୫ ବର୍ଷ ପରେ ମିଳିଲା ହଜିଲା ପୁଅ – ନେଦରଲ୍ୟାଣ୍ଡରେ କରୁଛି ଉଚ୍ଚ ଶିକ୍ଷା ଗ୍ରହଣ, ଜାଣନ୍ତୁ ଶରଣାର୍ଥୀର ସଂଘର୍ଷମୟ ଜୀବନରୁ ଜୀବନଯାତ୍ରା

Published By : Prameya-News7 Bureau | November 23, 2019 IST

ମାଲକାନଗିରି ୨୩।୧୧ - ୫ ବର୍ଷ ତଳେ  ନିଖୋଜ ପୁଅର ସନ୍ଧାନ ପାଇଲେ ବାପ । ଭିଡିଓ କଲିଂରେ ପରସ୍ପରକୁ ଦେଖିଲେ, ଚିହ୍ନିଲେ ଆଉ କଥାହେଲେ ବାପ-ପୁଅ । ଏକ ଅଭାବନୀୟ କିନ୍ତୁ ହୃଦୟସ୍ପର୍ଶୀ ଘଟଣା । ଶ୍ରୀଲଙ୍କାରୁ ମାଲକାନଗିରି-, ତାପରେ ଚେନ୍ନାଇ , ପୁଣି  ସେଠାରୁ ଶ୍ରୀଲଙ୍କା ଆଉ ପୁଣି ମାଲକାନଗିରି  । ଜଣେ ବ୍ୟକ୍ତିଙ୍କ ଦୁଃଖ ଆଉ ସଂଘର୍ଷମୟ ଜୀବନ ସହ ନେଦରଲାଣ୍ଡର ସୁଖକର ସଂପର୍କ । କାରଣ ନିଖୋଜପୁଅ ଏବେ ନେଦରଲାଣ୍ଡରେ ଉଚ୍ଚଶିକ୍ଷା ଗ୍ରହଣ କରୁଛନ୍ତି । ୫ ବର୍ଷ ପରେ ବାପ-ପୁଅଙ୍କ ମଧ୍ୟରେ ସଂପର୍କ ସ୍ଥାପନ ହୋଇଛି । ମାଲକାନଗିରି ଜିଲ୍ଲା ଆଇନ ସେବା ପ୍ରାଧିକରଣ ଓ ରେଡକ୍ରସ ସହାୟତାରେ ବାପ ଓ ପୁଅଙ୍କ ମଧ୍ୟରେ ଯୋଗଯୋଗ ସମ୍ଭବ ସହ ଏକ ପରିବାରରେ ପୁଣି ଭରିଛି ଆଶା ଆଉ ଖୁସି ।  

{"id":188887,"sizeSlug":"large"}

ଭଗବାନ ଏତେ ନିଷ୍ଠୁର ନୁହନ୍ତି । ଶେଷରେ କେ. ରବିଚନ୍ଦ୍ରନଙ୍କ  ଜୀବନରେ ଖୁସି ଭରିଛି । ତାମିଲ ଶରଣାର୍ଥୀ କେ.ରବିଚନ୍ଦ୍ରନ ଦୀର୍ଘ ୫ ବର୍ଷ ପରେ ତାଙ୍କ ହଜିଯାଇଥିବା ପୁଅର ସନ୍ଧାନ ପାଇଛନ୍ତି । କେବଳ ପାଇନାହାନ୍ତି, ଭିଡିଓ କଲିଂରେ ପୁଅ କୁ ଦେଖିଛନ୍ତି ଆଉ କଥା ହୋଇଛନ୍ତି । ତାଙ୍କ ଖୁସି କହିଲେ ନସରେ । ମାଲକାନଗିରି ଜିଲ୍ଲା ଆଇନସେବା ପ୍ରାଧିକରଣ ଏବଂ ରେଡକ୍ରସ  ବାପ-ପୁଅଙ୍କ ପୁନର୍ମିଳନରେ ନିଭାଇଛନ୍ତି ଗୁରୁତ୍ବପୂର୍ଣ୍ଣ ଭୂମିକା । ଏକ ଭାବଗମ୍ଭୀର ପରିବେଶ, ହଜିଲା ପୁଅକୁ ପାଇଖୁସିରେ ଅଧିର ବାପ ।   ପୁଅ ତାଙ୍କରେ ଯୋଗ୍ୟ ଆଉ  ନେଦରଲାଣ୍ଡରେ , ଉଚ୍ଚଶିକ୍ଷା  ଗ୍ରହଣ କରୁଛନ୍ତି ।  ଶରଣାର୍ଥୀର  ଦୁଃଖ, ଦୟନୀୟ  ଓ ସଂଘର୍ଷମୟ ଜୀବନରେ ଭରିଛି ଆଶା ଆଉ ଆନନ୍ଦ ।

