ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି, ୨୪ରେ ନେବ ଅବପାତର ରୂପ

Published By : Prameya-News7 Bureau | May 23, 2024 IST

ଭୁବନେଶ୍ୱର ୨୩।୦୫ : ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ଘୂର୍ଣ୍ଣିବଳୟ ବୁଧବାର ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି ।  ଏହା ଆହୁରି ଘନୀଭୂତ ହେବ । ଧୀରେ ଧୀରେ ଉତ୍ତର ପୂର୍ବ ଦିଗରେ ଗତି କରି ୨୪ ସୁଦ୍ଧା ଅବପାତରେ ପରିଣତ ହେବ । ୨୫ ତାରିଖ ସନ୍ଧ୍ୟା  ସୁଦ୍ଧା ଅଧିକ ଘନୀଭୂତ ହୋଇ ଉତ୍ତର ପୂର୍ବ ବଙ୍ଗୋପସାଗର ଓ ଉତ୍ତର  ପଶ୍ଚିମ ବଙ୍ଗୋପସାଗରରେ ପାଖରେ  ପହଞ୍ଚିବ । ତେବେ ଓଡ଼ିଶା ଉପରେ ଏହାର ବିଶେଷ ପ୍ରଭାବ ନାହିଁ ବୋଲି  ପାଣିପାଗ ବିଶେଷଜ୍ଞମାନେ ଆକଳନ କରୁଛନ୍ତି । ଏହାର ପ୍ରଭାବରେ ୨୫ରେ ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି । ଗୋଟିଏ ବା ଦୁଇଟି  ଜାଗାରେ ପ୍ରବଳ ବର୍ଷା ହୋଇପାରେ ବୋଲି ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି । 

ଶ୍ରୀ  ମହାପାତ୍ର ଆହୁରି ମଧ୍ୟ କହିଛନ୍ତି ଯେ, ସୃଷ୍ଟି ହୋଇଥିବା ଲଘୁଚାପ କ୍ରମଶଃ ଉତ୍ତର ପୂର୍ବ ଦିଗରେ ଗତି କରି ୨୪ ତାରିଖ ସକାଳ ସୁଦ୍ଧା ଅବପାତରେ ପରିଣତ ହେବ । ପରେ ଏହା କ୍ରମଶଃ ଉତ୍ତର ପୂର୍ବ  ଦିଗରେ ନିଜ ଗତି ଜାରି ରଖିବ । ଏହାର ପ୍ରଭାବରେ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଓ ନିକଟବର୍ତ୍ତୀ ଅଞ୍ଚଳରେ ଘଣ୍ଟାକୁ ୩୦ରୁ ୪୦କିମି ବେଗରେ ପବନ ପ୍ରବାହିତ ହେଉଛି । ଶୁକ୍ରବାର ଏହା ବଢ଼ି ୪୦   ରୁ ୫୦ କିମି ବେଗରେ ପବନ ବହିବ । 

୨୪ ତାରିଖରେ ପବନର ବେଗ ୫୦ ରୁ ୬୦ କିମି ହେବାର ସମ୍ଭାବନା ରହିଛି । ପ୍ରବାହିତ ପବନର ପ୍ରଭାବରେ ସମୁଦ୍ର ଅଶାନ୍ତ ରହିବ। ପୂର୍ବ ଉପକୂଳ ଓ ଆଣ୍ଡାମାନ ନିକୋବରର ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଯିବାକୁ ବାରଣ କରାଯାଇଛି । ଯେଉଁମାନେ ସମୁଦ୍ର ଭିତରକୁ ଯାଇଛନ୍ତି ସେମାନଙ୍କୁ ତୁରନ୍ତ ଫେରି ଆସିବାକୁ ସୂଚନା ଦିଆଯାଇଛି । ଅବପାତ ଅଧିକ ଘନୀଭୂତ ହେବାର ସମ୍ଭାବନା ଅଛି । ଏହା ପ୍ରଭାବରେ ୨୫ରେ ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାରେ ବର୍ଷା ହେବ। ଗୋଟିଏ ବା ଦୁଇଟି ଜାଗାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହା କେଉଁ ଉପକୂଳ ଅତିକ୍ରମ କରିବ ଓ ଅତିକ୍ରମ କରିବା ବେଳେ ଏହାର ସର୍ବାଧିକ ପ୍ରଭାବ କ’ଣ ରହିବ ତାକୁ ନେଇ ଏବେ କୌଣସି ପୂର୍ବାନୁମାନ ହୋଇନି । ଅବପାତ ସୃଷ୍ଟି ପରେ ଏହା ଆଗକୁ ବଢ଼ିଲେ ଏହାର ପ୍ରଭାବ ନେଇ ଅଧିକ ପୂର୍ବାନୁମାନ କରିହେବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି । ୨୩ ଓ ୨୪ରେ ଉପକୂଳ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ୨୫ରେ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ  ବର୍ଷା ହେବ । ବାଲେଶ୍ୱରରେ ଭାରୀ ବର୍ଷା ହୋଇପାରେ । ୨୬ରେ ବି ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.