ବେଳକୁ ବଙ୍ଗୋପସାଗରରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରବାହିତ ହେଉଥିବ । ଏ ସମୟରେ ପୂର୍ବ ଆଡୁ ପବନ ବହିବ । ଏହି ସମୟରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଗଭୀର ଅବପାତରେ ପରିଣତ ହେବ । ବଙ୍ଗୋପସାଗରରେ ଲଘୁଚାପ ଯୋଗୁଁ ଥାଇଲାଣ୍ଡ, ମିଆଁମାର, ବାଂଲାଦେଶ, ଉତ୍ତର ପୂର୍ବ ଭାରତ ସହ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଓ ବିହାରରେ ଭାରି ବର୍ଷା ହୋଇପାରେ ।  ତେବେ ଓଡ଼ିଶାରେ ଏହାର ପ୍ରଭାବ କେତେ ରହିବ, ତାହା ଆଗକୁ ଜଣାପଡ଼ିବ ବୋଲି ସେ କହିଛନ୍ତି । ୧୭ ତାରିଖରେ ଦକ୍ଷିଣ ତାମିଲନାଡୁ ଓ କେରଳ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ଏହାର ପ୍ରଭାବରେ କେରଳ ଉପକୂଳରେ ଭାରି ବର୍ଷା ହେବାର ସମ୍ଭାବନା ଅଛି ।

ସୋମବାର ପ୍ରଥମ ପର୍ଯ୍ୟାୟ ଭୋଟିଂ ହେଉଥିବା ସ୍ଥାନରେ ପାଗ ଅନୁକୂଳ ରହିବ ଓ ତାତି ବିଶେଷ ରହିବନି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି । ଦକ୍ଷିଣ ଓଡ଼ିଶାରେ ତାତି କମ୍‌ ରହିବ । ଦିନ ତାପମାତ୍ରା ୩୫ ଡିଗ୍ରୀ ପାଖାପାଖି ରହିପାରେ । କୌଣସି ସ୍ଥାନରେ ୪୦ ଡିଗ୍ରୀ ଟପିବନି । କିଛି ସ୍ଥାନରେ ସନ୍ଧ୍ୟାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସହ ବିଜୁଳି ଓ ଘଡ଼ଘଡ଼ି ହୋଇପାରେ ବୋଲି ସେ କହିଛନ୍ତି ।

୧୩ରେ କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, ନୟାଗଡ଼, ଗଞ୍ଜାମ, କେନ୍ଦ୍ରାପଡ଼ା, ଯାଜପୁର ଓ ଭଦ୍ରକର ଗୋଟିଏ ଦୁଇଟି ସ୍ଥାନରେ ଭାରି ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ୧୪ରେ ଉପକୂଳ ଓଡ଼ିଶା ସହ ଆଭ୍ୟନ୍ତରୀଣ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ଅଛି । ଗତକାଲି ୧୪ଟି ସହରରେ ଭାରି ବର୍ଷା ହୋଇଛି । ଗତ ୨୪ ଘଣ୍ଟା ଭିତରେ କଟକର ବାଙ୍କୀଠାରେ ୧୦୮ ମିମି ବର୍ଷା ହୋଇଛି । ସେହିପରି କଟକରେ ୮୯ ମିମି ଓ ଖୋର୍ଦ୍ଧା ଟାଙ୍ଗୀରେ  ୮୭ ମିମି ବର୍ଷା ହୋଇଥିବା ଜଣାପଡିଛି ।

  • Weather
  • Weather Forecast
  • Weather update
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.