ବିଶ୍ୱରେ ପ୍ରସାରିତ ହେଉଛି ଜଗନ୍ନାଥ ସଂସ୍କୃତି, ଇଂଲଣ୍ଡରେ ତିନି ବିଗ୍ରହଙ୍କ ମୂର୍ତ୍ତି ହେଲା ସ୍ଥାପନ

Published By : Prameya-News7 Bureau | August 22, 2021 IST

ବେଙ୍ଗାଲୁରୁ, ୨୨/୦୮: ସାରା ବିଶ୍ୱରେ ଓଡ଼ିଆଙ୍କ ଉପସ୍ଥିତି ଓଡ଼ିଶାର ପରମ୍ପରା ତଥା ଜଗନ୍ନାଥ ସଂସ୍କୃତିକୁ ପ୍ରଚାର ପ୍ରସାର କରିବାରେ ସବୁବେଳେ ସହାୟକ ହେଇଥାଏ । ବିଦେଶ ମାଟିରେ ଯେଉଁଠାରେ ଓଡ଼ିଆ ମାନେ ନିଜ ବୃତ୍ତି ପାଇଁ ବସ ବାସ କରୁଛନ୍ତି ସେଠାରେ ସେମାନେ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ସ୍ଥାପନ ତଥା ତାଙ୍କର ପାରମ୍ପରିକ ପୂଜା ଅର୍ଚନା କରିବାରେ ପଛାଉ ନାହାନ୍ତି। ଗତକାଲି ଯୁକ୍ତ ରାଜ୍ୟ ଇଂଲଣ୍ଡର ଦ୍ୱିତୀୟ ବୃହତମ ସହର ମାଞ୍ଚେଷ୍ଟର ଠାରେ ଜଗନ୍ନାଥ ବଳଭଦ୍ର ଓ ଭଗିନୀ ସୁଭଦ୍ରାଙ୍କର ଭବ୍ୟ ମୂର୍ତ୍ତି, ଗୀତା ଭବନ ହିନ୍ଦୁ ମନ୍ଦିର ପରିସରରେ ପ୍ରତିଷ୍ଠା ଓ ସ୍ଥାପନା କରାଯାଇଛି ।

ଜଗନ୍ନାଥଙ୍କ ପରମ୍ପରା ହିସାବରେ ନାମ ଯଜ୍ଞ, ହୋମ ତଥା ଅନ୍ନ୍ୟାନ୍ୟ ପୂଜା ଅର୍ଚ୍ଚନା କରାଯାଇ ଭଗବାନଙ୍କ ପ୍ରାଣ ପ୍ରତିଷ୍ଠା ଓ  ସ୍ଥାପନା କରଯାଇଛି । ମାଞ୍ଚେଷ୍ଟର ସହରର ୱଥିନଟନ୍ ରୋଡରେ ଥିବା ଏହି ଗୀତା ଭବନ ହିନ୍ଦୁ ମନ୍ଦିରଟିକୁ ଜଗନ୍ନାଥଙ୍କ ପ୍ରତିଷ୍ଠା ପାଇଁ ସମ୍ପୂର୍ଣ୍ଣ ରୂପେ ସଜା ଯାଇଥିଲା। ସଂଯୁକ୍ତ ଇଂଲଣ୍ଡର ବିଭିନ୍ନ ହିନ୍ଦୁ ମନ୍ଦିରରୁ ପଣ୍ଡିତ ମାନେ ଆସି ତିନି ମୂର୍ତ୍ତିଙ୍କର ପ୍ରାଣ ପ୍ରତିଷ୍ଠା କରିବା ସଙ୍ଗେ ସଙ୍ଗେ ମହା ଆରତୀ କରିଥିଲେ । ଓଡ଼ିଆ ଓ ଭାରତୀୟମାନଙ୍କୁ ମିଶାଇ ପାଞ୍ଚଶହ ଭକ୍ତ ସେଠାରେ ଉପସ୍ଥିତ ରହି ଏହି ବିଶ୍ୱନିୟତା ଜଗନ୍ନାଥଙ୍କର ପ୍ରତିଷ୍ଠା ଉତ୍ସବକୁ ଦର୍ଶନ କରିଥିଲେ । ଗୀତା ଭବନ ହିନ୍ଦୁ ମନ୍ଦିର ପରିସର ହରିବୋଲ ହୁଳହୁଳି ଓ ଜୟ ଜଗନ୍ନାଥ ଧ୍ଵନିରେ ପ୍ରକମ୍ପିତ ହୋଇ ଉଠିଥିଲା ।

ଶେଷରେ ଜଗନ୍ନାଥ ବଳଭଦ୍ର ଓ ସୁଭଦ୍ରାଙ୍କୁ ଏକ ସୁସଜିତ ରଥରେ ବସାଇ ସହର ପରିକ୍ରମା କରାଯାଇଥିଲା। ତିନି ମାଇଲ ପର୍ଯ୍ୟନ୍ତ ମାଞ୍ଚେଷ୍ଟର ସହରର ବିଭିନ୍ନ ରାସ୍ତା ଦେଇ ଏହି ରଥ ପରିକ୍ରମା କରିଥିଲା। ଏଠାରେ ଜଗନ୍ନାଥଙ୍କ ଭବ୍ୟ ମୂର୍ତ୍ତି ପ୍ରତିଷ୍ଠା କରିବାରେ ଓଡ଼ିଆ ମାନଙ୍କ ଦ୍ୱାରା ଗଠିତ ହିନ୍ଦୁ କଲଚରାଲ ସୋସାଇଟି ଟ୍ରଷ୍ଟ ଓ ଗୀତା ଭବନର ପ୍ରତିଷ୍ଠାତା ସଦସ୍ୟଙ୍କ ସହଯୋଗରେ ସମ୍ଭବ ହୋଇପାରିଥିଲା । ଏହି ଉତ୍ସବରେ ଓଡିଶୀ ନୃତ୍ୟ, ଭାରତନାଟ୍ୟମ, ସଂକୀର୍ତ୍ତନ ତଥା ଓଡ଼ିଆ ଭଜନ ପରିବେଷଣ କରାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.