{"id":188888,"sizeSlug":"large"}

କେ. ରବିଚନ୍ଦ୍ରନଙ୍କ ଜୀବନ ସଂଘର୍ଷ କାହାଣୀ ଶୁଣିଲେ ଆଖିରେ ଲୁହ ଆସିଯିବ । ଶ୍ରୀଲଙ୍କାରେ ଗୃହଯୁଦ୍ଧ ଯୋଗୁଁ  ୧୯୯୦ ରେ ଦେଶ ଛାଡି ଭାରତ ପଳାଇଆସିଥିବା  ସିଂହଳୀ ତାମିଲଙ୍କ ମଧ୍ୟରେ ଥିଲେ କେ.ରବିଚନ୍ଦ୍ରନ । ସ୍ତ୍ରୀ ଓ ପୁଅ ସିଗିଆନ ସହ ଆସିଥିବା ରବିଚନ୍ଦ୍ରନଙ୍କୁ ମାଲକାନଗିରି ସ୍ଥିତି ତାମିଲ ଶରଣାର୍ଥୀ କ୍ୟାମ୍ପରେ  ଥଇଥାନ କରିଥିଲେ ସରକାର । ତେବେ ୧୯୯୩ରେ ସ୍ତ୍ରୀଙ୍କ ମୃତ୍ୟୁ ପରେ ପୁଅ ସିଗିଆନକୁ ଧରି ଚେନ୍ନାଇ ଚାଲିଯାଇଥିଲେ ରବିଚନ୍ଦ୍ରନ । ସେଠାରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ ଏବଂ ପୁଅକୁ ଏକ ମିସନାରୀ ସ୍କୁଲରେ ପାଠ ପଢାଇବାକୁ ଛାଡିଥିଲେ । ପୁଅ ସେଠାରେ ପଢୁଥିବା ବେଳେ, ୨୦୧୩ ରେ  ଜନ୍ମମାଟି ଶ୍ରୀଲଙ୍କା ଫେରିଥିଲେ ରବିଚନ୍ଦ୍ରନ । ତାପରେ ସେ ଚେନ୍ନାଇ ଆସି ପୁଅକୁ ଖୋଜିଥିଲେ ବି ପାଇନଥିଲେ । ପୁଅର ସ୍ଥିତି ସଂପର୍କରେରେ ସୂଚନା ନପାଇ ଦୁଃଖରେ ଥିବା ବେଳେ ୨୦୧୪ ରେ ଚେନ୍ନାଇରୁ ତାଙ୍କୁ ପୁଣି ମାଲକାନଗିରି ଫେରାଇଆଣିଥିଲେ  ମାଲକାନଗିରିର ତାମିଲ ନେତା କେ. ପ୍ରଭା ।

ତେବେ କିଛି ଦିନ ତଳେ ନେଦରଲାଣ୍ଡରୁ ଭାୟା ଦିଲ୍ଲୀ ରେଡକ୍ରସ ଦେଇ ମାଲକାନଗିରିରେ ପହଞ୍ଚିଥିବା ଏକ ମେଲ୍‌ ରୁ ଘଟିଛି ମିରାକଲ୍। ନେଦରଲାଣ୍ଡରେ ଆଇନ ପଢୁଥିବା ସିଗିଆନ ନିଖୋଜ ପିତାଙ୍କ ସଂପର୍କରେ ଖୋଲତାଡ ଲାଗି ମେଲ ପଠାଇଥିଲେ । ଆଉ ତାହା ମାଲକାନଗିରିରେ ପହଞ୍ଚିବାପରେ ସେଥିରେ ଥିବା ସୂଚନା ଆଧାରରେ ରବିଚନ୍ଦ୍ରନଙ୍କୁ ଠାବ କରିଥିଲେ ଆଇନ ପ୍ରାଧିକରଣ ବିଭାଗ ଓ ରେଡକ୍ରସ । ତାପରେ ବାପ-ପୁଅଙ୍କ ମିଳନ ।

ଦୀର୍ଘ ୫ ବର୍ଷ ପରେ ପରସ୍ପରକୁ ଖୋଜି ପାଇଥିବାରୁ ଉଭୟ ବାପା ଓ ପୁଅ ରେଡକ୍ରସ ସୋସାଇଟିକୁ ଧନ୍ୟବାଦ ଦେଇଛନ୍ତି । ଏବେ ବାପ-ପୁଅଙ୍କ ପ୍ରତକ୍ଷ୍ୟ ସାକ୍ଷାତର ସମ୍ଭାବ୍ୟ ପଦକ୍ଷେପ ନେଇ ବିଚାର କରୁଛି ଜିଲ୍ଲା ଆଇନ ସେବା ପ୍ରାଧିକରଣ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.