ରାଜଧାନୀରେ ମାଟିଲେ ଲୁଟେରା : ଲୁଟିଲେ ଆଉ ବନ୍ଧୁକ ଦେଖାଇ ସେଲଫି ବି ନେଲେ

Published By : Prameya-News7 Bureau | November 04, 2018 IST

ଭୁବନେଶ୍ୱର ୪/୧୧ : ଭୁବନେଶ୍ୱରରେ ଏବେ ଲୁଟେରାଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି | ୪ଦିନ ତଳେ ଟମଣ୍ଡ ଛକରୁ ଜଣେ ବାଇକରେ ଯାଉଥିବା ଜଣେ ମହିଳାଙ୍କ ବେକରୁ ଚେନ ଲୁଟ ହୋଇଥିଲା | ସେହିଭଳି ସେହିଦିନ ରାମ ମନ୍ଦିର ଏକ୍ସିସ ବ୍ୟାଙ୍କ ସାମ୍ନାରୁ ପର୍କିଙ୍ଗ ହୋଇଥିବା ଗୋଟିଏ କାରରୁ ଲୁଟେରା ମାନେ ୪ଲକ୍ଷ ଟଙ୍କା ଲୁଟିନେଇଥିଲେ | ତେବେ ଗତକାଲି ରାତିରେ ଘଟିସାଝି ସିରିଜ ଲୁଟ | କେବଳ ସେତିକି ନୁହେଁ କମିଶନରେଟ ପୋଲିସକୁ ଚ୍ୟାଲେଞ୍ଜ ଦେଇ ଲୁଟେରାମାନେ ଲୁଟର ଶିକାର ହୋଇଥିବା ଲୋକଙ୍କ ସହିତ ବନ୍ଧୁକ ଦେଖାଇ ସେଲଫି ନେବାକୁ ମଧ୍ୟ ପଛେଇ ନାହାନ୍ତି | ଏଥିରୁ ଗୋଟିଏ କଥା ସ୍ପଷ୍ଟ ହେଉଛି ଯେ, ରାଜଧାନୀରେ ଲୁଟେରାମାନେ ବେଧଡକ ସେମାନଙ୍କ ଲୁଟ ଅଭିଯାନ ଚଳାଇଛନ୍ତି | ଲୁଟେରାଙ୍କ ଆତଙ୍କ ଯୋଗୁଁ ଲୋକେ ସନ୍ଧ୍ୟା ପରେ ଘରୁ ବାହାରିବାକୁ ଭୟ କଲେଣି | ଅବଶ୍ୟ ଗତକାଲିର ସିରିଜ ଲୁଟ ଘଟଣା ପରେ ପୋଲିସର ନିଦ ଭାଙ୍ଗିଯାଇଛି | ଆଜି କମିଶନରେଟ ପୋଲିସ ଲୁଟେରାଙ୍କୁ ଧରିବା ପାଇଁ ସ୍ୱତନ୍ତ୍ର ସ୍କ୍ୱାର୍ଡ ଗଠନ କରିଛି | ସୂଚନାଯୋଗ୍ୟ ଯେ, ଗତକାଲି ରାତି ପ୍ରାୟ ୧୨ଟା ବେଳକୁ ୨ଟି ନମ୍ବର ବିହୀନ ବାଇକରେ ୬ଜଣ ଲୁଟେରା ଭରତପୁର ଠାରୁ ଖଣ୍ଡଗିରି ମଧ୍ୟରେ ୩ଟି ସ୍ଥାନରେ ଲୋକଙ୍କ ଠାରୁ ଟଙ୍କା, ସୁନା ଲୁଟ କରିଛନ୍ତି | ଏପରିକି ସ୍ଟୁଡ଼ିଓ ଛକରେ ଜଣେ ବ୍ୟକ୍ତିଙ୍କ ପାଖରେ ଟଙ୍କା ସୁନା ନଥିବାରୁ ଲୁଟେରାମାନେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ବନ୍ଧୁକ ଦେଖାଇ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଏଟିଏମକୁ ନେଇଥିଲେ ଓ ଏଟିଏମରୁ ଟଙ୍କା ଉଠେଇ ଦେବାପାଇଁ ବାଧ୍ୟ କରିଥିଲେ | ଲୁଟେରାମାନେ ରାତି ୧୨ଟା ରେ ଭରତପୁରରୁ ଖଣ୍ଡଗିରି ଛକ ମଧ୍ୟରେ ଏଭଳି ଆତଙ୍କରାଜ ଚଳାଇଥିଲେ ମଧ୍ୟ କୌଣସି ପାଟ୍ରୋଲିଂ ଗାଡି ସମ୍ପୃକ୍ତ ଅଂଚଳରେ ବୁଲୁନଥିବା ଲୁଟର ଶିକାର ଲୋକମାନେ କହିଛନ୍ତି | ଏପରିକି ଲୁଟେରାମାନେ ବିଭିନ୍ନ ଲୋକଙ୍କୁ ଲୁହ ରଡ଼ରେ ପିଟି ଆହତ କରିବା ସହ ବିଭିନ୍ନ ସ୍ଥାନରେ ଭଙ୍ଗାରୁଜା କରିଥିଲେ |ଏସବୁ ଲୁଟ ସରିବା ପରେ ଲୁଟ ଶିକାର ଲୋକମାନେ ଖଣ୍ଡଗିରି ପୋଲିସରେ ଅଭିଯୋଗ କରିଥିଲେ | ପରେ ପୋଲିସ ଘଟଣାସ୍ଥଳରେ ପହଂଚି ଛାନଭିନ କରିଛି |ଲୁଟେରାମାନେ ମୁଖା ପିନ୍ଧିଥିବା ଲୁଟର ଶିକାର ହୋଇଥିବା ଲୋକମାନେ କହିଛନ୍ତି |  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.