ଜାଣନ୍ତି କି?:ଭଗବାନ ଶିବଙ୍କର ଅଛନ୍ତି ୩ଟି କନ୍ୟା

Published By : Prameya-News7 Bureau | October 30, 2018 IST

କାର୍ତ୍ତିକ ଏବଂ ଗଣେଶ ଶିବଙ୍କର ଦୁଇ ପୁତ୍ର ଥିଲେ। ସେହିଭଳି ତାଙ୍କର ୩ଝିଅ ହେଉଛନ୍ତି ଅଶୋକ ସୁନ୍ଦରୀ,ଜ୍ୟୋତି ଏବଂ ମନସା। ଆସନ୍ତୁ ଜାଣିବା ଏମାନଙ୍କ ସମ୍ପର୍କରେ ଅଶୋକା ସୁନ୍ଦରୀ: ଭଗବାନ ଶିବ ଅନେକ ସମୟରେ ତପମଗ୍ନ ରହୁଥିଲେ। ପୁତ୍ର କାର୍ତ୍ତିକେୟ ଦେବତାମାନଙ୍କର ସେନାପତି ହୋଇଥିବାରୁ ସେ ମଧ୍ୟ ବ୍ୟସ୍ତ ରହୁଥିଲେ। ଅଗ୍ରପୂଜ୍ୟ ଗଣେଶ ବିଦ୍ୟାପ୍ରିୟ। ତେଣୁ ସେ ବିଦ୍ୟାଧ୍ୟୟନରେ ନିମଗ୍ନ ରହୁଥିଲେ। ଏକଲା ପାର୍ବତୀ ବ୍ୟସ୍ତବିବ୍ରତ ହୋଇଉଠୁଥିଲେ। ଦୁଃଖରେ ରହୁଥିଲେ। ତାଙ୍କର ଏହି ଦୁଃଖର ପରିସମାପ୍ତି ଘଟାଇବା ପାଇଁ ଅଶୋକାଙ୍କୁ  ତିଆରି କରିଥିଲେ ଭଗବାନ ଶିବ। ଏକ ପୁତ୍ତଳିକା ତିଆରି କରି ତାକୁ କନ୍ୟାର ରୂପ ଦେବା ସହ ଭଗବାନ ଶଙ୍କର ସେଥିରେ ଜୀବନ୍ୟାସ କରିଥିଲେ। ପାର୍ବତୀଙ୍କର ଶୋକନାଶନ ପାଇଁ ଏହି କନ୍ୟାଙ୍କର ଆବିର୍ଭାବ ହୋଇଥିବା ଯୋଗୁଁ ତାଙ୍କୁ ଅଶୋକା ବୋଲି ନାମକରଣ କରାଯାଇଥିଲା। ଅଶୋକା ଭବିଷ୍ୟଦ୍ରଷ୍ଟା ଥିଲେ। ଅଶୋକା ମଧ୍ୟ ଥିଲେ ଦିବ୍ୟସୁନ୍ଦରୀ। ବଡ଼ ହେବା ପରେ ସେ ରାଜା ନହୁଷଙ୍କୁ ବିବାହ କରିଥିଲେ। ସେ ଶତକନ୍ୟାଙ୍କ ଜନନୀ ମଧ୍ୟ ହୋଇଥିଲେ। ତାଙ୍କ ପିଢ଼ୀ ତାଙ୍କର ସବୁ କନ୍ୟା ଅତ୍ୟନ୍ତ ସୁନ୍ଦରୀ ଥିଲେ। ଗୁଜୁରାଟ ଓ ପଡ଼ୋଶୀ ରାଜ୍ୟରେ ଅଶୋକାଙ୍କ ପୂଜା କରାଯାଏ । ବିଭିନ୍ନ ବ୍ରତ କଥାରେ ଅଶୋକାଙ୍କ ସମ୍ପର୍କରେ ଉଲ୍ଲେଖ ରହିଛି। ବ୍ରହ୍ମପୁରାଣରେ ଶିବଙ୍କ ୩କନ୍ୟାଙ୍କ ସମ୍ପର୍କରେ ମଧ୍ୟ ଉଲ୍ଲେଖ ରହିଛି। ଜ୍ୟୋତି: ଶିବ ପାର୍ବତୀଙ୍କ ଆଉ ଜଣେ କନ୍ୟା ହେଲେ ଜ୍ୟୋତି। ଭାଇ କାର୍ତ୍ତିକେୟ ଏବଂ ଗଣେଶଙ୍କ ସେ ଅତି ଗେହ୍ଲା ଭଉଣୀ ଥିଲେ। ଶିବଙ୍କ ପ୍ରଭାରୁ ସେ ଜନ୍ମ ନେଇଥିବା ବ୍ରହ୍ମପୁରାଣରେ କୁହାଯାଇଛି। ତେବେ ଅନ୍ୟାନ୍ୟ ଶାସ୍ତ୍ରରେ ଦେବୀ ପାର୍ବତୀଙ୍କ ତେଜରୁ ସେ ଆବିର୍ଭୂତା ବୋଲି କୁହାଯାଏ। ଜ୍ୟୋତି ସର୍ବଦା କାର୍ତ୍ତିକଙ୍କ ଅନୁଗାମୀ ଥିଲେ। ସେଥିପାଇଁ କାର୍ତ୍ତିକ ଅତ୍ୟନ୍ତ ପ୍ରଭାଦୀପ୍ତ ଓ ତେଜୀୟାନ୍ ଥିଲେ। ତାମିଲନାଡ଼ୁର କିଛି ମନ୍ଦିରରେ ଦେବୀ ଜ୍ୟୋତିଙ୍କର ଆରାଧନା ଦେଖିବାକୁ ମିଳେ। ଉତ୍ତର ଭାରତରେ ଏହି ଦେବୀଙ୍କୁ ରେକି ଦେବୀ ଭାବରେ ପୂଜା କରାଯାଏ। ବୈଦିକ ଅଗ୍ନି ବା ବୈଦିକ ରାକରୁ ରେକି ଶବ୍ଦର ଉତ୍ପତ୍ତି। ଉତ୍ତର ଭାରତରେ କେହି କେହି ଏହାଙ୍କୁ ଜ୍ବାଳାମୁଖୀ ଭାବରେ ମଧ୍ୟ ପୂଜା କରିଥାନ୍ତି। ମନସା: ମନସା ହେଉଛନ୍ତି ଭଗବାନ ଶଙ୍କରଙ୍କର ତୃତୀୟ କନ୍ୟା। ସର୍ପ ଦଂଶନରୁ ପୃଥିବୀକୁ ରକ୍ଷା କରିବା ପାଇଁ ଏହି ଦେବୀଙ୍କର ଶିବକନ୍ୟା ଭାବରେ ଜନ୍ମ ହୋଇଥିଲା। କଦରୁ ନାମ୍ନୀ ଜଣେ ରାକ୍ଷସୀ ଶିବ ଲିଙ୍ଗ ସ୍ଥାପନ କରି ଭଗବାନ ଶଙ୍କରଙ୍କ ପୂଜା କରୁଥିଲେ। ପୂଜାରେ ଭଗବାନ ଶଙ୍କର ସନ୍ତୁଷ୍ଟ ହୋଇଥିଲେ। ଶିବଙ୍କ ବୀର୍ଯ୍ୟ କଦରୁ ଆରାଧନା କରୁଥିବା ଶିବ ଲିଙ୍ଗକୁ ସ୍ପର୍ଶ କରିଥିଲା। ଏହି ସ୍ପର୍ଶରୁ ଦେବୀ ମନସାଙ୍କ ସୃଷ୍ଟି ହୋଇଥିଲା। ଭାରତର କିଛି ସ୍ଥାନରେ ଦେବୀ ମନସାଙ୍କୁ ନାଗରାଜ ଅନନ୍ତ ବାସୁକୀଙ୍କ ଭଗ୍ନୀ ହିସାବରେ ମଧ୍ୟ ଗ୍ରହଣ କରାଯାଏ । ଉତ୍ତର ଭାରତର ହରିଦ୍ବାର ଠାରେ ଦେବୀ ମନସାଙ୍କର ମନ୍ଦିର ରହିଛି। ଗୁରୁତ୍ବପୂର୍ଣ୍ଣ କଥା ହେଲା ଦେବୀ ମନସା ଶିବପୁତ୍ରୀ ହେଲେ ମଧ୍ୟ ପାର୍ବତୀଙ୍କ ସହିତ ତାଙ୍କର କୈାଣସି ସମ୍ପର୍କ ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.