ବାହାଘର ପାଇଁ ରାଜି ନଥିଲେ ବାପା : ୧୨ କି.ମି. ଚାଲିଚାଲି ପ୍ରେମିକଙ୍କ ପାଖରେ ପହଞ୍ଚିଲେ ପ୍ରେମିକା, ମନ୍ଦିରରେ ହେଲା ବାହାଘର

Published By : Prameya-News7 Bureau | May 05, 2020 IST

ଦୁର୍ଗ ୦୫/୦୫ : ଲକଡାଉନ ଯୋଗୁଁ କେବଳ ବ୍ୟବସାୟିକ କ୍ଷତି ଘଟିନି ବରଂ ସାମାଜିକ ସ୍ଥରରେ ମଧ୍ୟ ଅନେକ ପ୍ରଭାବ ପଡିଛି | ଅନେକ ସମ୍ପର୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଥିବାବେଳେ ଆଉ କିଛି ନୂଆ ସମ୍ପର୍କ ମଧ୍ୟ ସ୍ଥାପନ ହୋଇଛି | କିଛି ଲୋକ ନିଜ ସମ୍ପର୍କ ରକ୍ଷା କରିବା ପାଇଁ ଶାନ୍ତି ଶୃଙ୍ଖଳାରେ ବିବାହ ମଧ୍ୟ କରୁଛନ୍ତି | ଜଣେ ୨୧ ବର୍ଷୀୟ ଯୁବତୀ ଲକଡାଉନ ସମୟରେ ସାମାଜିକ ବାଧା ବିଘ୍ନକୁ ଏଡାଇ ଦେଇ ବିବାହ ବନ୍ଧନରେ ବାନ୍ଧି ହେବାକୁ ନିଷ୍ପତ୍ତି ନେଇଛନ୍ତି | ଯୁବତୀ ଜଣକ ୧୨ କିମି ଦୂର ଚାଲି ଚାଲି ଯାଇ ନିଜ ପ୍ରେମିକ ପାଖରେ ପହଞ୍ଚିଥିଲେ | ଉଭୟ ସ୍ୱାମୀ ସ୍ତ୍ରୀ ଭଳି ମିଶିକି ରହୁଥିଲେ | ଯୁବତୀଙ୍କ ବାପା ଉଭୟଙ୍କ ବାହାଘର ପାଇଁ ରାଜି ନଥିଲେ | ଉଭୟଙ୍କ ପରିବାରରେ କୌଣସି ସାମଞ୍ଜସ୍ୟ ନାହିଁ ବୋଲି କହି ଯୁବତୀଙ୍କ ବାପା ସେମାନଙ୍କ ସମ୍ପର୍କକୁ ସ୍ୱୀକୃତି ଦେଇନଥିଲେ | ଯୁବତୀଙ୍କ ବାପା ସେମାନଙ୍କ ସମ୍ପର୍କରେ ରାଜି ନ ହେବାରୁ ଯୁବତୀ ନିଜ ପ୍ରେମିକ ପାଖକୁ ଚାଲି ଯାଇଥିଲେ | ମାମଲା ଥାନାରେ ପହଞ୍ଚିଥିଲା | କୌଣସି ଆଇନଗତ ପଦକ୍ଷେପ ଗ୍ରହଣ କରିବା ପୂର୍ବରୁ ପ୍ରେମୀ ଯୁଗଳ ବିବାହ ବନ୍ଧନରେ ବାନ୍ଧି ହୋଇଗଲେ |

ସୂଚନାଯୋଗ୍ୟ ଯେ, ଯୁବତୀ ନିଜ ବାପା ଘର ଛାଡି ଚାଲିଯିବା ପରେ ତାଙ୍କ ବାପା ଥାନାରେ ଝିଅର ନିଖୋଜ ମାମଲା ରୁଜ୍ଜୁ କରିଥିଲେ | ତାଙ୍କ ହଠାତ ଗାୟବ ହୋଇଯାଇଥିବା ସେ ଥାନାରେ କହିଥିଲେ | ତାଙ୍କୁ କିଏ ଅପହରଣ କରିଥାଇପାରେ କିମ୍ବା କୌଣସି ଅଘଟଣ ହେବାର ଆଶଙ୍କା କରାଯାଉଥିଲା | ଯୁବତୀଙ୍କ ପିତାଙ୍କ ବୟାନ ଆଧାରରେ ପୋଲିସ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଥିଲା | ଅଚାନକ ୩ଦିନ ପରେ ଯୁବତୀ ନିଜ ଘରକୁ ଫେରି ଆସିଥିଲେ | ଯୁବତୀଙ୍କୁ ନେଇ ବାପା ପୁଣି ଥାନାରେ ପହଞ୍ଚିଥିଲେ | ଥାନାରେ ସେ କହିଥିଲେ ଯେ ତାଙ୍କ ଝିଅ ଜଣେ ଯୁବକ ସହ ୩ ଦିନ ରହି ଆସିଛି | ସେ ତାକୁ ନିଜ ଘରେ ରଖିବେ ନାହିଁ ବୋଲି କହିଥିଲେ | ଆଉ ଯଦିବା ରଖନ୍ତି ତାହେଲେ ତାଙ୍କ ଝିଅ କେହି ବାହା ହେବେ ନାହିଁ ବୋଲି ସେ କହିଥିଲେ |

