ବାହା ହେଲେ କିନ୍ତୁ ଭୁଲିଲେନି ପ୍ରେମ : ପାଞ୍ଚ ବର୍ଷ ପରେ ପ୍ରେମିକ ଧୋକ୍କା ଦେଲା , ସ୍ୱାମୀଙ୍କ ଦୁଆର ମନା

Published By : Prameya-News7 Bureau | August 29, 2020 IST

କଟକ ୨୯।୦୮: ପ୍ରେମ ପାଇଁ ଜଣେ ମହିଳା ହରଡ଼ଘଣାରେ ପଡ଼ିଛନ୍ତି । ବିବାହର ୫ ବର୍ଷ ପରେ ନିଜର ସ୍ୱାମୀକୁ ଛାଡ଼ି ମହିଳା ଜଣକ ଆସି ପ୍ରେମିକ ଘରେ ହାଜର ହୋଇଗଲେ। ହେଲେ ମହିଳାଙ୍କୁ ସ୍ୱୀକାର କଲେନି ତାଙ୍କ ପୁରୁଣା ପ୍ରେମିକ। ଶେଷରେ କଥା ପୁଲିସରେ ପହଞ୍ଚିଲା । ପୁଲିସର ହସ୍ତକ୍ଷେପ ଓ ବୁଝାଶୁଝା ପରେ ମହିଳା ଜଣକ ବାଧ୍ୟ ହୋଇ ନିଜ ବାପ ଘରକୁ ଫେରିଛନ୍ତି ।

ମିଳିଥିବା ସୂଚନା ମୁତାବକ, କେନ୍ଦ୍ରାପଡ଼ାର ଜଣେ ମହିଳା କଟକର ଜଣେ ରାଜନେତାଙ୍କୁ ଭଲ ପାଉଥିଲେ । ହେଲେ ପରିବାର ଅମଙ୍ଗ ହେବାରୁ ମହିଳା ଜଣକ କଟକର ଉକ୍ତ ରାଜନେତାଙ୍କୁ ବାହା ହୋଇପାରିଲେନି । ପରିବାର ପସନ୍ଦ ମୁତାବକ ସେ ଭୁବନେଶ୍ୱରର ଖଣ୍ଡଗିରି ଅଞ୍ଚଳରେ ବାହାହେଲେ । ମାତ୍ର ମହିଳାଙ୍କର ତାଙ୍କ ପୁରୁଣା ପ୍ରେମିକଙ୍କ ପ୍ରତି ପ୍ରେମ ସେମିତି ରହିଥାଏ । ଏହା ମଧ୍ୟରେ ବାହାଘରକୁ ୫ ବର୍ଷ ପୂରିଛି । ତିନି ଦିନ ତଳର ଘଟଣା । ହଠାତ୍‌ ମହିଳା ଜଣକ ନିଜ ସ୍ୱାମୀଙ୍କୁ ଛାଡ଼ି ଦେଇ କଟକରେ ଥିବା ତାଙ୍କ ପ୍ରେମିକ ଘରେ ଆସି ପହଁଚିଗଲେ । ମୁଁ ଆଜିଠାରୁ ତୁମ ପାଖରେ ରହିବି, ମୋତେ ତୁମେ ବାହା ହୋଇ ରଖ ବୋଲି ମହିଳା ଜଣକ ଜିଦ୍‌ ଧରିଲେ ।

ଏଭଳି ସ୍ଥିତିରେ ପ୍ରେମିକ ଜଣକ ନିଜର ପୁରୁଣା ପ୍ରେମିକାଙ୍କୁ ଘରେ ରଖିବାକୁ ଅନୁମତି ଦେଲେ। ହେଲେ ମହିଳା ଜଣକ ଗୋଟିଏ ଦିନ ଘରେ ରହିବା ପରେ ଦୁହିଁଙ୍କ ମଧ୍ୟରେ କଳି ସୃଷ୍ଟି ହୋଇଗଲା । ସ୍ୱାମୀଙ୍କୁ ଛାଡ଼ପତ୍ର ଦେଇ ଆସିନଥିବାରୁ ବିବାଦ ଦେଖାଦେଲା । ଆଉ ଏଭଳି ସ୍ଥିତିରେ ମହିଳା ଜଣକ ଆସି କଟକ ମହିଳା ଥାନାରେ ଅଭିଯୋଗ କଲେ କି -ପ୍ରେମିକ ଜଣକ ମୋତେ ମୋର ସ୍ୱାମୀ ଠାରୁ ଛଡ଼ାଇ ଆଣି ଗୋଟିଏ ଦିନ ପାଖରେ ରଖିଲେ । ହେଲେ ଏବେ ଆଉ ରଖୁ ନାହାନ୍ତି, ବିଦା କରିଦେଉଛନ୍ତି ବୋଲି ମହିଳା ଜଣକ ଅଭିଯୋଗ କଲେ’ ।

ଏକ ବିଚିତ୍ର ସ୍ଥିତି ଦେଖି ମହିଳା ଥାନା ପୁଲିସ ସେହି ମହିଳା, ତାଙ୍କ ପ୍ରେମିକ ଓ ମହିଳାଙ୍କ ମାଆଙ୍କୁ ଥାନାକୁ ଡକାଇ ଆଲୋଚନା କଲେ । ପ୍ରେମିକ ଜଣକ ଜିଦ୍‌ ଧରିଲେକି ମୁଁ ସେ ମହିଳାଙ୍କୁ ପାଖରେ ରଖିବିନି । ମହିଳା ଜଣକ ଜିଦ୍‌ ଧରିଲେକି ମୋ ଜୀବନ ନଷ୍ଟ କରିଥିବାରୁ ପ୍ରେମିକ(ରାଜନେତା) ଜଣଙ୍କୁ ଗିରଫ କରି ଜେଲ୍‌ ପଠାଯାଉ । ଏହା ମଧ୍ୟରେ ବହୁ ଆଲୋଚନା ପରେ ଆଇନଗତ ଦୃଷ୍ଟିରୁ ମହିଳା ଜଣକ ଅଡ଼ୁଆରେ ପଡ଼ୁଥିବା ଦେଖି ଶେଷରେ ନିଜର ନିଷ୍ପତି ବଦଳାଇଲେ । ପୁନର୍ବାର ନିଜର ସ୍ୱାମୀ ପାଖକୁ ଫେରିବା ମୁସ୍କିଲ୍‌ ହେଉଥିବା ଦେଖି ସେ ନିଜ ମାଆଙ୍କ ସହିତ କେନ୍ଦ୍ରାପଡ଼ାସ୍ଥିତ ବାପ ଘରକୁ ଫେରିଗଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.