ଦଶମ ଶ୍ରେଣୀ ଛାତ୍ରୀ ଆତ୍ମହତ୍ୟା ଘଟଣା: ପ୍ରେମିକ ଗିରଫ

Published By : Prameya-News7 Bureau | December 19, 2022 IST


ଚଣ୍ଡିଖୋଲ, ୧୯/୧୨: ଗତକାଲି ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ଅଧୀନ ବଡ଼ବାଲିକୁଦା ଗ୍ରାମରେ ଜଣେ ନାବାଳିକାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ଉକ୍ତ ଗ୍ରାମର ପଙ୍କଜ ରାଉତଙ୍କ ଝିଅ ତଥା ଦଶମ ଶ୍ରେଣୀର ଛାତ୍ରୀଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ବିଦ୍ୟାଳୟ ପରିସରରୁ ଉଦ୍ଧାର ହୋଇଥିଲା । ସ୍ଥାନୀୟ ଜଣେ ଯୁବକଙ୍କ ସହ ପ୍ରେମ ସମ୍ପର୍କକୁ ନେଇ ଛାତ୍ରୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଥିଲା । ଏ ନେଇ ଛାତ୍ରୀଙ୍କ ପରିବାର ଲୋକେ ଝିଅକୁ ହତ୍ୟା କରାଯାଇଥିବା ବାଲିଚନ୍ଦ୍ରପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ଘଟଣାସ୍ଥଳରେ ବାଲିଚନ୍ଦ୍ରପୁର ପୋଲିସ ପହଁଚି ମୃତଦେହକୁ ଜବତ କରି ବ୍ୟବଛେଦ ପାଇଁ ପଠାଇଥିଲା । ଛାତ୍ରୀଙ୍କ ମୋବାଇଲ ପୋଲିସ ଜବତ କରିଥିବା ବେଳେ ସମ୍ପୃକ୍ତ ଯୁବକକୁ ଥାନାରେ ଅଟକ ରଖିଥିଲା । ଏ ନେଇ ବାଲିଚନ୍ଦ୍ରପୁର ପୋଲିସ ହତ୍ୟା ମାମଲା ରୁଜୁ କରି ପ୍ରେମିକ ସାଗର ବିଶ୍ଵାଳକୁ ଗିରଫ କରି କୋର୍ଟ ଚାଲାଣ କରିଛି । ସାଗର ଓ ଛାତ୍ରୀଙ୍କ ପ୍ରେମ ସମ୍ପର୍କକୁ ଘରେ ସ୍ୱୀକାର କରିନଥିଲେ । ଯାହାକୁ ନେଇ ଉଭୟ ଆତ୍ମହତ୍ୟା କରିବା ପାଇଁ ନିଷ୍ପତି ନେଇଥିଲେ । ସ୍ଥାନୀୟ ବିଦ୍ୟାଳୟ ପରିସରରେ ଛାତ୍ରୀ ଆତ୍ମହତ୍ୟା କରିଥିବା ବେଳେ ସାଗର ଆତ୍ମହତ୍ୟା ନକରି ରହି ଯାଇଥିଲେ ।

ଏ ନେଇ ସାଗର ହିଁ ଛାତ୍ରୀଙ୍କ ମୃତ୍ୟୁ ହୋଇଥିବା ପୋଲିସକୁ ଜଣାଇଥିଲା । ସାଗରର ମୋବାଇଲ ଓ ଆତ୍ମହତ୍ୟାରେ ବ୍ୟବହୃତ ହୋଇଥିବା ଦଉଡ଼ି ପୋଲିସ ଜବତ କରିଛି । ସାଗରର ମୋବାଇଲରୁ କଲ ଡିଟେଲସ୍‌ ଯାଞ୍ଚ କରିଛି ପୋଲିସ । ସାଗରକୁ ଗିରଫ କରି କୋର୍ଟ ଚାଲାଣ କରିବା ସହ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ବାଲିଚନ୍ଦ୍ରପୁର ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.