ପିତାଙ୍କ ସମସ୍ତ କଥା ଶୁଣିବା ପରେ ପୋଲିସ ତୁରନ୍ତ ଯୁବକକୁ ଥାନାକୁ ଡାକିଥିଲା | ଯୁବକ ପାଟଣା ଥାନା ଅଞ୍ଚଳରେ ରୁହନ୍ତି | ଯୁବକଙ୍କ ସହ ସେହି ଅଞ୍ଚଳର ସାମାଜିକ ପଦାଧିକାରୀଙ୍କୁ ମଧ୍ୟ ସୂଚନା ଦେଇଥିଲେ | ସାମାଜିକ ସ୍ଥରରେ ଥାନାରେ ଏକ ବୈଠକ ବସିଲା | ଯେହେତୁ ଉଭୟ ଯୁବକ ଯୁବତୀ ବୟସ୍କ ଥିଲେ ସେଥିପାଇଁ ଉଭୟ ଏକାସଙ୍ଗେ ମିଶି ରହିଲେ ଅପହରଣ ମାମଲା ହେବ ନାହିଁ ବୋଲି ବୈଠକରେ ନିଷ୍ପତ୍ତି ନିଆଗଲା | ତେବେ ଯଦି ଯୁବକ ଜଣକ ଯୁବତୀଙ୍କୁ ବିବାହ କରିବାକୁ ମନା କରନ୍ତି ତାହେଲେ ଅପରାଧ ହେବ ବୋଲି ବୈଠକରେ ଉପସ୍ଥିତ ପଦାଧିକାରୀ କହିଥିଲେ | ତେବେ ଉଭୟ ବିବାହ ପାଇଁ ରାଜି ଥିଲେ | ସୋମବାର ଦିନ ଉଭୟ ମନ୍ଦିରରେ ବିବାହ କରିଥିଲେ | ସମାଜ ଦ୍ୱାରା ପ୍ରଦତ୍ତ ବିବାହ ପ୍ରମାଣପତ୍ର ମଙ୍ଗଳବାର ଦିନ ଜମା କରିବାକୁ ଆଶ୍ୱାସନା ଦିଆଯାଇଛି |

ଘଟଣା ସମ୍ପର୍କରେ ଯୁବତୀ କହିଛନ୍ତି ଯେ, ତାଙ୍କ ଘରେ କଥାବାର୍ତ୍ତା ହେଉଥିଲେ ଯେ ଲକଡାଉନ ଯୋଗୁଁ ଚଳିତ ବର୍ଷ ତାଙ୍କ ବାହାଘର ହେବନାହିଁ | ତାଙ୍କ ବାହାଘର ଆସନ୍ତା ବର୍ଷ ହେବ | ଘରଲୋକଙ୍କ ଏହି କଥା ଶୁଣି ସେ ଚିନ୍ତିତ ହୋଇଯାଇଥିଲେ | ସେ ନିଜ ପ୍ରେମିକକୁ ଯୋଗାଯୋଗ କରିଥିଲେ ଏବଂ ତାଙ୍କୁ ଏପ୍ରିଲ ୨୧ ତାରିଖରେ ଉତଇକୁ ଡାକିଥିଲେ | ସେ ମଧ୍ୟ ସେଠାକୁ ଯାଇଥିଲେ | ଯୁବତୀ ଦୁର୍ଗରୁ ଉତଇ ଚାଲିଚାଲି ଯାଇଥିଲେ | ସେଠାରେ ସେମାନେ ମିଶିକି ରହିବ ପାଇଁ ନିଷ୍ପତ୍ତି ନେଇଥିଲେ ଏବଂ ଯୁବତୀ ନିଜ ପ୍ରେମିକ ସହ ତାଙ୍କ ଘରକୁ ଚାଲିଯାଇଥିଲେ | ତାଙ୍କ ସହ ୩ ଦିନ ରହିବା ପରେ ନିଜ ଘରକୁ ଫେରି ଆସିଥିଲେ ଏବଂ ରୀତିନୀତି ଅନୁଯାୟୀ ମନ୍ଦିରରେ ବିବାହ କରିଥିଲେ |   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.