ନିଜ ଭକ୍ତଙ୍କ ସୁରକ୍ଷା ପାଇଁ ହନୁମାନଙ୍କ ସହିତ ଯୁଦ୍ଧ କରିଥିଲେ ଭଗବାନ ଶିବ

Published By : Prameya-News7 Bureau | November 17, 2018 IST

ଭୁବନେଶ୍ୱର ୧୭/୧୧ : ଶ୍ରୀ ହନୁମାନ ଭଗବାନ ଶିବଙ୍କର ଗୋଟିଏ ଅବତାର | ହନୁମାନ ଏବଂ ଭଗବାନ ଶିବଙ୍କ ମଧ୍ୟରେ ଠାରେ ଯୁଦ୍ଧ ମଧ୍ୟ ହୋଇଥିଲା | ପଦ୍ମ ପୁରାଣର ପାତାଳଖଣ୍ଡରେ ଏହି ଯୁଦ୍ଧର ବର୍ଣନା କରାଯାଇଛି | ଆସନ୍ତୁ ଜାଣିବା ଏହି ଯୁଦ୍ଧ ସମ୍ପର୍କରେ : ୧. ଶ୍ରୀ ରାମ ଅଶ୍ୱମେଧ ଯଜ୍ଞ କରିଥିବା ଆମେ ସମସ୍ତେ ଜାଣିଛୁ | ଏହି ଅଶ୍ୱମେଧ ଯଜ୍ଞ କରୁଥିବାବେଳେ ଯଜ୍ଞର ଘୋଡା ବୁଲି ବୁଲି ଯାଇ ଦେବପୁର ନାମକ ଏକ ଗାଁରେ ଯାଇ ପହଁଚିଯାଇଥିଲା | ସେହି ରାଜ୍ୟର ରାଜା ଥିଲେ ବୀରମଣୀ | ବୀରମଣୀ ଭଗବାନ ଶିବଙ୍କ ପରମ ଭକ୍ତ ଥିଲେ | ସେଥିପାଇଁ ଦେବପୁରର ରକ୍ଷା ସ୍ୱୟଂ ଭଗବାନ ଶିବ କରୁଥିଲେ ବୋଲି ରାଜ୍ୟବାସୀ ବିଶ୍ୱାସ କରୁଥିଲେ | ବୀରମଣୀଙ୍କ ପୁତ୍ର ଋକ୍ମଙ୍ଗତ ଯେତେବେଳେ ଯଜ୍ଞର ଘୋଡା ବୁଲୁଥିବାର ଦେଖିଥିଲେ ସେ ଘୋଡାକୁ ବନ୍ଦୀ ବନେଇ ଦେଇଥିଲେ | ଘୋଡା ବନ୍ଦୀ ହୋଇଥିବା ଜାଣି ଶତ୍ରୁଘ୍ନ ଦେବପୁରରେ ଆକ୍ରମଣ କରିବା ପାଇଁ ନିଷ୍ପତ୍ତି ନେଲେ | ଶତ୍ରୁଘ୍ନ ଏବଂ ରାଜା ବୀରମଣୀଙ୍କ ସେନାଙ୍କ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଥିଲା | ହନୁମାନ ମଧ୍ୟ ବୀରମଣୀଙ୍କ ସେନାଙ୍କ ସଂହାର କରିବା ଆରମ୍ଭ କରିଦେଇଥିଲେ | ଶ୍ରୀରାମ ଚନ୍ଦ୍ରଙ୍କ କନିଷ୍ଠ ଭାଇ ଭରତଙ୍କ ପୁତ୍ର ରାଜା ବୀରମଣୀଙ୍କୁ ଆଘାତ କରିଦେଇଥିଲେ | ଏହା ଦେଖି ବୀରମଣୀଙ୍କ ସେନା ଜୀବନ ରକ୍ଷା କରିବା ପାଇଁ ଯୁଦ୍ଧ ସ୍ଥଳରୁ ପଳାୟନ କରିଥିଲେ | ନିଜ ଭକ୍ତଙ୍କ ଏଭଳି ସ୍ଥିତି ଦେଖି ଭଗବାନ ଶିବ ନିଜେ ଆସି ଯୁଦ୍ଧ କରିଥିଲେ | ଭଗବାନ ଶିବ ଯୁଦ୍ଧ କରୁଥିବା ଦେଖି ଶତ୍ରୁଘ୍ନ ମଧ୍ୟ ସେଠାକୁ ଆସିଯାଇଥିଲେ | ଉଭୟଙ୍କ ମଧ୍ୟରେ ଯୁଦ୍ଧ ଭୟଙ୍କର ରୂପ ନେଇଥିଲା | ଭଗବାନ ଶିବ ହନୁମାନଙ୍କ ସହିତ ଯୁଦ୍ଧ କରିବା ପାଇଁ ନନ୍ଦୀଙ୍କୁ ପଠେଇଥିଲେ ଏବଂ ବୀରଭଦ୍ରଙ୍କୁ ପୁଷ୍କଳଙ୍କ ସହିତ ଯୁଦ୍ଧ କରିବା ପାଇଁ ପଠେଇଥିଲେ | ବୀରଭଦ୍ର ଏବଂ ପୁଷ୍କଳଙ୍କ ଯୁଦ୍ଧ ୫ଦିନ ଯାଏଁ ଚାଲିଲା | ଶେଷରେ ବୀରଭଦ୍ର ପୁଷ୍କଳଙ୍କୁ ବଧ କରିଥିଲେ | ଏହା ଦେଖି ଶତ୍ରୁଘ୍ନ ଅତ୍ୟନ୍ତ ମର୍ମାହତ ହୋଇଥିଲେ | ଶତ୍ରୁଘ ନିଜେ ଭଗବାନ ଶିବଙ୍କ ସହ ଯୁଦ୍ଧ କରିବାକୁ ଆଗେଇ ଆସିଥିଲେ | ଉଭୟଙ୍କ ମଧ୍ୟରେ ୧୧ ଦିନ ଯାଏଁ ଯୁଦ୍ଧ ଚାଲିଲା | ଶେଷରେ ଭଗବାନ ଶିବଙ୍କ ପ୍ରହାରରେ ଶତ୍ରୁଘ୍ନ ଚେତାଶୂନ୍ୟ ହୋଇପଡିଲେ | ଏହା ଦେଖି ହନୁମାନ ଅସହ୍ୟ ହୋଇ ନିଜେ ଭଗବାନ ଶିବଙ୍କ ସହ ଯୁଦ୍ଧ କରିବାକୁ ଆଗେଇ ଆସିଥିଲେ | ସେତେବେଳେ ହନୁମାନ ଭଗବାନ ଶିବଙ୍କୁ ପ୍ରଶ୍ନ କରିଥିଲେ ଯେ, ଆପଣ ନିଜେ ରାମ ଭକ୍ତ ହୋଇ ଆମ ସଂଗେ ଯୁଦ୍ଧ କାହିଁକି କରୁଛନ୍ତି | ଭଗବାନ ଶିବ ଉତ୍ତର ଦେଇଥିଲେ ଯେ, ରାଜା ବୀରମଣୀଙ୍କ ରାଜ୍ୟର ସୁରକ୍ଷା ପାଇଁ ସେ ରାଜାଙ୍କୁ ପ୍ରତିଶୃତି ଦେଇଛନ୍ତି ଏବଂ ରାଜ୍ୟର ସୁରକ୍ଷା ପାଇଁ ବାଧ୍ୟ ହୋଇ ସେ ଯୁଦ୍ଧ କରୁଛନ୍ତି | ଏହା ପରେ ହନୁମାନ ଏବଂ ଶିବଙ୍କ ମଧ୍ୟରେ ଭୟଙ୍କର ଯୁଦ୍ଧ ହୋଇଥିଲା | ହନୁମାନଙ୍କ ପରାକ୍ରମରେ ଖୁସି ହୋଇ ଭଗବାନ ଶିବ ହନୁମାନଙ୍କୁ ଯେକୌଣସି ବର ମାଗିବା ପାଇଁ କହିଥିଲେ | ତେବେ ହନୁମାନ କହିଥିଲେ ଯେ, ଯୁଦ୍ଧରେ ଭରତଙ୍କ ପୁତ୍ର ପୁଷ୍କଳଙ୍କ ମୃତ୍ୟୁ ହୋଇଛି ଏବଂ ଶତ୍ରୁଘ୍ନ ମଧ୍ୟ ଚେତାଶୂନ୍ୟ ହୋଇପଡିଛନ୍ତି | ହନୁମାନ ଦ୍ରୋଣଗିରି ପର୍ବତରୁ ସଂଜୀବନୀ ଆଣିବା ପାଇଁ ଯିବେ ଏବଂ ସେହି ସମୟରେ ଭଗବାନ ଶିବ ତାଙ୍କର ରକ୍ଷା କରନ୍ତୁ ବୋଲି ହନୁମାନ ବର ମାଗିଥିଲେ | ଭଗବାନ ତାଙ୍କୁ ଏହି ବର ପ୍ରଦାନ କରିଥିଲେ | ହନୁମାନ ଦ୍ରୋଣଗିରି ପର୍ବତ ଯାଇ ସଂଜୀବନୀ ଆଣି ତୁରନ୍ତ ଯୁଦ୍ଧ ସ୍ଥଳକୁ ଫେରି ଆସିଥିଲେ | ସଂଜୀବନୀ ଔଷଧରୁ ହନୁମାନ ପୁଷ୍କଳଙ୍କୁ ପୁଣି ଥରେ ଜୀବନ୍ତ କରିଦେଇଥିଲେ ଏବଂ ଶତ୍ରୁଘ୍ନଙ୍କ ସ୍ୱାସ୍ଥ୍ୟବସ୍ଥା ମଧ୍ୟ ସୁଧୁରି ଯାଇଥିଲା | ଶତ୍ରୁଘ୍ନ ଚେତା ଫେରି ପାଇବା ପରେ ପୁଣି ଭଗବାନ ଶିବଙ୍କ ଯୁଦ୍ଧ ଆରମ୍ଭ କରିଦେଇଥିଲେ | କିନ୍ତୁ କୌଣସି ବି ପ୍ରକାରେ ଶତ୍ରୁଘ୍ନ ଭଗବାନ ଶିବଙ୍କ ଠାରୁ ଜିତିବାରେ ସକ୍ଷମ ହେଉନଥିଲେ | ସେତେବେଳେ ଶ୍ରୀରାମଙ୍କୁ ଅନ୍ତରରେ ମନେ ପକେଇବା ପାଇଁ ହନୁମାନ ଶତ୍ରୁଘ୍ନଙ୍କୁ କହିଥିଲେ | ଶତ୍ରୁଘ୍ନ ସେୟା ହିଁ କଲେ | ଫଳରେ ଶ୍ରୀରାମ ତୁରନ୍ତ ଯୁଦ୍ଧ ଭୂମିରେ ପ୍ରକଟ ହୋଇଥିଲେ | ଶ୍ରୀରାମଙ୍କୁ ଦେଖି ଭଗବାନ ଶିବ ଶ୍ରୀରାମଙ୍କ ଶରଣାଗତ ହୋଇଯାଇଥିଲେ | ଏହା ସହ ସମସ୍ତ ଯୋଦ୍ଧାଙ୍କୁ ମଧ୍ୟ ଶ୍ରୀରାମଙ୍କ ଶରଣାଗତ ହେବା ପାଇଁ କହିଥିଲେ | ତେବେ ବୀରମଣୀ ଯଜ୍ଞର ଘୋଡା ଶ୍ରୀରାମଙ୍କୁ ଫେରାଇ ଦେଇଥିଲେ ଏବଂ ନିଜ ରାଜ୍ୟ ମଧ୍ୟ ଶ୍ରୀରାମଙ୍କୁ ଅର୍ପଣ କରିଥିଲେ | ଏଭଳି ଭାବେ ଭଗବାନ ଶିବ ଏବଂ ହନୁମାନଙ୍କ ମଧ୍ୟରେ ଯୁଦ୍ଧ ସମାପ୍ତ ହୋଇଥିଲା |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.