ବାର୍ଥ ଡେ ପାର୍ଟିରେ ପ୍ରେମିକକୁ ବିଷ ଦେଇ ହତ୍ୟା ? ଅଭିଯୁକ୍ତ ପ୍ରେମିକାର ପରିବାରକୁ ସୁରକ୍ଷା ଦେଉଛି ପୋଲିସ!
29/08/2018 at 6:25 AM

କୋଣାର୍କ ୨୯|୮:ପ୍ରେମ ସଂପର୍କକୁ ନେଇ କେନ୍ଦ୍ରାପଡ଼ାରେ ଜଣେ ଯୁବକଙ୍କୁ କଙ୍ଗାରୁ କୋର୍ଟରେ ଅତ୍ୟାଚାର କରାଯାଇଥିବା ଖବର ଗତକାଲି ନ୍ୟୁଜ ସେଭେନ ପ୍ରସାରଣ କରିଥିଲା। ଏହାର ୨୪ ଘଣ୍ଟା ନ ଯାଉଣୁ ଆଉ ଏକ ଜଘନ୍ୟ ଘଟଣା ସାମ୍ନାକୁ ଆସିଛି। ଅଭିଯୋଗ ହୋଇଛି ଝିଅର ବାର୍ଥ ଡେ ପାର୍ଟିକୁ ଡାକି ଜଣେ ଯୁବକଙ୍କୁ ବିଷ ଦେଇ ହତ୍ୟା କରାଯାଇଛି। ଏନେଇ ମୃତ ଯୁବକଙ୍କ ପରିବାର ଲୋକ ଥାନାରେ ଏତଲା ଦେଇଛନ୍ତି । ହାପି ବାର୍ଥ ଡେର ଏହି ହାପି ମୋମେଣ୍ଟ ହେଲା କାଳ। ଦେଖନ୍ତୁ ଏହି ଫଟୋ … କେମିତି ଖୁସିରେ ଖୁସିରେ ଜନ୍ମଦିନ ପାଳନରେ ମାତିଛନ୍ତି ଏମାନେ । କିନ୍ତୁ ଏହି ଜନ୍ମଦିନରୁ ଆଉ ଫେରିନଥିଲା ସୂର୍ଯ୍ୟକାନ୍ତ । ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଗଲା ହସ୍ପିଟାଲରେ ଭର୍ତ୍ତି କରାଗଲା। ବେଶ କିଛି ଦିନ ଜୀବନ ସହ ସଂଘର୍ଷ କରିବା ପରେ ସୂର୍ଯ୍ୟକାନ୍ତର ମୃତ୍ୟୁ ହୋଇଛି । କାନ୍ଦି କାନ୍ଦି ଗଡ଼ି ଯାଉଛନ୍ତି ଘର ଲୋକେ । ଅଭିଯୋଗ କରିଛନ୍ତି ସୂର୍ଯ୍ୟକାନ୍ତକୁ ହତ୍ୟା କରାଯାଇଛି । ପ୍ରେମ ପାଇଁ ହତ୍ୟା କରାଯାଇଛି। ତଳ ଜାତିର ହୋଇଥିବାରୁ ଗୀତ(ଛଦ୍ମନାମ) ଜୀବନରୁ ହଟିଯିବା ଲାଗି ପୂର୍ବରୁ କୁଆଡ଼େ ଧମକ ଦିଆଯାଇଥିଲା। ଏବେ ରାସ୍ତାରୁ ହଟେଇ ଦିଆଯାଇଛି। ଏନେଇ ସୂର୍ଯ୍ୟକାନ୍ତଙ୍କ ପରିବାର ପକ୍ଷରୁ କଟକ ସଦର ଥାନାରେ ଥାନାରେ ଏତଲା ଦିଆଯାଇଛି।
ସୂଚନା ଅନୁସାରେ ଗୋପ୍ ବ୍ଲକ ଚେଁଗେଇଲ ଗାଁର ସୂଜୟକାନ୍ତ ମଲିକ ଅଡ଼ସପୁର କଲେଜର ସହପାଠୀ ଗୀତା(ଛଦ୍ମନାମ) ଙ୍କ ସହିତ କୁଆଡ଼େ ପ୍ରେମ ସଂପର୍କ ଗଢିଉଠିଥିଲା l କଟକ ସଦର ବଡଝରିଲ ଗାଁର ଗୀତାଙ୍କ ପରିବାର ଏହାକୁ ବିରୋଧ କରୁଥିଲେ। ଗତ 9 ତାରିଖ ରେ ଗୀତାଙ୍କ ଜନ୍ମଦିନରେ ସାମିଲ ହୋଇଥିଲେ ସୂର୍ଯ୍ୟକାନ୍ତ, ତେବେ ସେଠାରୁ ସେ ମେସକୁ ଫେରିନଥିଲେ। ସାଙ୍ଗ ମନେ ଖୋଜାଖୋଜି କରିବାରୁ ଅଡସପୁର ବଜାର ପଛପଟୁ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା। କଟକ ବଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କୁ ବିଷ ଦିଆଯାଇଥିବା ସନ୍ଦେହ କରିଛନ୍ତି ପରିବାର ଲୋକେ। ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ କରିବାକୁ ଦାବି ହୋଇଛି। ସେପଟେ ପୋଲିସ ଅଭିଯୁକ୍ତଙ୍କୁ ଘୋଡ଼ାଉଥିବା ମଧ୍ୟ ଅଭିଯୋଗ ହୋଇଛି
ଘଟଣାକୁ ନେଇ ଗୀତାଙ୍କ ପରିବାରର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ। ତେବେ ସୂର୍ଯ୍ୟକାନ୍ତଙ୍କୁ ହତ୍ୟା କରାଯାଇଛି ନା ତାଙ୍କର ମୃତ୍ୟୁ ପଛରେ ଅନ୍ୟ କିଛି କାରଣ ରହିଛି ତାହା ପୋଲିସ ସ୍ପଷ୍ଟ କରିବାକୁ ଦାବି ହୋଇଛି।